"ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି; ଓଡ଼ିଶା ଆସିବା ପାଇଁ ମୁଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କଲି...", ଏମିତି କିଛି ତାଙ୍କ ଭାଷଣରେ କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

I denied Donald Trump to visit America for love to Odisha Jagannath Dham

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ । ଆମେରିକାଠୁ ଅଧିକ ଜରୁରୀ ଜଗନ୍ନାଥ ଧାମ ଯିବା ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ମୁଁ କାନାଡ଼ା ଗସ୍ତରେ ଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ୱାସିଂଟନ ଆସିବାକୁ ସାଦର ନିମନ୍ତ୍ରଣ କରିଥିଲେ । କାନାଡା ଆସିଛନ୍ତି, ୱାସିଂଟନ ହୋଇ ଯିବେ । ସାଙ୍ଗ ହୋଇ ଖାଇବା, କଥା ହେବା କହିଥିଲେ । ହେଲେ ଓଡ଼ିଶା ଆସିବାର ଥିଲା ବୋଲି ମୁଁ ଟ୍ରମ୍ପଙ୍କୁ ମନା କଲି । ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ବୋଲି ତାଙ୍କୁ କହିଲି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମୋଦି ।

ଜନତା ମଇଦାନରେ 'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ସେ ଆହୁରି କହିଛନ୍ତି, ଓଡ଼ିଶାର ବିଜେପି ସରକାର ବର୍ଷେ ପୂରଣ କରିଛି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ମୋହନ ସରକାର ବର୍ଷକ ଭିତରେ ବେଶ୍‌ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଓଡ଼ିଶା ଆମର ସଂସ୍କୃତିକୁ ପରିପୂର୍ଣ୍ଣ କରିଛି । ବିଗତ ବର୍ଷକ ଭିତରେ ବିକାଶ ଓ ବିରାସତକୁ କରି ଦେଖାଇଛି । ଓଡ଼ିଶାରେ ବିଜେପି ସରକାରର ବର୍ଷ ପୂରଣ ସହ ଆଗକୁ ରଥଯାତ୍ରା ହେବାକୁ ଯାଉଛି । ଏଠି ବିଜେପି ସରକାର ଆସିଲା ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲିଲା । ରତ୍ନଭଣ୍ଡାର ମଧ୍ୟ ଖୋଲି ଦିଆଗଲା ।

ଆସାମ ଓ ତ୍ରିପୁରା ରାଜ୍ୟର ଉଦାହରଣ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେଉଁସବୁ ରାଜ୍ୟରେ ବିଜେପି ଶାସନ ଆସିଛି, ବିକାଶ ଆସିଛି । ବିଜେପି କେବଳ ବିକାଶରେ ହିଁ ବିଶ୍ବାସ କରେ । ଓଡ଼ିଶା ଦଶନ୍ଧି ଦଶନ୍ଧି ହେଲା ଗରିବ ସହ ଯୁଝୁଛି । ଏହାର ସମାଧାନ ପାଇଁ ବିଜେପି ସରକାର ପୂରା ଜୋର ଲଗାଇଛି । ଏଠାରେ ବିକାଶର ଡବଲ ଇଞ୍ଜିନ ଚାଲିଛି । ଆଜିର ଶିଳାନ୍ୟାସ ଓ ଉଦ୍‌ଘାଟନ ଡବଲ ଇଞ୍ଜିନର ପ୍ରଭାବ ।

Share this story