ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ମିଳିବ ଚାକିରି

woman with job

ଓଡ଼ିଆ ଗସିପ ବ୍ୟୁରୋ: ସାଧାରଣତଃ କୌଣସି ସରକାରୀ ଚାକିରିଆ ଦେହାନ୍ତ ହୋଇଗଲେ ତାଙ୍କ ପତ୍ନୀ କିମ୍ବା ପୁଅ କୁ ମିଳେ ଚାକିରି । ହେଲେ ଏବେ ଏହାକୁ ନେଇ ଆସିଛି ଆଉ ଏକ ଖବର । ଏଣିକି ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅଙ୍କୁ ବି ମିଳିବ ଚାକିରି । ତେବେ ଏହି ନିୟମ ଓଡିଶା ସରକାର ଲାଗୁ କରି ନାହାନ୍ତି । ଉତ୍ତରପ୍ରଦେଶ ସରକାର ଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଏଣିକି ମୃତ ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ମଧ୍ୟ ସରକାରୀ ଚାକିରି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ମୃତ ଅଭିଭାବକଙ୍କ କୋଟାରେ ସମ୍ପୃକ୍ତ ବିଭାଗରେ ବିବାହିତ ଝିଅଙ୍କୁ ଥଇଥାନ କରାଯିବ । ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପର୍ସନାଲ ଡିପାର୍ଟମେଣ୍ଟ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଯୋଗୀ ସରକାର ମୋହର ମାରିଛନ୍ତି । ଅଦ୍ୟାବଧି ମୃତ ସରକାରୀ କର୍ମଚାରୀଙ୍କ ଅବିବାହିତ ବା ବିବାହିତ ପୁଅକୁ କୋଟାରେ ଚାକରି ପ୍ରଦାନ କରାଯାଉଥିଲା । ତେବେ ବିବାହିତ ଝିଅଙ୍କ ପାଇଁ ଏହି ବ୍ୟବସ୍ଥା ନଥିବାରୁ ସେମାନେ ଏହି ସୁବିଧାରୁ ବଞ୍ଚିତ ହୋଇଥିଲେ ।

ଅନେକ କ୍ଷେତ୍ରରେ ଯେଉଁ ଅଭିଭାବକଙ୍କର ଜଣେ ମାତ୍ର ବିବାହିତ ଝିଅ ଅଛନ୍ତି ସେମାନଙ୍କ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେହିପରି ପୁରୁଣା ବ୍ୟବସ୍ଥାକୁ ସଂଶୋଧନ କରି ଏବେ ବିବାହିତ ଝିଅ ମଧ୍ୟ ବାପ ଘର ପରିବାର ସଦସ୍ୟ ଭାବେ ବିବେଚିତ ହେବେ ବୋଲି କୁହାଯାଇଛି ।

ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ପରିବାରର ସଂଜ୍ଞାକୁ ନେଇ ଆପତ୍ତି ଉଠାଇଥିଲେ । ହାଇକୋର୍ଟ କହିଥିଲେ ଯେ, ବିବାହିତ ମହିଳା ପରିବାର ସଦସ୍ୟରୁ ବାଦ ପଡ଼ୁଥିବାରୁ ସେମାନେ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବଧାରୁ ବଞ୍ଚିତ ହେବା ଅସାମ୍ବିଧାନିକ ।
ଯାହା ସମ୍ବିଧାନର ଧାରା ୧୪ ଏବଂ ୧୫କୁ ବିରୋଧ କରୁଛି ।

ଏହା ପରେ କେନ୍ଦ୍ର ସରକାର ବିବାହିତ ମହିଳାଙ୍କୁ ପରିବାରର ସଦସ୍ୟ ସୀକୃତି ଦେଇଛନ୍ତି । ହାଇକୋର୍ଟ କହିଥିଲେ ଯେ, ବିବାହିତ ଭାଇଙ୍କ ଭଳି ବିବାହିତ ମହିଳାଙ୍କୁ ପରିବାର ସଦସ୍ୟର ମାନ୍ୟତା ଦେଇ ସେମାନଙ୍କୁ ସରକାରୀ ନିଯୁକ୍ତିରେ ସୁଯୋଗ ମିଳିବା ଉଚିତ । ମଞ୍ଜୁଳା ଶ୍ରୀବାସ୍ତବ ନାମ୍ନୀ ଜଣେ ମହିଳାଙ୍କ ଆବେଦନ ପରେ ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ରାୟ ଦେଇଥିଲେ ।

Share this story