ଶ୍ରମିକ ପ୍ରସଙ୍ଗରେ ମିଥ୍ୟା ଗୁଜବ ପ୍ରଚାର ଅଭିଯୋଗ, ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘର ଦୃଢ଼ ପ୍ରତିବାଦ

Allegations of spreading false rumors on labor issues Paradip-Erasma Industrial Area Workers Union strongly protests

 

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ପାରାଦ୍ଵୀପ): ଶ୍ରମିକଙ୍କ ସମସ୍ୟା ଓ ବାମନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ତଥ୍ୟକୁ ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତୀବ୍ର ପ୍ରତିବାଦ ଜଣାଇଛି। ଏକ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନ ଦ୍ୱାରା ଶିଳ୍ପମନ୍ତ୍ରୀଙ୍କ ପ୍ରରୋଚନାରେ ଭ୍ରାନ୍ତିକର ତଥ୍ୟ ପ୍ରଚାର କରାଯାଉଥିବା ସଂଘ ଅଭିଯୋଗ କରିଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, କିଛି ହାତଗଣତି ଶ୍ରମିକଙ୍କୁ ନେଇ ହୋଇଥିବା କାର୍ଯ୍ୟକ୍ରମ ମାଧ୍ୟମରେ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘକୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ଯେଉଁ ଶ୍ରମିକମାନେ ପୂର୍ବରୁ ସଂଘର ସଦସ୍ୟ ନଥିଲେ, ସେମାନଙ୍କୁ ନେଇ ‘ମିଶ୍ରଣ ପର୍ବ’ କରି ଭ୍ରମ ସୃଷ୍ଟି କରାଯାଉଥିବା ସଂଘ ଦାବି କରିଛି।

ସଂଘର ସୂଚନା ଅନୁଯାୟୀ, ବାମନ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍‌ରେ କାର୍ଯ୍ୟରତ ଶ୍ରମିକମାନଙ୍କର ଫୁଲ୍ ଆଣ୍ଡ ଫାଇନାଲ୍ ବାବଦରେ ପ୍ରାୟ ୧ କୋଟି ୨୧ ଲକ୍ଷ ଟଙ୍କାରୁ ଅଧିକ ବକେୟା ଅର୍ଥ ରହିଥିଲା। ଏହି ସମସ୍ୟା ନେଇ ଶ୍ରମିକମାନେ ସଂଘର ସଭାପତି ବାପି ସର୍ଖେଲଙ୍କ ନିକଟରେ ଦୃଷ୍ଟିଆକର୍ଷଣ କରିଥିଲେ।

ପରେ ସଂଘ ପକ୍ଷରୁ ଉପ-ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ), ଭୁବନେଶ୍ୱର, JSW Infra PEQCTPL କର୍ତ୍ତୃପକ୍ଷ ଏବଂ ବାମନ ଇଞ୍ଜିନିୟର୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାର ଫଳସ୍ୱରୂପ ୩୦ ମାର୍ଚ୍ଚ ୨୦୨୬ରେ ଉପ-ମୁଖ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ସଂଘ ପକ୍ଷରୁ କୁହାଯାଇଛି।

ଏହି ଚୁକ୍ତି ଅନୁସାରେ ବାମନ ଇଞ୍ଜିନିୟର୍ସ ଅଧୀନରେ କାର୍ଯ୍ୟରତ ୬୪୦ ଜଣ ଠିକା ଶ୍ରମିକଙ୍କୁ ବକେୟା ପାଉଣା ପ୍ରଦାନ କରାଯାଇଥିବା ସଂଘ ଦାବି କରିଛି। ଏହା ଆଇନସମ୍ମତ ପ୍ରକ୍ରିୟାରେ ହୋଇଥିବା ଏବଂ ସମସ୍ତ ଶ୍ରମିକ ଏଥିରୁ ଲାଭାନ୍ୱିତ ହୋଇଥିବା କୁହାଯାଇଛି।

ସଂଘ ଅଭିଯୋଗ କରିଛି ଯେ, ଏହି ସଫଳତା ପରେ ଭ୍ରାନ୍ତିକର ତଥ୍ୟ ପ୍ରଚାର କରି ଶ୍ରମିକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ଉଦ୍ୟମ କରାଯାଉଛି। ଶ୍ରମିକଙ୍କ ସ୍ୱାର୍ଥ ପାଇଁ ସଂଘ ସବୁବେଳେ ଲଢ଼େଇ ଜାରି ରଖିବ ବୋଲି ସଭାପତି ବାପି ସର୍ଖେଲ କହିଛନ୍ତି।

ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ରାଜନୈତିକ ଉଦ୍ଦେଶ୍ୟରେ ଶ୍ରମିକ ପ୍ରସଙ୍ଗକୁ ବ୍ୟବହାର ନକରି ପ୍ରକୃତ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦିଆଯିବା ଉଚିତ। ଶ୍ରମିକଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ ସଂଘ ଆଗକୁ ମଧ୍ୟ ନିଜର ଲଢ଼େଇ ଜାରି ରଖିବ ବୋଲି ପ୍ରକାଶ କରିଛି।

Share this story