ଆସିଲା ଫଙ୍ଗସର ନୂଆ ଷ୍ଟ୍ରେନ, ରାଜଧାନୀରେ ନେଲାଣି 2 ଜୀବନ

new strain

ଓଡ଼ିଆ ଗସିପ ବ୍ୟୁରୋ: କରୋନାର ପ୍ରକୋପ ଶେଷ ହୋଇନି ଏପଟେ ଆସିଗଲାଣି ଆଉ ଗୋଟେ ଭାଇରସ । ଶୁଣିଲା ବେଳୁ ଭୟ ଲାଗୁଥିଲେ ବି କଥା ଟା ସତ । ଦେଶରେ ଫଙ୍ଗସର ଏକ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହି ନୂଆ ତଥା ଭୟାବହ ଷ୍ଟ୍ରେନ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛି ।

ଦିଲ୍ଲୀ ଏମ୍ସର ଡାକ୍ତର କ୍ରୋନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗରେ ପୀଡିତ ଦୁଇ ରୋଗୀଙ୍କ ମଧ୍ୟରେ ଆସ୍ପର୍ଗିଲସ୍ ଲେଣ୍ଟୁଲସ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କରିଛନ୍ତି । ତେବେ ଚିନ୍ତାର ବିଷୟ ହେଲା ଅନେକ ଚେଷ୍ଟା ସତ୍ତ୍ୱେ ଫଙ୍ଗସର ନୂଆ ଷ୍ଟ୍ରେନରେ ସଂକ୍ରମିତ ଦୁଇ ପୀଡିତଙ୍କୁ ବଞ୍ଚାଇ ହେଲାନାହିଁ । ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଆସ୍ପର୍ଗିଲସ୍ ଲେଣ୍ଟୁଲସ୍ ଆସ୍ପର୍ଗିଲସ୍ ଫଙ୍ଗସର ଏକ ପ୍ରଜାତି ଯାହା ଫୁସଫୁସକୁ ସଂକ୍ରମିତ କରିଥାଏ । ଅନ୍ୟ ଷ୍ଟ୍ରେନ ତୁଳନାରେ ଏଥିରେ ମୃତ୍ୟୁଦର ଅଧିକ କାରଣ ଏହା ଫୁସଫୁସକୁ ସଂକ୍ରମିତ କରିଥାଏ । ଭାରତରେ ନୂଆ ଷ୍ଟ୍ରେନ ମାମଲା ଏହା ପ୍ରଥମ । ଫଙ୍ଗସର ଏହି ନୂଆ ଷ୍ଟ୍ରେନ ସମ୍ପର୍କରେ ପ୍ରଥମଥର ୨୦୦୫ରେ ଚିକିତ୍ସା ସାହିତ୍ୟରେ ଉଲ୍ଲେଖ କରାଯାଇଥିଲା ।

ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ମାଇକ୍ରୋବାୟୋଲୋଜି (IJMM) ରେ ପ୍ରକାଶ ପାଇଥିବା କେସ ରିପୋର୍ଟ ଅନୁଯାୟୀ, ଯେଉଁ ଦୁଇ ରୋଗୀଙ୍କ ମଧ୍ୟରେ ଫଙ୍ଗସର ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରୁ ଜଣକର ବୟସ ୫୦ ରୁ ୬୦ ବର୍ଷ ଓ ଅନ୍ୟ ଜଣକର ୪୫ ରୁ ବର୍ଷ କମ ଥିଲା । ପ୍ରଥମ ରୋଗୀଙ୍କ ଚିକିତ୍ସା ଏକ ପ୍ରାଇଭେଟ ହସ୍ପିଟାଲରେ ହେଉଥିଲା । ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ହେବାରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ରୋଗୀଙ୍କୁ Amphotericin B ଏବଂ ଓରାଲ Voriconazole ଇଞ୍ଜେକ୍ସନ ଦିଆଯାଇଥିଲା କିନ୍ତୁ କିଛି ପ୍ରଭାବ ପଡ଼ିନଥିଲା । ଇଞ୍ଜେକ୍ସନ ଦେବାର ପ୍ରାୟ ମାସେ ପର୍ଯ୍ୟନ୍ତ ରୋଗୀଙ୍କ ଅବସ୍ଥା ସୁଧୁରି ନଥିଲା। ଅନ୍ୟ ପୀଡିତଙ୍କୁ ଜ୍ୱର, କାଶ ଓ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ତାଙ୍କୁ Amphotericin B ଦିଆଯାଇଥିଲା କିନ୍ତୁ ତାଙ୍କ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିନଥିଲା । ପ୍ରାୟ ସପ୍ତାହେ ପରେ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଓ ତାଙ୍କର ମୃତ୍ୟୁ ହୋଇଗଲା । ତେବେ ଦେଶବାସୀ ଏହାକୁ ନେଇ ଏବେ ଚିନ୍ତା ରେ ।

Share this story