ସୁନ୍ଦରୀ ସୁନ୍ଦରଗଡ଼ର... ଛାତି ଚିରିଦେଲେ କୋଇଲା ହିଁ କୋଇଲା

Sundargarh Story Mining Plight

ଓଡ଼ିଆ ଗସିପ ସ୍ପେସିଆଲ (ଲେଖକ- ରାମ କୃଷ୍ଣ ଡାକୁଆ): ବଳକା ଓଡ଼ିଶାକୁ ଖିସି ରଖିବାକୁ ଯାଇ ନିଜର ସ୍ୱର୍ବସ୍ୱ ହରାଇ, ଐଶ୍ଚର୍ଯ୍ୟ ବାଜିରେ ଲଗାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସୁନ୍ଦରୀ ସୁନ୍ଦରଗଡ଼ ଏବେ ଉତ୍ସବ ପାଳି ଉତ୍ସାହିତ ହେଉଛି । ଅବଶ୍ୟ ସହରିଆ ହିଁ ଉତ୍ସବର ଆନନ୍ଦ ଉଠାଇ ଏହାର ଆନନ୍ଦ ନେଉଥିବା ବେଳେ ଜନଜାତି, ସାଧାରଣ ଜନଗଣ କିନ୍ତୁ ଯୋଜନ ଯୋଜନ ଦୂରରେ ରହି ଭାଗ୍ୟକୁ ନିନ୍ଦିତ କରୁଛନ୍ତି । ପାହାଡ଼ ତଳେ, ନଦୀ କୁଳେ, ଖଣି ନିକଟରେ ରାତିର ଚାନ୍ଦକୁ ସରଗ ସୁଖ ଭାବି ଶାନ୍ତିରେ ନିଶ୍ୱାସ ମାରୁଛନ୍ତି । ଅବଶ୍ୟ ବିଷ ମିଶିଥିବା ପବନ ତାଙ୍କୁ ତିଳ ତିଳ କରି ମାରୁଥାଉ ନା କାହିଁକି । ହଉ, ସଂସ୍ଥା ଚାଲୁ ନ୍ୟାୟରେ ସେମାନେ ବି ଏହାକୁ ଅଣଦେଖା କରି ଚାଲନ୍ତୁ ସହରିଆ ବି ସେଲିବ୍ରେସନର ଧୁମରେ ନାଚନ୍ତୁ, ଗାଆନ୍ତୁ ଜୀବନକୁ ଜିଅନ୍ତୁ । ମୂଳ ନିବାସୀ କଥା ବୁଝିଲେ କେତେ, ବା ନ ବୁଝିଲେ କେତେ ରାଜ୍ୟରେ ତ ଏବେ 'ଲୋକଙ୍କ ସରକାର' ରାଜ୍ କରୁଛି । ହାତ ଗଣତି ଲୋକେ ଦୁଃଖରେ ରହିଲେ କାହାର ବି କ'ଣ ଯାଏ ଆସେ ? ମୁଁ ବ୍ୟଥିତ ହେବା ଯାହା ସାର, କାହିଁକି ତଳେ ବର୍ଣ୍ଣନା କରୁଛି । 

ଆପଣଙ୍କୁ ହୁଏତ ମିଛ ମୋତେ କିନ୍ତୁ ସତ, ସୁନ୍ଦରୀ ସୁନ୍ଦରଗଡ଼ର 'ଛାତି ଚିରି ଦେଲେ କୋଇଲା ହିଁ କୋଇଲା' । ଏଇ ନିକଟରେ ପ୍ରାକୃତିକ ସମ୍ପଦର ଭଣ୍ଡାର ଓଡ଼ିଶା ବିକାଶର ଶ୍ରୀମନ୍ଦିର ସୁନ୍ଦରୀ ସୁନ୍ଦରଗଡ଼କୁ ଭ୍ରମଣରେ ଯିବାକୁ ଅବସର ମିଳିଥିଲା । ପର୍ଯ୍ୟଟନ ଋତୁରେ କିଏ କେତେ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର, ବେଳାଭୂମି, ମନ୍ଦିରକୁ ବାଛୁଥାନ୍ତି ମୁଁ କିନ୍ତୁ ''ବିନାଶ ବିନା ବିକାଶ ଅସମ୍ଭବ" ବୋଲି ଯାହାକୁ ଉଦାହରଣ ଦିଆଯାଏ ତାକୁ ଅତି ପାଖରୁ ଏତେ ପାଖରୁ ଯେ ତା ମାଟିରେ ଚାଲିବା, ତା ପାଣିକୁ ପିଇବା ତା ପବନକୁ ନିଶ୍ୱାସରେ ନେବାକୁ ସ୍ଥିର କରିଥିଲି । ଆଉ ଏଥିପାଇଁ ଅବଶୋଷ କରିବାର କୌଣସି କାରଣ ହିଁ ନଥିଲା । 

ଯେତେବେଳେ 'ଜୀବିକା ଉପରେ ଜୀବନ ବୋଝ ହୋଇ ବ୍ୟସ୍ ବିବ୍ରତ କରିବାର ଦୁର୍ବାର ଅସଫଳ ପ୍ରୟାସ କରେ ସେତେବେଳେ ନିଜ ସୃଜନଶୀଳତା ହିଁ ସଂଜୀବନୀ ହୋଇ ନୂଆ ଅୟମାରମ୍ଭର ଶୁଭ ଶଙ୍ଖ ଫୁଙ୍କୁଥାଏ ଆଉ ସେହି ସୃଜନଶୀଳତାହିଁ ଆହା-ରାହା-ସାହା ଓ ତେଲ ଲୁଣର ସଂସାର ରଥକୁ ଆଗକୁ ଗଡ଼ାଇ ନିଏ ତାହା ପ୍ରମାଣିତ କରିବାକୁ ଚାହୁଁଥିଲି । ଆଉ କଣ ବାସ୍, ନିଷ୍ପତ୍ତି ନିଆ ସରିଥିଲା, ଯୋଜନା ସରିସାରିଥିଲା, ମନ ବୁଝି ସାରିଥିଲାା ଲକ୍ଷ୍ୟ ସ୍ଥଳ ବି ନିର୍ଦ୍ଧାରିତ ହୋଇ ସାରିଥିଲା । ରାଜଧାନୀର ଅନ୍ଧାର ରାତିକୁ ଘରୋଇ ବସର ଚିକିମିକ୍ କରୁଥିବା ହେଡ୍ ଲାଇଟ୍ ଆଡ଼େଇ ଆଡ଼େଇ ଆଗକୁ ବଢୁଥିଲା ଆଉ ମୋ ଲକ୍ଷ୍ୟ ସ୍ଥଳ ପାଖକୁ ପାଖକୁ ଆହୁରି ପାଖକୁ ଆସୁଥିଲା କିନ୍ତୁ ମୁଁ କେଉଁ ଏକ ଭାବନା ରାଇଜରେ ବୁଲୁ ବୁଲୁ ନିଘୋଡ଼ ନିଦରେ ଘୁଁଘୁଁଡ଼ି ମାରୁଥିଲି । 

ରାତି ପାହିବାକୁ ଅଳପ ବାକିଥିଲା, ଶୀତ କଣ୍ଟା ଦେହ ସାରା ଯନ୍ତ୍ରଣା ଦେଉଥିଲା ଆଉ କଣ ଏସବୁକୁ ପରବାଏ ନ କରି ସୁନ୍ଦରଗଡ଼ର ଆମନ୍ତ୍ରଣକୁ ଆଦରି ନେଇଥିବା ମୁଁ ବି ତାକୁ ଉଷୁମ୍ ଛୁଆଁରେ ନିଜର କରିନେଲି ଆଉ ସେ ମୋତେ ବି । ସହରରେ ଭିଡ଼ ବଢିବା ଆଗରୁ କୋଳାହଳ ଅନ୍ୟମନସ୍କ କରିବା ପୂ୍ର୍ବରୁ ମୁଁ ବାହାରି ପଡ଼ିଥିଲି ଅଜଣା ଜାଗାକୁ କିଛି ଚିହ୍ନା ପରିଚିତ ଲୋକଙ୍କ ସାଙ୍ଗରେ । ସେମାନଙ୍କ ଗହଣରେ ଯାହା ଜାଣିବାକୁ ପାଇଲି ତାହା ଆପଣ ଉଣା ଅଧିକେ ଜାଣିବେ ସତକୁ ସତ ସୁନ୍ଦରଗଡ଼ର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ଆପଣ ଯଦି କଲମ ମୁନରେ ମାଟି ତାଡ଼ିବେ ତେବେ ମୋରମ୍ ନୁହଁ ଆପଣଙ୍କୁ କୋଇଲା ମିଳିବ । ଏତେ କୋଇଲା ଯେ, ପୁରୁଷ ପୁରୁଷ ଧରି ଯେତେ ଖୋଳିଲେ ବି ସରିବନି । ଏବେ ତାହାର ଝଲକ ସବୁ ମୋ ଆଖି ସାମ୍ନାକୁ ଆସୁଥାଏ ।

 ରାସ୍ତାସାରା କଳା ଧୂଆଁ, ଡିସେମ୍ବର ମାସର ଅନ୍ତିମ ସପ୍ତାହର ଶୀତକୁ ଅଟ୍ଟହାସ୍ୟ କରି କୁହୁଡ଼ି ଯେମିତି ଆକାଶକୁ ଢାଙ୍କିବାକୁ ଚେଷ୍ଟା କରୁଥିଲା କୋଇଲା ଖଣିର ବିଶାକ୍ତ ଧୂଆଁ ସେତିକି କୁହୁଡ଼ିର ଗୋରା ତକ ତକ ଦେହକୁ କଳା କରୁଥିଲା । ଯେତେ ଗାଡ଼ି ଆମକୁ ଅତିକ୍ରମ କରି ଯାଉଥିଲେ ସେମାନଙ୍କୁ ଆଖିରେ ଦେଖି ହେଉ ନଖିଲା । ଲାଗୁଥିଲା କଳାହାଣ୍ଡିଆ ମେଘ ରାଇଜରୁ ସେମାନେ ଅତିଷ୍ଠ ହୋଇ କୁଆଡ଼େ ଗୋଟେ ଫେରିଯିବାକୁ ଉଦ୍ୟତ ହେଉଥାଏ । ସ୍ଥାନେ ସ୍ଥାନେ ଜଳ ସିଞ୍ଚନ ଗାଡି ରାସ୍ତାରେ ଜଳ ସିଞ୍ଚନ କରି ଯେତେ ଥର ପରିବେଶକୁ ସଫା ରଖିବାକୁ ଚେଷ୍ଟା କରୁଥିଲା ସେତିକି ବିଫଳ ବି ହେଉଥିଲା । ଜାଣିବାକୁ ଏହା ବି ପାଇଲି ଯେ, ଏମିତି ପରିବେଶ ଓ ପରିସ୍ଥିତିରେ ଏଠି ଦୁର୍ଘଟଣା ଏକ ସାଧାରଣ ଘଟଣା । କିଛି ସମୟ ପାଇଁ ଅନୁଭବ ହେଲା ଯେ, 'ସୁନ୍ଦରଗଡ଼ରେ ଜନମ ନେବା ଯାହା ମଲା ପରେ ନର୍କକୁ ଯିବା ତାହା' ହୁଏତ ମୁଁ ଭୁଲ୍ ଆଉ ଆପଣମାନେ ଠିକ୍ , ଏୟା ହିଁ ହେଉ ସମସ୍ତେ ଏଠି ଖୁସିରେ ଜୀବନ ଅତିବାହିତ କରନ୍ତୁ । 

ବାସ୍ତବିକ କିନ୍ତୁ ସତ ଏହା ଯେ, ବିସ୍ଥାପିତ ଖୁସି ନାହାନ୍ତି, ବିସ୍ଥାପିତଙ୍କ ପାଇଁ ସ୍ୱର ଉଠାଉଥିବା ବ୍ୟକ୍ତି ବିଶେଷ, ସଂସ୍ଥା, ସଂଗଠନ, ସରକାର, ନେତା, ଅଭିନେତା ବି ଖୁସି ନଥିବେ । ଯତରା ଉତ୍ସବର ଫଟୋ ଭିଡିଓ ଓ ସେଲିବ୍ରେସନ୍ ଦେଖିବା ପରେ ତାହା ଭୁଲ୍ ବୋଲି ପ୍ରମାଣିତ ହେବାକୁ ବିଳମ୍ବ ନଥିଲା, କିନ୍ତୁ ମୁଁ ଅନୁଭବ କଲି ସୁନ୍ଦରଗଡ଼ରେ ସବୁ କିଛି ସୁରୁ ଖୁରୁରେ ଚାଲିଛି । ଚାଷୀ ଖୁସି ଅଛନ୍ତି ବୋଧେ କଟନୀ ଛଟନିର ଆଉ ଦାଉ ସାଧୁନଥିବ । ସାଧାରଣ ଜନତା ବୋଝେ ଆଇନ୍ କାନୁନ୍ ମାନୁଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଉପହାର ସ୍ୱରୂପ ଜିଲ୍ଲାର ଲୋକକଳା, ସଂସ୍କୃତି, ପରମ୍ପରା ଐତିହ୍ୟ ସୁରକ୍ଷା, ପ୍ରୋତ୍ସାହନ ଆଦି ପାଇଁ ଏତେ ପ୍ରୟାସ କରୁଛନ୍ତି । ସେ ଯାହା ବି ହେଉ ଆପଣଙ୍କୁ ପୁଣି ନଇ ଯାଉଛି କୋଇଲା ଖଣି ଅଞ୍ଚଳକୁ, ହିମଗିରି ଯେଉଁଠି କୋଇଲା ହିଁ କୋଇଲା । ଏତେ କୋଇଲା ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ହଁ, ଯଦି କେବେ ବିଶ୍ୱାସ ହେଉନି କେବେ ଥରେ ଅଧେ ଯାଇ ଦେଖି କି ଆସନ୍ତୁ । ବିକାଶ ପାଇଁ ଏ ବିନାଶକୁ ହସି ହସି କେବଳ ସୁନ୍ଦରଗଡ଼ କାହିଁକି ଆମେ ବି ସାଦରେ ଗ୍ରହଣ କରିନେଇଛି । ହୁଏତ ପରିଣାମ ଏହା ଯେ, କିଛି ଲୋକଙ୍କୁ ଗାଁ ଛାଡ଼ିବାକୁ ପଡ଼େ, ପଡ଼ା ଛାଡ଼ିବାକୁ ପଡ଼େ, ଏମିତି ବ୍ଲକ ଓ ଜିଲ୍ଲା ବି ଛାଡ଼ିବାକୁ ପଡ଼ୁନା କାହିଁକି ।

 କୋଇଲା ପରିବହନ ରାସ୍ତା ବିପର୍ଯ୍ୟସ୍ତ ହୋଇ ଦୁର୍ଘଟଣା ଘଟି ଜୀବନ ଯାଉ ପଛେ, ପରିବେଶ ପ୍ରଦୂଷଣ ସୀମା ପାର୍ କରୁ ପଛେ, ଖରା ଦିନେ ତ୍ରାହି ତ୍ରାହି ଲୋକେ ଡାକନ୍ତୁ ପଛେ, ବର୍ଷା ଦିନେ ଜଳ ମୁନ୍ଦେ ବି ଭାଗ୍ୟରେ ନ ଥାଉ ପଛେ ଆମେ କିନ୍ତୁ ଖଣିଜ ଉତ୍ତୋଳନ,ପରିବହନ, ରପ୍ତାନୀ କରି ଜିଲ୍ଲା ଖଣିଜ ପାଣ୍ଠିକୁ ଭର୍ତ୍ତି କରି ଚାଲିବା ପଛେ ଆମେ ସେ ସଞ୍ଚିତ ଅର୍ଥରେ ନାଟ ଯାତେରା ମେଳା ମହୋତ୍ସବ କରୁ ପଛେ । ସ୍କୁଲ, କଲେଜ, ପକ୍କା ସଡ଼କ , ସ୍ୱାସ୍ଥ୍ୟ ସଚେତନତା, ଅନ୍ୟ ପ୍ରାନ୍ତରେ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପାଇଁ ସରକାର, ପ୍ରଶାସନ, ଏନଜିଓ ଶିଳ୍ପ ସଂସ୍ଥା ସମୂହ ତ ଅଛନ୍ତି ନା, ତେଣୁ ବିନାଶରୁ ଯଦି ବିକାଶ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନକୁ ସାକାର କରୁଛି ଆମେ କେବଳ ଦେଖେଣାହାରି ହେବାରେ କ୍ଷତି କଣ । ବାକି ଇତିହାସ ଆମ ପାଇଁ ପର ପିଢି ଲାଗି ପ୍ରଶ୍ନ ତ ପ୍ରସ୍ତୁତ କରି ରଖିଛି, ଆମକୁ କଣ ମିଳିଥିଲା ଆଉ ଆମେ କଣ ଛାଡ଼ିକି ଯିବା ଏସବୁ କେବେ ସମୟ ମିଳିଲେ ମୁଁ, ଆପଣ, ସେମାନେ ସମସ୍ତେ ଯେଉଁମାନେ ଶାସନରେ ଅଛନ୍ତି, ପ୍ରଶାସନରେ ଅଛନ୍ତି, ଶିଳ୍ପ ସଂସ୍ଥା ଓ ଖଣି ମାଲିକ ରହିଛନ୍ତି । 

ମାଟି ଖୋଳିବା ମନା ନାହିଁ କୋଇଲା ନେବା ମନା ନାହିଁ କିନ୍ତୁ ଆସନ୍ତୁ ଥରେ ମାଟି ମାଆ ପାଇଁ ଯାହା କିଛି ହୋଇପାରିବ ସୁନ୍ଦରୀ ସୁନ୍ଦରଗଡ଼କୁ ଅକ୍ଷତ ରଖି ବିନାଶ କମ୍ କରି ବିକାଶକୁ ଗତି ଦେବା ।

(ସୌଜନ୍ୟ: LinkedIn Post)

Share this story