ଭୟଙ୍କର ରୂପ ନେଇ ମାଡି ଆସୁଛି, ଅନ୍ୟସବୁ ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣା ଅଧିକ

Omicron virus

ଓଡ଼ିଆ ଗସିପ ବ୍ୟୁରୋ: ସାବଧାନ ରୁହନ୍ତୁ କାହିଁକିନା ଭୟଙ୍କର ରୂପ ନେଇ ମାଡି ଆସୁଛି କରୋନା ।  କାହିଁକି ଓମିକ୍ରନ ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ତୁଳନାରେ ବେଶ୍‌ ଅଧିକ ଶକ୍ତିଶାଳୀ । ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ପ୍ରଥମେ ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ବେଳେ ଏବେ ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି । ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଗବେଷଣାରୁ ନୂଆ ତଥ୍ୟ ହାସଲ କରିଛନ୍ତି ।

ପ୍ରାଥମିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ଓ ବିଟା ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ପୁନଃ ସଂକ୍ରମଣ ହେବାର ଆଶଙ୍କା ତିନି ଗୁଣ ଅଧିକ । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦ୍ୱାରା ସଂଗୃହୀତ ତଥ୍ୟକୁ  ଆଧାରିତ କରି ଏପରି ରିପୋର୍ଟ ପ୍ରକାଶ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟର ସମୀକ୍ଷା କରାଯାଇ ନାହିଁ ।

ନଭେମ୍ବର ୨୭ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ୨୮ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୬୭୦ ଜଣ ପୁନଃ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ କରୋନାର ସୁସ୍ଥ ହେବାର ୯୦ ଦିନ ପରେ ରିପୋର୍ଟ ପଜିଟିଭ ଆସେ, ତା’ହେଲେ ଏହାକୁ ପୁନଃ ସଂକ୍ରମଣ ଭାବେ ବିବେଚନା କରାଯାଏ ।

ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର୍ ଅଫ୍ ଏକ୍ସଲେନ୍ସର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଟ୍ୱିଟ୍ କରି କହିଛନ୍ତି ଯେ ଓମିକ୍ରନ ଡେଲ୍ଟା ଅପେକ୍ଷା ୩ ଗୁଣ ଅଧିକ ପୁନଃ ସଂକ୍ରମଣ କରିବାର କ୍ଷମତା ରଖିଛି । ପ୍ରଥମ ସଂକ୍ରମଣ ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିଙ୍କୁ ଏହା ମାତ୍‌ ଦେଇପାରୁଛି ।

ଦକ୍ଷିଣ ଆଫ୍ରିକାରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ପୂର୍ବରୁ ୩ଟି ଯାକ ୱେଭ ବେଳେ ମଧ୍ୟ ସଂକ୍ରମିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତଥାପି ସେମାନଙ୍କୁ ଓମିକ୍ରନ ଆଟାକ କରିବାକୁ ସକ୍ଷମ ହେଉଛି ।

କେବଳ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ନୁହେଁ, ଟିକା ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ମଧ୍ୟ ଓମିକ୍ରନ ମାତ ଦେବାର ଆଶଙ୍କା ରହୁଛି । ତଥାପି ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ । ସେହିପରି ଓମିକ୍ରନ ଜଣଙ୍କୁ କେତେ ମାତ୍ରାରେ ଗୁରୁତର କରୁଛି, ତା’ର ମଧ୍ୟ ଅନୁଧ୍ୟାନ ଜରୁରି ବୋଲି ସେ କହିଛନ୍ତି ।

Share this story