ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା, ଜାଣନ୍ତୁ କେବେଠୁ ହେବ ଲାଗୁ...

Dearness Allowance of Odisha Government employees increased by 2 per cent

ଓଡ଼ିଆ ଗସିପ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା । ଏହା ଜାନୁଆରୀ ପହିଲା ୨୦୨୫ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏହା ସହିତ ପେନସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଥିଲେ ରାଜ୍ୟ ସରକାର । ଏହା ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୫୦ରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା । ୨୦୨୪ ଜୁଲାଇ ପହିଲାରୁ ପିଛିଲା ଭାବେ ଏହା ଲାଗୁ କରାଯାଇଥିଲା । ବର୍ଦ୍ଧିତ ମହଙ୍ଗା ଭତ୍ତା ଗତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିଥିଲା ।

ଏହାସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସାଢ଼େ ୭ ଲକ୍ଷ କର୍ମଚାରୀ ଓ ପେନସନ୍ ଭୋଗୀ ଉପକୃତ ହୋଇଥିଲେ ।

Share this story