ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; କିଛି ଏପରି ଦେଲେ ନିର୍ଦ୍ଦେଶ...
ଓଡ଼ିଆ ଗସିପ ବ୍ୟୁରୋ : ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକାରୀ ଓ ସଚିବମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟସ୍ଥଳ ବୁଲି ଦେଖିବା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଯେପରି ଠିକ୍ ଭାବରେ ଉନ୍ନତି ହେବ, ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ନର୍ସିଂ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ନର୍ସିଂ ଛାତ୍ରମାନଙ୍କୁ ଅତିରିକ୍ତ ପ୍ରଶିକ୍ଷଣ, ସ୍ନାତକମାନଙ୍କର କୌଶଳର ଗୁଣାତ୍ମକ ବୃଦ୍ଧି, ପାଠ୍ୟକ୍ରମରେ ପରିବର୍ତ୍ତନ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଣାଳୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ ।
ଏଥିସହିତ ଓଡ଼ିଶାରେ ନର୍ସିଂ ଏବଂ ମିଡ୍ ୱାଇଫେରୀ କ୍ଷେତ୍ରରେ ସୁଧାର ନିମନ୍ତେ ବିଶେଷ ଆଲୋଚନା ହୋଇଥିଲା। ମେଡିକାଲ ଶିକ୍ଷାରେ ସିଟ୍ ବୃଦ୍ଧି, ଏସସିବି ମେଡିକାଲ କଲେଜ, ଏମକେସିଜି ଏବଂ ଭିମସାର ଭଳି ଅନୁଷ୍ଠାନ ମାନଙ୍କରେ ସୁପର ସ୍ପେଶାଲିଟି ସର୍ଭିସକୁ ଆହୁରି ବ୍ୟାପକ ଏବଂ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରାଜ୍ୟସ୍ତରୀୟ କାର୍ୟ୍ୟାନ୍ୱୟନ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।
ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ବର୍ଷିଆ ଡିଏନ୍ବି ଡିପ୍ଲୋମା ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା। ଓଡ଼ିଶାରେ ଆୟୁଷ ଡାକ୍ତରମାନଙ୍କର ସେବାକୁ ଅଗ୍ରାଧିକାର ଦେବା ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ଆର୍ୟୁବେଦିକ ଓ ହୋମିଓପାଥି ମେଡିସିନର ଉପଲବ୍ଧତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି।
ଏସ୍ସିବି ମେଡିକାଲରେ ଟ୍ରମା କେୟାର ନିର୍ମାଣର ଅଗ୍ରଗତି, ଭିତ୍ତିଭୂମି ବିକାଶ ବିଷୟରେ ଆଲୋଚନା ହୋଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସହ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
