୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

KIIT International School Hosts 13th Model United Nations 2026

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର, ୮ ।୮): କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ୧୩ତମ ସଂସ୍କରଣ ଶନିବାର ଉଦ୍‍ଘାଟିତ ହୋଇଯାଇଛି । ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ନୂଆଦିଲ୍ଲୀ ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଏବଂ ଆନାଲିସିସ୍ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସୁଜନ ଚିନୟ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ଓ ଦଳଗତ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦାହରଣ ଦେଇ ସେ କହିଲେ, ଭୁବନେଶ୍ୱରକୁ ଏକ ବିଶାଳ ଶିକ୍ଷା ହବ୍‌ରେ ପରିଣତ କରିବା ଦିଗରେ ଅଚ୍ୟୁତ ସାମନ୍ତଙ୍କ ଯୋଗଦାନ ପ୍ରଶଂସନୀୟ । ଅଚ୍ୟୁତଙ୍କ ଜୀବନରେ ସରଳତା, ଉଚ୍ଚ ମୂଲ୍ୟବୋଧ, ଦର୍ଶନ, କଠିନ ପରିଶ୍ରମ, ଦଳଗତ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ କହିଥିଲେ । ଗୋଟିଏ ରଥ ଯେପରି ଗୋଟିଏ ଚକରେ ଚାଲିପାରିବ ନାହିଁ, ସେହିପରି ରଥ ଚାଲିବା ପାଇଁ ଚାରୋଟି ଚକ ଆବଶ୍ୟକ । ସେହିପରି ତୁମେ ସମସ୍ତେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକାଠି ହେବା ଉଚିତ । ଛାତ୍ରଛାତ୍ରୀମାନେ ଯାହା ସବୁ କାମ କରିବେ ତା ଉପରେ ଦେଶର ପ୍ରଗତି ନିର୍ଭର କରିବ । ଦେଶର ପରିବର୍ତ୍ତନ ଆଣିବାକୁ ହେଲେ ଏହାର ସକାରାତ୍ମକ ଏବଂ ନକାରାତ୍ମକ ଉଭୟ ଦିଗକୁ ଧୈର୍ଯ୍ୟର ସହ ବିଚାର କରିବାକୁ ହେବ ।

ଜାତିସଂଘ ଉପରେ ସୂଚନା ଦେଇ ସୁଜନ କହିଲେ, ଜାତିସଂଘ ପ୍ରତିଷ୍ଠା ହେବାପରେ ଏହାର ସୁରକ୍ଷା ପରିଷଦକୁ ବିସ୍ତାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏଥିରେ ଆହୁରି ଅନେକ ସଂସ୍କାର ଆଣିବାର ଅବଶ୍ୟକତା ଅଛି । ଛାତ୍ରଛାତ୍ରୀମାନେ ଆଜି ଯେଉଁ ଶିକ୍ଷା ଅର୍ଜନ କରନ୍ତି ତାହା ସେମାନଙ୍କୁ ଅଧିକ ବିନମ୍ର ତଥା ସମାଜରେ ଯୋଗଦାନ ଦେବା ପାଇଁ ସକ୍ଷମ କରାଇଥାଏ । ସେ କହିଲେ, ଗଣତାନ୍ତ୍ରିକ ଶକ୍ତି, ଇ-ଜ୍ଞାନ ସମ୍ଭାବନା, ବର୍ଦ୍ଧିତ ସାମରିକ କ୍ଷମତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ବିଶ୍ୱ କ୍ଷେତ୍ରରେ ଭାରତର ଭୂମିକା ସାଂପ୍ରତିକ ବର୍ଷଗୁଡ଼ିକରେ ମଜବୁତ ହୋଇଛି । ଆମେ ଜଳବାୟୁ ପରିବର୍ତ୍ତନ, ସବୁଜ ପରିବର୍ତ୍ତନ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ସମେତ ପ୍ରମୁଖ ଚ୍ୟାଲେଞ୍ଜର  ମୁକାବିଲା ପାଇଁ ବିଶ୍ୱ ସମୁହ ସହ ଏକାଠି କାମ କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ରହିଛି ବୋଲି ସେ କହିଥିଲେ ।

ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀମାନେ ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ତୁମେମାନେ ନିଜ ପ୍ରତି ଭଲ ହେବାକୁ ଚେଷ୍ଟା କର ଓ ସମାଜ ପ୍ରତି ଭଲ ହେବାକୁ ଚେଷ୍ଟା କର । ତୁମେ ଯେତେ ବଡ଼ ହେଲେ ମଧ୍ୟ ନିଜେ ଭଲ ହେଲେ ଦେଶକୁ ସକାରାତ୍ମକ ଭାବରେ ପରିବର୍ତ୍ତନ କରିପାରିବ । ଏଭଳି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୋଟିଏ ଲେଖାଏଁ ଚିନ୍ତାଧାରା ନେଇ ଆସିଥାନ୍ତି, ମାତ୍ର ଯିବା ସମୟରେ ଅନେକ ଚିନ୍ତାଧାରା ନିଜ ସହ ନେଇ ଫେରିଥାନ୍ତି ବୋଲି ସେ କହିଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘ କାର୍ଯ୍ୟକ୍ରମରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ସମେତ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଆଦି ଭାରତର  ବିଭିନ୍ନ ସ୍ଥାନର ୧ଶହ ବିଦ୍ୟାଳୟରୁ ୧୫ଶହ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଏହି ଛାୟା ଜାତିସଂଘ କାର୍ଯ୍ୟକ୍ରମରେ ୧୩ଟି ବିଭିନ୍ନ କମିଟି ଗଠନ କରାଯାଇ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଏବଂ ବିତର୍କରେ ସାମିଲ ହେବେ ।

Share this story