ଭୁବନେଶ୍ବର ଆର୍ଯ୍ୟସମାଜ ବିବାଦ: ପିଟିସନ୍ ଖାରଜ କଲେ ହାଇକୋର୍ଟ; ବିକାଶ ଓ ସୁଦର୍ଶନ ଗୋଷ୍ଠୀଙ୍କୁ ଝଟକା

Arya samaj property loot case in Bhubaneswar follow up

ଭୁବନେଶ୍ବର (ଓଡ଼ିଆ ଗସିପ ବ୍ୟୁରୋ): ଭୁବନେଶ୍ବର ସହିଦନଗରସ୍ଥିତ ଆର୍ଯ୍ୟସମା ବିବାଦ ମାମଲାରେ ଅଭିଯୋଗକାରୀଙ୍କ ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ଫଳରେ କଳେ ବଳେ କୌଶଳେ ସଭାପତି ଇଂ ପ୍ରିୟବ୍ରତ ଦାସଙ୍କୁ ହଟାଇ ଆର୍ଯ୍ୟସମାଜକୁ କବ୍ଜା କରିବାକୁ ଉଦ୍ୟମ କରୁଥିବା ବିକାଶ ପଣ୍ଡା ଓ ସୁଦର୍ଶନ ପାତ୍ରଙ୍କ ଷଡ଼ଯନ୍ତ୍ର ଫସର ଫାଟିଯାଇଛି।

ମାମଲାର ବିବରଣୀରୁ ଜଣାଯାଇଛି ଯେ, ଆର୍ଯ୍ୟସମାଜ, ସହିଦନଗରର ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ଦାସ ଓ ସମ୍ପାଦକ ବୀରେନ୍ଦ୍ର କରଙ୍କ ନେତୃତ୍ବରେ ଗଠିତ କମିଟି ସଦସ୍ୟମାନେ ଗତ ଶିବରାତ୍ରି ଦିନ ଋଷି ବୋଧତ୍ସବ ପାଳନ କରୁଥିବାବେଳେ ନିଜକୁ ସମ୍ପାଦକ ବୋଲି କହି ବିକାଶ ପଣ୍ଡା, ନୂଆପଡ଼ା ସ୍ଥିତ ଗୁରୁକୁଳ ହରିପୁରର ସଂଚାଳକ ସୁଦର୍ଶନଙ୍କ ସହ ପ୍ରଶାନ୍ତ ଦାଶ, ସୁବ୍ରତ ସାମଲ, ଅଭିଷେକ ଗୁପ୍ତା,  ରଶ୍ମୀ ଗୁପ୍ତା, ବିନୋଦିନୀ ପଣ୍ଡା, ସୌଦାମିନୀ ପଣ୍ଡା ପ୍ରମୁଖ ସାଙ୍ଗରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଅସାମାଜିକ ବ୍ୟକ୍ତି ଓ କିଛି ମହିଳାଙ୍କୁ ଧରି ଆର୍ଯ୍ୟସମାଜ ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସମ୍ପାଦକ ଓ କେତେକ ସଦସ୍ୟା/ସଦସ୍ୟଙ୍କୁ ମାଡ଼ ମାରିବା ସହ ଆତଙ୍କରାଜ ସୃଷ୍ଟି କରିଥିଲେ। ଖବର ପାଇ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆକ୍ରମଣକାରୀ ବିକାଶ-ସୁଦର୍ଶନ ଗୋଷ୍ଠୀଙ୍କୁ ଆର୍ଯ୍ୟସମାଜ ପରିସରରୁ ବାହାର କରି ଦେଇଥିଲେ। ଏ ସମ୍ପର୍କରେ ସହିଦନଗର ଥାନାରେ ସମ୍ପାଦକ ବୀରେନ୍ଦ୍ର କରଙ୍କ ପକ୍ଷରୁ ଏତଲା ଦାଏର କରାଯାଇଥିଲା। ୨୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା।

କିନ୍ତୁ ନିଜକୁ ସମ୍ପାଦକ ଓ ସହ ସମ୍ପାଦକ ବୋଲି ଦାବି କରି ବିକାଶ ପଣ୍ଡା ଓ ପ୍ରଶାନ୍ତ ଦାଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସ ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁ ଓ ସେମାନଙ୍କୁ ଆର୍ଯ୍ୟସମାଜକୁ ପ୍ରବେଶ କରିବାକୁ ଦିଆଯାଉ ବୋଲି ଅଦାଲତରେ ପ୍ରାର୍ଥନା କରିଥିଲେ। ଗତ ମାର୍ଚ୍ଚ ୨୦ ତାରିଖରେ ବିଚାରପତି ଭି. ନରସିଂହଙ୍କ ଅଦାଲତରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଗତ ଅପ୍ରେଲ ୬ ତାରିଖରେ ମାନ୍ୟବର ବିଚାରପତି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସହିଦନଗର ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୯ ତାରିଖରେ ପୁଲିସ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ପୁଲିସ୍ ରିପୋର୍ଟ ଆଧାରରେ ମାନ୍ୟବର ବିଚାରପତି ମାମଲାଟିକୁ ଖାରଜ କରି ଦେଇଥିଲେ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ପୁଲିସ କମିଶନର, ଡିସିପି ଓ ସହିଦନଗର ଥାନା ଅଧିକାରୀଙ୍କ ସମେତ ଆର୍ଯ୍ୟସମାଜର ସଭାପତି ପ୍ରିୟବ୍ରତ ଦାସ ଓ ଅନ୍ୟ ୬ ସଦସ୍ୟଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଅଭିଯୋଗକାରୀଙ୍କ ପକ୍ଷରୁ ମନ୍ମୟ କୁମାର ଦାଶ ଓ ସରକାରଙ୍କ ପକ୍ଷରୁ କେ.କେ. ଗୟା ଏହି ମାମଲା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ପ୍ରତିପକ୍ଷ  ବିକାଶ ପଣ୍ଡା ଓ ଅନ୍ୟ ସଦସ୍ୟମାନଙ୍କ ପକ୍ଷରୁ ଆର୍ଯ୍ୟସମାଜରେ ୧୪୪ ଧାରା ଜାରି କରିବାକୁ କମିଶନରେଟ ପୁଲିସର ଏକ୍ସିକୁୟଟିଭ୍ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଦାଏର ଅନ୍ୟ ଏକ ମାମଲାକୁ ମଧ୍ୟ ମାଜିଷ୍ଟ୍ରେଟ ଗତ ୯ ତାରିଖ ଦିନ ଖାରଜ କରିଦେଇଛନ୍ତି। ସମ୍ପାଦକ ବୀରେନ୍ଦ୍ର କରଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ଆର୍ଯ୍ୟସମାଜ ପରିସରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଯେଭଳି ବ୍ୟାହତ ନହୁଏ ତାହା ତଦାରଖ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Share this story