ପୁଣି ବିବାଦରେ କଙ୍ଗନା : 'ଗାନ୍ଧୀଙ୍କୁ ଭିକ ଥାଳିରୁ ଆମକୁ ସ୍ୱାଧୀନତା ମିଳିଛି, ସେ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହେଉ'

kangana

ଓଡ଼ିଆ ଗସିପ ବ୍ୟୁରୋ: ବିବାଦରେ ରହିବାକୁ ଭଲ ପାଆନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଯେମିତି ଲାଗେ ଦୁହେଁ ପରସ୍ପରର ପରିପୂରକ । କେହି କାହାକୁ ଛାଡ଼ି ବେଶି ଦିନ ରହିପାରନ୍ତି ନାହିଁ । ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଙ୍ଗନା କଣ୍ଟ୍ରୋଭର୍ସି ଭିତରକୁ ଟାଣି ହୋଇ ଯାଇଥିଲେ ।

ଦେଶକୁ ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ଭିକ ଥିଲା ବୋଲି ଲଜ୍ଜାଜନକ ବୟାନ ଦେଇ ସମଗ୍ର ଦେଶରେ ଝଡ଼ ସୃଷ୍ଟି କରିଥିଲେ । ଆଉ ସେ ବିବାଦ ନ ଥମୁଣୁ  ପୁଣି ଏକ ବୟାନ ଦେଇ ବିବାଦ ଭିତରକୁ ଟାଣି ହୋଇ ଯାଇଛନ୍ତି । ଏଥର ତାଙ୍କ ଟାର୍ଗେଟରେ  ଜାତିର ପିତା ମହାତ୍ମା ଗାନ୍ଧୀ ।

ଇନଷ୍ଟାରେ ଏକ ଆର୍ଟିକିଲ ଶେଆର କରି କଙ୍ଗନା ଲେଖିଛନ୍ତି, ଆପଣ ଗାନ୍ଧୀଙ୍କ ଫ୍ୟାନ୍‌ ହୋଇପାରିବେ ନଚେତ ନେତାଜୀଙ୍କ ସମର୍ଥକ । ଆପଣ ୨ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ । ଏହାର ନିଷ୍ପତ୍ତି ଆପଣ ନିଜେ ହିଁ ନେବେ । ଏହାବାଦ ସେ ଲେଖିଛନ୍ତି, ଅନ୍ୟ ଏକ ଗାଲ ଦେଖାଇଲେ ଭିକ ମିଳେ, ସ୍ୱାଧୀନତା ନୁହେଁ ।

ଏହାବାଦ କଙ୍ଗନା କହିଛନ୍ତି, ସ୍ୱତନ୍ତ୍ରତା ସୈନିକଙ୍କୁ ଏପରି ଲୋକ ଇଂରେଜଙ୍କ ହାବୁଡ଼ରେ ଛାଡ଼ି ଦେଇଥିଲେ, ଯେଉଁମାନଙ୍କର ଲଢ଼ିବବାର କ୍ଷମତା ନ ଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ କ୍ଷମତା ପାଇଁ ଭୋକ ଥିଲା । ଏ ହେଉଛନ୍ତି ସେହି ବ୍ୟକ୍ତି, ଯିଏ ଆମକୁ ଶିଖାଇଥିଲେ,  ଯଦି ଜଣେ ଗୋଟିଏ ଚାପୁଡ଼ା ମାରୁଛି, ତା’ ହେଲେ ଆଉ ଗୋଟିଏ ଗାଲ ବି ଦେଖାଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେବେବି ସ୍ୱାଧୀନତା ମିଳି ନ ଥାଏ, କେବଳ ଭିକ ହିଁ ମିଳିଥାଏ । ତେଣୁ ନିଜ ଜନନାୟକଙ୍କୁ ବୁଦ୍ଧିମାନର ସହ ବାଛନ୍ତୁ ।

ସେ ଆହୁରି କହିଛନ୍ତି, ଗାନ୍ଧୀଜୀ କେବେ ବି ଭଗତ ସିଂ କିମ୍ବା ସୁବାସ ବୋଷଙ୍କ ସମର୍ଥନ କରି ନ ଥିଲେ । ବରଂ ସେ ଚାହୁଁଥିଲେ ଭଗତ ସିଂହଙ୍କୁ ଫାଶୀ ହୋଇଯାଉ । ତେଣୁ ଆପଣ କାହାକୁ ଚାହୁଁଛନ୍ତି, ତାହା ଆପଣ ସ୍ଥିର କରନ୍ତୁ ।

କିଛି ଦିନ ପୂର୍ବେ କଙ୍ଗନା କହିଥିଲେ, ଭାରତକୁ ସ୍ୱାଧୀନତା ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ୨୦୧୪ ମସିହାରେ ମିଳିଛି । ୧୯୪୭ ମସିହାରେ ଦେଶକୁ ଯେଉଁ ସ୍ୱତନ୍ତ୍ରତା ମିଳିଥିଲା ତାହା ଭିକ ଥିଲା । ତାଙ୍କର ଏପରି ମନ୍ତବ୍ୟକୁ ନେଇ ବହୁ ରାଜନୈତିକ ଦଳ ତଥା ସାଧାରଣ ଲୋକ ତାଙ୍କୁ ଟାର୍ଗେଟ କରିଥିଲେ ।

ତଥାପି ନିଜ ବୟାନ ନଫେରାଇ, ଇନଷ୍ଟାରେ ଏକ ପୋଷ୍ଟ କରି ଲେଖିଛନ୍ତି, “ମୁଁ ପୂରା ସଫା ସଫା କହିଛି, ୧୮୫୭ ମସିହାରେ ହୋଇଥିବା କ୍ରାନ୍ତି ହେଉଛି ପ୍ରଥମ ସ୍ୱତନ୍ତ୍ରତା ସଂଗ୍ରାମ । ଯାହାକୁ କି ଚାପି ଦିଆଯାଇଥିଲା। ଏହାର ପରିଣାମ ସ୍ୱରୂପ, ଇଂରେଜଙ୍କ ଅତ୍ୟାଚାର ଓ କ୍ରୂରତା ବଢ଼ି ଚାଲିଲା । ପ୍ରାୟ ଏକ ଶତାଦ୍ଦି ପରେ ଗାନ୍ଧିଜୀଙ୍କ ଭିକ ଥାଳିରୁ ଆମକୁ ସ୍ୱାଧୀନତା ମିଳିଛି ।”

Share this story