ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ ୨୦୨୫ ପାଳିତ; ଫଇସଲା ହେଲା ୨୦୨୪-୨୫ ଆର୍ଥିକ ବର୍ଷର ୧୩୪୧ଟି ଅଭିଯୋଗ
ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର): ବୀମା ସମ୍ବନ୍ଧୀୟ (ଫସଲ ବୀମା ବ୍ୟତୀତ) ଅଭିଯୋଗଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ୧୮ଟି ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ପ୍ରତିବର୍ଷ ପରି ଏଥର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ ଗତ ମଙ୍ଗଳବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଭାରତ ସରକାର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି ଏବଂ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ ଆଦେଶକୁ ବୀମା କମ୍ପାନୀମାନଙ୍କୁ ପାଳନ କରିବା ନିମନ୍ତେ ଆଇନତଃ ବାଧ୍ୟ କରିଛନ୍ତି । ବିଗତ ଆର୍ଥିକ ବର୍ଷ (୨୦୨୪-୨୫) ରେ ସର୍ବମୋଟ ୧୩୪୧ ଟି ଅଭିଯୋଗର ନିଷ୍ପତି କରାଯାଇଛି ।
ସବୁଠାରୁ ଉଲ୍ଲେଖନୀୟ ଉପଲବ୍ଧି ଏହା ଯେ ଶତପ୍ର୍ରତିଶତ ଅଭିଯୋଗ ମାତ୍ର ୬୦ ଦିନ ମଧ୍ୟରେ ଅର୍ଥାତ ନିର୍ଦ୍ଧାରିତ ସମୟସୀମା (୯୦ ଦିନ) ର ବହୁ ପୂର୍ବରୁ ବ୍ୟକ୍ତିଗତ ଏବଂ ଆଭାସୀ ଶୁଣାଣି ମାଧ୍ୟମରେ ନ୍ୟାୟିକ ନିଷ୍ପତ୍ତି ଦିଆଯାଇ ପାରିଛି ।
ଏଥିସହ ଅନେକ ଅଭିଯୋଗ, କମ୍ପାନୀ ଏବଂ ଅଭିଯୋଗକାରୀଙ୍କ ଆପୋଷ ସହମତିରେ ସମାଧାନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଅନୁଷ୍ଠାନ ବିନାମୂଲ୍ୟରେ ସମସ୍ତ ବୀମା ସମ୍ବନ୍ଧିତ ଅଭିଯୋଗଗୁଡିକର ବିଚାର ତଥା ନିଷ୍ପତ୍ତି କରିଥାଏ । ଏଥି ନିମନ୍ତେ କୌଣସି ତୃତୀୟ ପକ୍ଷଙ୍କ ସାହାଯ୍ୟର ଆବଶ୍ୟକତା ନଥାଏ । ବୀମାଧାରୀମାନେ ଅନଲାଇନ ଏବଂ ଅଫ ଲାଇନରେ ନିଜର ଅଭିଯୋଗ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ ।
ମୁଖ୍ୟ ଅତିଥି ଭାବରେ ନ୍ୟ।ସନାଲ ଇନ୍ସୁରାନ୍ସ ଏକାଡେମୀର ପୂର୍ବତନ ନିର୍ଦ୍ଧେଶକ ତଥା ଶ୍ରୀ ଶ୍ରୀ ୟୁନିଭରସିଟିର ପୂର୍ବତନ କୁଳପତି ତଥା ସହ ପ୍ରତିଷ୍ଠାତା କୈଳାଶ ଚନ୍ଦ୍ର ମିଶ୍ର ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସଚିବ ଅଜୟ କୁମାର ଦାସ ପୂର୍ବ ବର୍ଷର ଉପଲବ୍ଧି ବିଷୟରେ ବିବରଣୀ ଦେଇଥିଲେ । ପରିଶେଷରେ ବିରୁପାକ୍ଷ ପଣ୍ଡା, ସଚିବ (ନନ ଲାଇଫ) ଧନ୍ୟବାଦ ଅର୍ପଣ କରିଥିଲେ ।
