ଏହି ଦେଶରେ ସନ୍ତାନ ଜନ୍ମ କରିବା ସବୁଠୁ ସହଜ, ପିତାମାତାଙ୍କ ଦରମା ବୃଦ୍ଧି ସହ ମିଳେ ଏସବୁ ସୁବିଧା

sweden

ଓଡ଼ିଆ ଗସିପ ବ୍ୟୁରୋ: ମା-ବାପା ହେବାରେ ଏକ ଭିନ୍ନ ଆନନ୍ଦ ରହିଥାଏ । କିନ୍ତୁ ଆଜିକା ଦିନରେ ପିତାମାତା ହେବା ସହଜ ନୁହେଁ । ସନ୍ତାନ ଜନ୍ମ ସମୟରେ ଆଜିକା କର୍ମଜୀବୀ ମହିଳା ପୁରୁଷ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପିଲା ସମ୍ଭାଳିବା ସହ ସେମାନଙ୍କୁ ଅଫିସ ବା କାମକୁ ଯିବାକୁ ପଡିଥାଏ । ଏହି ସବୁ ଭିତରେ, ଶିଶୁର ସଠିକ୍ ଲାଳନପାଳନ କରିବା ଟିକେ କଷ୍ଟକର ହୋଇ ପଡେ ।

ଗର୍ଭବତୀ ମହିଳାମାନଙ୍କୁ ପିଲା ହେବା ସମୟରେ ଅଫିସ୍ ଛାଡିବାକୁ ପଡିଥାଏ ନଚେତ୍ ସନ୍ତାନ ଜନ୍ମର ୬ ମାସ ପରେ କାମକୁ ଫେରିବାକୁ ପଡିଥାଏ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ସନ୍ତାନ ଜନ୍ମ କରିବା ଏବଂ ପିତାମାତା ହେବା ଆରାମଦାୟକ ବିଷୟ ହୋଇଥାଏ ।

ଏଠାରେ ସନ୍ତାନ ଜନ୍ମ କରିଥିବା ପିତାମାତାଙ୍କୁ ଅନେକ ସୁବିଧା ଦିଆଯାଇଥାଏ ସରକାରଙ୍କ ପକ୍ଷରୁ । ସେହି ଦେଶଟି ହେଉଛି ସ୍ଵିଡେନ । ଏଠାରେ ଶିଶୁଙ୍କ ଉତ୍ତମ ପ୍ରତିପୋଷଣ ଦାୟିତ୍ଵ ସରକାର ନେଇଥାନ୍ତି । ପିଲା ହେବା ପରେ ପିତାମାତାଙ୍କ ଦରମା ବୃଦ୍ଧି ହୋଇଥାଏ ।

ଶିଶୁର ଯତ୍ନ ନେବା ପାଇଁ ଉଭୟ ପିତାମାତାଙ୍କୁ ୪୮୦ ଦିନ ଛୁଟି ଦିଆଯାଇଥାଏ ଏବଂ ୩୯୦ ଦିନ ଛୁଟିରେ ପିତାମାତାମାନେ ସେମାନଙ୍କ ବେତନର ୮୦% ପାଇଥାନ୍ତି । ପିତାମାତା ହେବା ପରେ ସେମାନଙ୍କୁ ୯୦ ଦିନ ଘର ଭଡ଼ା ଦେଇଥାନ୍ତି ସରକାର । ଚାକିରୀରେ ନଥାଇ ମଧ୍ୟ ଲୋକଙ୍କୁ ଏହି ଛୁଟିଦିନରେ ଦରମା ଦିଆଯାଏ ।

ଶିଶୁକୁ ୮ ବର୍ଷ ହେବା ପର୍ଯ୍ୟନ୍ତ ପିତାମାତା ଛୁଟି ପାଇଁ ଆବେଦନ କରିପାରିବେ ଏବଂ କାର୍ଯ୍ୟ ସମୟ ମଧ୍ୟ ୨୫% ହ୍ରାସ କରି ପାରିବେ । ତେବେ ପ୍ରତ୍ୟେକ ପିଲାର ଜନ୍ମ ପରେ ପିତାମାତା-ଛୁଟି ନେଇପାରିବେ । ପିଲାଙ୍କ ପ୍ରତିପୋଷଣ ପାଇଁ ପ୍ରାୟ ୮୦୦୦ ଟଙ୍କା ଶିଶୁ ଭତ୍ତା ସେମାନଙ୍କ ପିତାମାତାଙ୍କୁ ମିଳିଥାଏ ।

୬ ରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ସରକାର ସମସ୍ତ ପିଲାଙ୍କ ବିଦ୍ୟାଳୟ ଖର୍ଚ୍ଚ ବହନ କରନ୍ତି । ବିଦ୍ୟାଳୟଗୁଡ଼ିକରେ ପଢିବା ମାଗଣା ହୋଇଥିବା ବେଳେ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଥାଏ । ସୁସ୍ଥ ସମାଜ ଓ ବିକଶିତ ଦେଶ ଗଢ଼ିବା ପାଇଁ ଏହା ନିଶ୍ଚିତ ଏକ ଉତ୍ତମ ପଦକ୍ଷେପ ।

Share this story