ନିଲମ୍ବିତ ହେଲେ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ଆସିଲା ଚାଞ୍ଚଲ୍ୟକର ତଥ୍ୟ, ୮ କନଷ୍ଟେବଳଙ୍କୁ ଲଗାଉଥିଲେ ଘର କାମରେ

IPS officer Dayal Gangwar suspended shocking information revealed

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ବାଲିଅନ୍ତାରେ ଜିଆରପି କନେଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପୋଲିସ ଉପସ୍ଥିତିରେ ପିଟିପିଟି ହତ୍ୟା କରିବା ମାମଲାରେ ବିବାଦୀୟ ହୋଇ ପଡିଥିବା 1998 ବ୍ୟାଚ୍ ର ଆଇପିଏସ ଅଫିସର ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଲମ୍ବିତ କରିଛନ୍ତି । ହେଲେ ଇତିମଧ୍ୟରେ ଏହି ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।

ତଦନ୍ତରୁ ଜଣାପଡିଛି ଯେ, ଖାଲି ସୌମ୍ୟ ରଞ୍ଜନଙ୍କୁ ନୁହେଁ, ୮ ଜଣ କନଷ୍ଟେବଳଙ୍କୁ ଘର କାମରେ ଲଗାଉଥିଲେ ଦୟାଲ ଗଙ୍ଗୱାର । ସୌମ୍ୟଙ୍କ ସମେତ ୮ ରୁ ଅଧିକ କନଷ୍ଟେବଲଙ୍କୁ ଘରୋଇ କାର୍ଯ୍ୟରେ ବ୍ୟବହାର କରିଥିଲେ । କ୍ରାଇମବ୍ରାଞ୍ଚ ରିପୋର୍ଟରେ ହୋଇଛି ବଡ଼ ଖୁଲାସା ।

ସବୁଠୁ ବଡ଼ କଥା ହେଲା ଏହି ମାମଲା ସଂଗୀନ ହେବା ପରେ ପୋଲିସ ଡିଜି ୱାଇବି ଖୁରାନିଆ ଘଟଣାକୁ ଗୁରୁତ୍ୱର ସହ ନେଇ ବରିଷ୍ଠ ଆଇପିଏସ ଅଫିସର ଏଡିଜି ଅରୁଣ ବୋଥ୍ରାଙ୍କୁ ଗଙ୍ଗୱାରଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭାର ଦେଇଥିଲେ ।

ସୌମ୍ୟଙ୍କୁ ମାନସିକ ନିର୍ଯାତନା ନେଇ ବାପା ମା’ଙ୍କ ଅଭିଯୋଗ ପରେ ତଦନ୍ତ ଚାଲିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, ନିକଟରେ ଜିଆରପି (GRP) କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ମାମଲାକୁ ନେଇ ଦୟାଲ ଗଙ୍ଗୱାର ବିବାଦ ଘେରକୁ ଆସିଥିଲେ । କନେଷ୍ଟବଳଙ୍କ ପରିବାର ଲୋକେ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ସୌମ୍ୟରଞ୍ଜନଙ୍କୁ ସରକାରୀ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ କାମରେ ଖଟାଇବା ଏବଂ ମାନସିକ ନିର୍ଯାତନା ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଥିଲା । ଏହି ବିବାଦ ପରେ ପୂର୍ବରୁ ତାଙ୍କୁ ଏଡିଜି (ADG) କମ୍ୟୁନିକେସନ ପଦରୁ ବଦଳି କରାଯାଇ ଗୃହ ବିଭାଗର ଓଏସଡି କରାଯାଇଥିଲା ।

Share this story