ସମାଜର ପ୍ରାଚୀର ଭାଙ୍ଗି କିନ୍ନରଙ୍କ ହାତ ଧରିଲେ ଯୁବକ, ଏମିତି ଗଢି ଉଠିଥିଲା ପ୍ରେମ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନବରଙ୍ଗପୁର): କୁହାଯାଏ ପ୍ରେମ ଅନ୍ଧ, ଏହା ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲିଙ୍ଗର ଭେଦଭାବ ବୁଝେ ନାହିଁ। ପ୍ରେମର ଦୁନିଆରେ କେବଳ ଦୁଇଟି ମନର ମିଳନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଯୁବକ ଓ କିନ୍ନର ।
ସମାଜର କଟାକ୍ଷ ଏବଂ ପରିବାରର ଶହ ଶହ ବାଧାବିଘ୍ନକୁ ଆଡ଼େଇ ଦେଇ ଶେଷରେ ଏହି ଦୁଇ ପ୍ରେମୀ ପକ୍ଷୀ ଏକ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅନନ୍ୟ ତଥା ନିଆରା ବାହାଘର, ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଯୁବକ ସତ୍ୟଜିତ ଆଚାର୍ଯ୍ୟ ସମସ୍ତ ସାମାଜିକ ପ୍ରଥାକୁ ପଛରେ ପକାଇ ଜଣେ କିନ୍ନରଙ୍କୁ ନିଜର ସହଧର୍ମିଣୀ ଭାବେ ଗ୍ରହଣ କରିଛନ୍ତି। ସମ୍ପୂର୍ଣ୍ଣ ଗନ୍ଧର୍ବ ରୀତିନୀତି ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ଉଭୟଙ୍କ ହାତଗଣ୍ଠି ପଡ଼ିଛି। ସତ୍ୟଜିତଙ୍କ ଏହି ସାହସିକ ପଦକ୍ଷେପକୁ ଅନେକେ ପ୍ରଶଂସା ମଧ୍ୟ କରୁଛନ୍ତି। "ପ୍ରେମ କୌଣସି ପ୍ରତିବନ୍ଧକ ମାନେନାହିଁ। ସମାଜ ଯାହା କହିଲେ ମଧ୍ୟ ମୁଁ ମୋ ପ୍ରେମକୁ ଆପଣେଇ ନେଇଛି ବୋଲି ସତ୍ୟଜିତ କହିଛନ୍ତି।
ଅଧିକ ପଢ଼ନ୍ତୁ : ୧୯୦ ଦେଶରେ ପାଳନ ହେଲା ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ
ମିଳିଥିବା ସୂଚନା ଅନୁସାରେ, ଦୀର୍ଘ ଦୁଇ ବର୍ଷ ତଳେ ଇନଷ୍ଟାଗ୍ରାମ ଜରିଆରେ ସତ୍ୟଜିତଙ୍କ ସହ କଳାହାଣ୍ଡି ଜିଲ୍ଲାର କିନ୍ନର ଶିବାନୀ ସାହୁଙ୍କ ସହ ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ଚାଟିଂ କରୁ କରୁ ଦୁହେଁ ପରସ୍ପରର ଖୁବ୍ ନିକଟତର ହୋଇଯାଇଥିଲେ। ଧୀରେ ଧୀରେ ସମୟ ଗଡ଼ିବା ସହିତ ଏହି ବନ୍ଧୁତ୍ୱ ନିବିଡ଼ ପ୍ରେମରେ ରୂପାନ୍ତରିତ ହୋଇଥିଲା। ଦୀର୍ଘ ଦୁଇ ବର୍ଷର ପ୍ରେମ ସମ୍ପର୍କକୁ ଏକ ପବିତ୍ର ରୂପ ଦେବା ପାଇଁ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ପରିବାର ଓ ସମାଜର ବିରୋଧ ସତ୍ତ୍ୱେ ସେମାନେ ନିଜ ପ୍ରେମକୁ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି। ଉମରକୋଟରେ ଥିବା କିନ୍ନର ଆଖଡ଼ା ଗୃହରେ ଏହି ବାହାଘର ଧୂମାଧାମରେ ସମ୍ପନ୍ନ ହୋଇଛି। ଏହି ନିଆରା ବିବାହ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
.png)
