ପୁଣି ହୁ ହୁ ହୋଇ ବଢିଲା କରୋନା ମାମଲା: ଓଡ଼ିଶା ରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪ ଆକ୍ରାନ୍ତ; ଦେଶରେ ୬ ହଜାର ଟପିଲା, କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

corona positive active cases start mushrooming in odisha and beyond

ଓଡ଼ିଆ ଗସିପ ବ୍ୟୁରୋ: କିଛି ଦିନ ପରେ ପୁଣିଥରେ ବଢିବା ଆରମ୍ଭ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନୂଆ ନୂଆ ଭ୍ୟାରିଆଣ୍ଟ ସହ କରୋନା କାୟା ମେଲାଉଥିବା କାରଣରୁ ପୁଣି ଚିନ୍ତା ବଢିଯାଇଛି । କରୋନା ନେଇ ସତର୍କ ରହିବାକୁ କେନ୍ଦ୍ର ତଥା ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଦେଶର କିଛି ରାଜ୍ୟ ମଧ୍ୟ ପୁଣିଥରେ କରୋନା କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଲେଣି ।

ଏହାରି ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି ।

ଓଡ଼ିଶାରେ ୬ ମାସ ପରେ କରୋନା ସଂକ୍ରମଣ ୩ ଅଙ୍କ ଛୁଇଁଛି । ଗତ ୨୪ ଘଣ୍ଟାରେ ୧୦୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ୍ ସକ୍ରିୟ ସଂଖ୍ୟା ୪୨୯କୁ ବୃଦ୍ଧି ହୋଇଛି । ଦିନକରେ ୩୪ ରୋଗୀ ସୁସ୍ଥ ହୋଇଛନ୍ତି । ଦୈନିକ ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ଉପରମୁହାଁ ହୋଇଛି । ଦେଶ ଓ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।

ଏନେଇ ସ୍ୱାସ୍ଥ୍ୟ ବିଭାଗ ସର୍ଭେଲାନ୍ସ ବଢ଼ାଇବା ସହ ଅନେକ ଗୁଡ଼ିଏ ଆଗୁଆ ପଦକ୍ଷେପ ନେଇଛି । ଲକ୍ଷଣ ଥିବା ରୋଗୀ ତୁରନ୍ତ ନିଜର କରୋନା ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ସଂକ୍ରମଣ ବୃଦ୍ଧି ପାଇଥିଲେ ବି ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ନଭେମ୍ବରରେ ଓଡ଼ିଶାରରେ ପିକ୍ ଛୁଇଁଥିଲା କରୋନା । ସଂକ୍ରମଣ ବୃଦ୍ଧି ହେଉଥିଲେ ବି ରୋଗୀ ଗୁରୁତର ହେଉନାହାନ୍ତି, ଡାକ୍ତରଖାନାରେ ଆଡମିଟ୍ ବି ହେଉନାହାନ୍ତି ।

ରାଜ୍ୟମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ:

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ରାଜ୍ୟମାନଙ୍କୁ ସତର୍କ ରହିବା ସହ କୋଭିଡ୍-୧୯ ପରିଚାଳନା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା ପାଇଁ ମାଣ୍ଡବୀୟ ଶୁକ୍ରବାର ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଥିଲେ ‌।

ଅଧିକ ମାମଲା ରିପୋର୍ଟ ହେଉଥିବା ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରିବା, ଟେଷ୍ଟିଂ ବୃଦ୍ଧି କରିବା ଓ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ପ୍ରସ୍ତୁତି ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହାଛଡ଼ା ସେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜିନୋମ ସିକ୍ୱେନ୍ସିଂ ଏବଂ ପଜିଟିଭ୍ ନମୁନାଗୁଡ଼ିକର ପୁରା ଜିନୋମ ସିକ୍ବେନ୍ସିଂ ବଢ଼ାଇବା ସହିତ କୋଭିଡ୍ ନିୟମ ପାଳନ କରିବା ପାଇଁ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ମାଣ୍ଡବୀୟ କହିଛନ୍ତି ଯେ ଗତ ଥର କୋଭିଡ-୧୯ର ପ୍ରତିଷେଧକ ବ୍ୟବସ୍ଥା ଏବଂ ପରିଚାଳନା ସମୟରେ କେନ୍ଦ୍ର ଏବଂ ରାଜ୍ୟ ଯେପରି ମିଳିତ ଭାବେ କାର୍ଯ୍ୟ କରିଥିଲେ ତାହା ଜାରି ରହିବା ଆବଶ୍ୟକ ।

ଏପ୍ରିଲ ୧୦ ଓ ୧୧ରେ ସମସ୍ତ ଡ଼ାକ୍ତରଖାନାରେ ‘ମକ୍ ଡ୍ରିଲ୍’ କରିବା ସହ ଏପ୍ରିଲ୍ ୮, ୯ରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିବାକୁ ସେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ।

Share this story