କଟକଣା ଲାଗୁ କଲେ ରାଜ୍ୟ ସରକାର; ଆଜିଠୁ ସମୁଦ୍ରରେ ମାଛଧରା ନିଷେଧ

ଓଡ଼ିଆ ଗସିପ ବ୍ୟୁରୋ : ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ । ଏପ୍ରିଲ ୧୫ରୁ ଜୁନ ୧୪ ଯାଏ, ଅର୍ଥାତ ଆଜିଠୁ ଆଗାମୀ ୬୧ ଦିନ ପାଇଁ ଏହି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି । ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି । ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଇନ ଅମାନ୍ୟ କଲେ ମତ୍ସ୍ୟଜୀବୀଙ୍କୁ ଜେଲ୍ ଓ ଜରିମାନା ଭୋଗିବାକୁ ପଡିପାରେ । ମାଛଧରା ବନ୍ଦ ଦ୍ୱାରା କେବଳ ପାରାଦୀପରେ ପ୍ରାୟ ୭ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି ।
ମାଛଧରା ବନ୍ଦରରେ ଟ୍ରଲରଗୁଡିକୁ ବାନ୍ଧି, ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଜୀବୀମାନେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ୬୧ ଦିନିଆ ଅଙ୍କୁଶ ଆଜି ଠାରୁ ଲାଗୁ ହେଉଥିବା ଜଣାପଡ଼ିଛି ।