ଖୁସି ଖବର, ଇପିଏଫ୍‌ଓ ଗ୍ରାହକଙ୍କୁ ମିଳିପାରେ ଅଧିକ ଫାଇଦା କେମିତି ପଢନ୍ତୁ ...

Epfo

ଓଡ଼ିଆ ଗସିପ ବ୍ୟୁରୋ: ଆସିଲା ଏକ ଖୁସି ଖବର । ଇପିଏଫ୍‌ଓ ଗ୍ରାହକଙ୍କୁ ମିଳିପାରେ ଅଧିକ ଫାଇଦା । କାହିଁକିନା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଟଙ୍କାର ବିକଳ୍ପ ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି । ଇପିଏଫଓ ପାଣ୍ଠିରୁ ସଂଗୃହୀତ ଅର୍ଥକୁ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଫଣ୍ଡ୍ କିମ୍ବା ଅନ୍ୟାନ୍ୟ ବଣ୍ଡ୍‌ ରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ଏହାକୁ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି ।

ଫଳରେ ଇଫିଏଫଓ ହୀତାଧିକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଫାଇଦା ମିଳିବାର ସମ୍ଭାବନା ରହିଛି । ଇପିଏଫଓ ସୂତ୍ରରୁ ବାର୍ଷିକ ଜମା ହେଉଥିବା ଅର୍ଥରୁ ୫ ପ୍ରତିଶତ ଏହିସବୁ କ୍ଷେତ୍ରରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର ସରକାର ଇପିଏଫଓ ଜମା ରାଶିର ବିନିଯୋଗର ନିୟମ ବଦଳାଇବାକୁ ଇପିଏଫଓ କର୍ତ୍ତୃପକ୍ଷକୁ ପ୍ରସ୍ତାବ ଦେଇଥିଲେ । ଯେଉଁ କ୍ଷେତ୍ରରେ ବିନିଯୋଗ କଲେ ଅଧିକ ଲାଭ ମିଳିବ ସେଥିନେଇ ନିଷ୍ପତ୍ତି ନେବାକୁ ସରକାର କହିଥିଲେ ।

ବିଶେଷକରି ଭିତ୍ତିଭୂମି କ୍ଷେତ୍ର ଏବଂ ଅନ୍ୟାନ୍ୟ ସରକାରୀ ଅଧିକୃତ କ୍ଷେତ୍ର ଗୁଡିକରେ ବିନିଯୋଗ ସହିତ ‘ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ(ଏଆଇଏଫ)’ରେ ମଧ୍ୟ ବିନିଯୋଗ ଲାଗି ପ୍ରସ୍ତାବ ଦେଇଥିଲେ । ଏହାଦ୍ବାରା ଇପିଏଫଓ ହିତାଧିକାରୀଙ୍କୁ ଅଧିକ ଫାଇଦା ମିଳିବ ବୋଲି କହିଥିଲେ । 

ଇପିଏଫଓ’ର ପ୍ରଚଳିତ ବିନିଯୋଗ ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଇପିଏଫଓ ଜମାର ୪୫ ରୁ ୫୦ ପ୍ରତିଶତ ଅର୍ଥ ସରକାରୀ ସିକ୍ୟୁରିଟିଜ୍‌ରେ ବିନିଯୋଗ କରାଯାଉଥିବା ବେଳେ ୩୫ ରୁ ୪୫ ପ୍ରତିଶତ ଡେଟ୍‌, ଇକ୍ବିଟିରେ ୫ ରୁ ୧୫ ପ୍ରତିଶତ ଏବଂ ବାକି ୫ ପ୍ରତିଶତ ସ୍ବଳ୍ପ ମିଆଦୀ ଡେଟ୍‌ ପାଣ୍ଠିରେ ବିନିଯୋଗ କରାଯାଉଛି । କିନ୍ତୁ ଏହି ବିନିଯୋଗ ତରିକାରେ ପରିବର୍ତ୍ତନ କରି ଅଧିକ ଲାଭାଂଶ ପାଇଁ ରହିଥିବା କ୍ଷେତ୍ରଗୁଡିକରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର କହିଛନ୍ତି।

Share this story