ସେକସପିଅର ନାଟକ ମଞ୍ଚସ୍ଥ କରି ଇତିହାସ ରଚିଲେ କିସ୍ ଓ କିଟ୍ ଛାତ୍ରଛାତ୍ରୀ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୧୮ ।୬): ବିଶ୍ୱ ରଙ୍ଗମଞ୍ଚରେ ସେକସପିଅର ନାଟକ ପରିବେଷଣ କରି କିସ୍ ଓ କିଟ୍ ଛାତ୍ରଛାତ୍ରୀମାନେ ଇତିହାସ ରଚିବା ପରେ ଏହି ଜନଜାତି ଛାତ୍ରଛାତ୍ରୀମାନେ ଓଡ଼ିଶା ମାଟିରେ ନିଜର ଅପୂର୍ବ କଳା ପ୍ରଦର୍ଶନ କରିଛନ୍ତି । ବିଦେଶ ମାଟିରେ ଚମତ୍କାର ପ୍ରଦର୍ଶନ ପରେ ବୁଧବାର ଭୁବନେଶ୍ୱରରେ ସେମାନେ ସେକସପିଅର ନାଟକ ପରିବେଷଣ କରି ବେଶ ପ୍ରଶଂସିତ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରି କିଟ୍ ଓ କିସ୍ର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ନିରଞ୍ଜନ ବିଶି, କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ସୂଚନାଯୋଗ୍ୟ, ବିଦେଶରେ ପ୍ରଥମ ଥର ପାଇଁ ଯେ କିସ୍ ଛାତ୍ରଛାତ୍ରୀମାନେ ସାନ୍ତାଳୀ ଭାଷାରେ ନାଟକ ପରିବେଷଣ କରି ଇତିହାସ ସୃଷ୍ଟି କରିଛନ୍ତି । ରୋମାନିଆରେ ଆୟୋଜିତ ବିଶ୍ୱ ସେକସପିୟର ନାଟ୍ୟ ମହୋତ୍ସବରେ ବିଶ୍ୱର ୪୫ ଟି ଦେଶର ୭୧ଟି ବିଶ୍ୱବିଦ୍ୟାଳୟରୁ ୩ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କିସ୍ ଛାତ୍ରଛାତ୍ରୀମାନେ ଓଡ଼ିଶା ଜନଜାତି ସାନ୍ତାଳି ଭାଷାରେ ବିଖ୍ୟାତ ନାଟ୍ୟକାର ସେକସପିଅରଙ୍କ ରୋମିଓ ଆଣ୍ଡ ଜୁଲିଏଟ୍, ହାମଲେଟ ଓ ମାକବେଥ ଆଦି ନାଟକ ରୋମାନିଆର ବିଭିନ୍ନ ସହରରେ ପରିବେଷଣ କରି ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛନ୍ତି ।
ବିଦେଶରୁ ଫେରିବା ପରେ ନୂଆଦିଲ୍ଲୀରେ ସେମାନେ ଆଉଥରେ ସାନ୍ତାଳି ଭାଷାରେ ସେକସପିଅର ନାଟକ ପରିବେଷଣ କରିଥିଲେ । ରୋମାନିଆ ଦୂତାବାସ ଓ କିସ୍-କିଟ୍ ମିଳିତ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇକମିଶନର ଓ ଦିଲ୍ଲୀର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ କିସ୍ ଛାତ୍ରଛାତ୍ରୀମାନେ ସାନ୍ତାଳି ଭାଷାରେ ଏହି ନାଟକ ପରିବେଷଣ କରି ବେଶ୍ ପ୍ରଶଂସିତ ହୋଇଥିଲେ । ଶେଷରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଦେବାନୁଜ ମଜୁମଦାର ହାମଲେଟ୍ ନାଟକର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ହାମଲେଟ୍ ଭୂମିକାରେ ଦେବାନୁଜ ମଜୁମଦାର, ଓଫେଲିଆ ଭୂମିକାରେ ଆଦ୍ରିକା ସିଞ୍ଜିନି, ହାମଲେଟ୍ଙ୍କ ମାତା ଗର୍ଟରୁଡ୍ ଭୂମିକାରେ କମଳିକା ବାଗ୍, ହାମଲେଟ୍ଙ୍କ ପିତା କିଙ୍ଗ ହାମଲେଟ୍ ଭୂମିକାରେ ବିଶ୍ୱରୂପ ଦତ୍ତ, ହାମଲେଟ୍ଙ୍କ ମାମୁଁ କ୍ଲାଉଡିୟସ୍ ଭୂମିକାରେ ସୁଜତ୍ରା ମୁଖାର୍ଜୀ ଏବଂ ଓଫେଲିଆଙ୍କ ପିତା ଭୂମିକାରେ ଦିଲୀପ ଶ୍ରମ୍ବୁଟିକା ଅଭିନୟ କରିଥିଲେ ।
ମାକବେଥ ନାଟକକୁ ଆଦ୍ରିକା ସିଞ୍ଜିନି ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ଡାହାଣୀ ଭୂମିକାରେ ଉର୍ମିଲା ମୁର୍ମୁ, ଲୋପାମୁଦ୍ରା କାନ୍ତି, ମିନିମନତି ଝୋଡିଆ, ରଶ୍ମିତା ତାମର୍ବୀ, ବିଷ୍ଣୁପ୍ରିୟା ନାୟକ ପ୍ରମୁଖ ଅଭିନୟ କରିଥିଲେ। ଲେଡି ମ୍ୟାକବେଥ ଭୂମିକାରେ ସ୍ମୃତି ଦାସ, ମାକବେଥ ଭୂମିକାରେ ପ୍ରିୟାଂଶୁ କୁମାର, ବାନକୋ ଭୂମିକାରେ ଦେବାନୁଜ ମଜୁମଦାର ଓ ଲେଡି ମାକବେଥ ରିଫ୍ଲେକ୍ସନ୍ ରେ କମଲ ମିଶ୍ର ଅଭିନୟ କରିଥିଲେ। ସେହିପରି ରୋମିଓ ଏବଂ ଜୁଲିଏଟ୍ ନାଟକକୁ କମଳିକା ବାଗ୍ ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ରୋମିଓ ଭୂମିକାରେ ପ୍ରିୟାଂଶୁ କୁମାର, ଜୁଲିଏଟ୍ ଭୂମିକାରେ ହେମଲତା ନାୟକ, ମର୍କୁଟିଓ ଭୂମିକାରେ ସୁଜ୍ରା ମୁଖାର୍ଜୀ, ବେନଭୋଲିଓ ଭୂମିକାରେ ବିଶ୍ୱରୂପ ଦତ୍ତା, ଲେଡି କାପୁଲେଟ୍ ଭୂମିକାରେ ରଶ୍ମିତା ତାମାର୍ବୀ, ପ୍ରଭୁ କାପୁଲେଟ୍ ଭୂମିକାରେ ଦିଲୀପ ସମ୍ବାରିକା ଏବଂ ଲେଡି ଫ୍ରିୟାର ଭୂମିକାରେ ସଞ୍ଜନା ସିଂ ଅଭିନୟ କରିଥିଲେ ।
କାର୍ଯ୍ୟକ୍ରମରେ ଲାଇଭ୍ ମ୍ୟୁଜିକ୍ରେ ସହଯୋଗ କରିଥିଲେ ପିଣ୍ଟୁ ମଝୀ, ବିପିନ ମାଝୀ, ଅନନ୍ତ ଅଙ୍ଗ୍ରା, ସୌର୍ଯ୍ୟ ଅମିତ, ଆଦ୍ରିକା ସିଞ୍ଜିନି, ଦେବାନୁଜ ମଜୁମଦାର ଏବଂ କମଳିକା ବାଗ୍ ଦ୍ୱାରା ପରିବେଷଣ କରାଯାଇଥିଲା। ନାଟକର ସନ୍ତାଳୀ ଅନୁବାଦ କରିଥିଲେ ଉର୍ମିଳା ମୁର୍ମୁ।
.png)
