ବିଜେପି-କଂଗ୍ରେସଠାରୁ ବଡ଼ ହେଲା କକରୋଚ ପାର୍ଟି’! ମିଳିବ କି ନିର୍ବାଚନ ସଙ୍କେତ; ଜାଣନ୍ତୁ କଣ କହୁଛି ନିର୍ବାଚନ କମିଶନଙ୍କ ନିୟମ

Cockroach Party bigger than BJP and Congress will it get election signal Know what the Election Commission rules say

ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ନୂଆଦିଲ୍ଲୀ,୨୨।୫): ମାତ୍ର ୫ ଦିନ ମଧ୍ୟରେ ‘କକ୍‌ରୋଚ ଜନତା ପାର୍ଟି’ (CJP) ର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋଅର୍ସ ସଂଖ୍ୟା ୧.୮୭ କୋଟି (୧୮.୭ ମିଲିୟନ) ରେ ପହଞ୍ଚିଯାଇଛି। ଏତେ ବଡ଼ ସଂଖ୍ୟକ ଫଲୋଅର୍ସ ସହ ଏହି ଦଳ ଦେଶର ଦୁଇଟି ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (BJP) ଏବଂ କଂଗ୍ରେସକୁ ମଧ୍ୟ ପଛରେ ପକାଇ ଦେଇଛି। ବର୍ତ୍ତମାନ ଇନଷ୍ଟାଗ୍ରାମରେ ବିଜେପିର ପ୍ରାୟ ୮୫ ଲକ୍ଷ ଏବଂ କଂଗ୍ରେସର ୧.୩ କୋଟି ଫଲୋଅର୍ସ ରହିଛନ୍ତି। କିନ୍ତୁ ଅନ୍ୟପଟେ, CJP ର X (ପୂର୍ବରୁ ଟୁଇଟର) ଆକାଉଣ୍ଟକୁ ଭାରତରେ ବନ୍ଦ ବା ସସ୍‌ପେଣ୍ଡ କରିଦିଆଯାଇଛି।

ଦେଶର ପ୍ରଧାନ ବିଚାରପତିଙ୍କ (CJI) ଏକ ବୟାନର ବିରୋଧ କରି ଅଭିଜିତ ଦୀପକେ ‘କକ୍‌ରୋଚ ଜନତା ପାର୍ଟି’ (CJP) ଗଠନ କରି ଭାରତୀୟ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ସେ ଆମେରିକାର ବୋଷ୍ଟନ ସହରରେ ରହି ଏହି ପାର୍ଟିର କାର୍ଯ୍ୟକଳାପ ବୁଝାସୁଝା କରୁଛନ୍ତି। ତୃଣମୂଳ କଂଗ୍ରେସ (TMC) ର ୨ ଜଣ ସାଂସଦ ମଧ୍ୟ ଏହି ଦଳରେ ସାମିଲ ହୋଇସାରିଛନ୍ତି। ନିଜର ମଜାଦାର ଏବଂ ସରକାର-ବିରୋଧୀ ଅନ୍ଦାଜ ଯୋଗୁଁ ଏହି ପାର୍ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ଅଭିଜିତ ଦୀପକେ ନିଜ କକରୋଚ ଜନତା ପାର୍ଟି (CJP) ପାଇଁ ‘କକ୍‌ରୋଚ’ (ଅସରପା) କିମ୍ବା ‘ମୋବାଇଲ’ ମଧ୍ୟରୁ ଯେକୌଣସି ଗୋଟିଏ ନିର୍ବାଚନ ସଙ୍କେତ (Election Symbol) ମାଗିଛନ୍ତି। କିନ୍ତୁ ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

କକରୋଚ ସଙ୍କେତ କାହିଁକି ମିଳିବ ନାହିଁ?

ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, କୌଣସି ପଶୁ ବା ଜୀବଙ୍କ ପ୍ରତୀକକୁ ନିର୍ବାଚନ ସଙ୍କେତ କରାଯାଇପାରିବ ନାହିଁ। ତେଣୁ ‘କକ୍‌ରୋଚ’ ସଙ୍କେତ ମିଳିବା ଅସମ୍ଭବ।

ମୋବାଇଲ ସଙ୍କେତ କାହିଁକି ମିଳିବ ନାହିଁ? 

ନିର୍ବାଚନ କମିଶନଙ୍କ ମୁକ୍ତ ସଙ୍କେତ (Free Symbols) ତାଲିକାରେ ‘ମୋବାଇଲ’ ସାମିଲ ନାହିଁ। ତେଣୁ ଏହି ଦୁଇଟିଯାକ ସଙ୍କେତ ମିଳିପାରିବ ନାହିଁ। 

୨୦୨୯ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି! ଜାଣନ୍ତୁ କଣ ରହିଛି ନିୟମ:

ଚର୍ଚ୍ଚା ହେଉଛି ଯେ କକ୍‌ରୋଚ ଜନତା ପାର୍ଟି (CJP) ୨୦୨୯ ଲୋକସଭା ନିର୍ବାଚନ ଲଢ଼ିବ। ଏଥିପାଇଁ ଦଳକୁ ସାରା ଦେଶରେ ନିଜର ସଂଗଠନ ବିସ୍ତାର କରିବାକୁ ପଡ଼ିବ। ପାର୍ଟିର ବିସ୍ତାର ପାଇଁ ସର୍ବପ୍ରଥମେ ନିର୍ବାଚନ କମିଶନଙ୍କ ପାଖରେ ‘ଲୋକ ପ୍ରତିନିଧି ଅଧିନିୟମ ୧୯୫୧’ (Representation of the People Act, 1951) ର ଧାରା ୨୯A ଅନୁଯାୟୀ ପଞ୍ଜୀକରଣ କରିବାକୁ ହେବ। ପଞ୍ଜୀକରଣ ହେବା ପରେ ହିଁ ପାର୍ଟିକୁ ନିର୍ବାଚନ ସଙ୍କେତ ମିଳିବ, ଦେଶରେ ପାର୍ଟିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହେବ ଏବଂ ଏହା ସରକାରୀ ଭାବେ ନୂଆ ଲୋକଙ୍କୁ ନିଜ ସହ ଯୋଡ଼ି କାର୍ଯ୍ୟ କରିପାରିବ।

ଭାରତରେ ନିର୍ବାଚନ ସଙ୍କେତ ବଣ୍ଟନର ସମସ୍ତ ଦାୟିତ୍ୱ ଭାରତୀୟ ନିର୍ବାଚନ  ଆୟୋଗ (ECI) ଙ୍କର ଅଟେ। ନିର୍ବାଚନ  ସଙ୍କେତ ସାଧାରଣତଃ ୨ ପ୍ରକାରର ହୋଇଥାଏ:

ସଂରକ୍ଷିତ ସଙ୍କେତ (Reserved Symbols): ଏହା ଦେଶର ବଡ଼ ଏବଂ ସ୍ବୀକୃତିପ୍ରାପ୍ତ ଦଳଗୁଡ଼ିକୁ ମିଳିଥାଏ। ଯେପରିକି ବିଜେପିର ପଦ୍ମ, କଂଗ୍ରେସର ହାତ ଏବଂ ଆପ (AAP) ର ଝାଡ଼ୁ।

ମୁକ୍ତ ସଙ୍କେତ (Free Symbols): ଏହା ନୂଆ, ଛୋଟ ଦଳ ଏବଂ ସ୍ବାଧୀନ (Independent) ପ୍ରାର୍ଥୀମାନଙ୍କୁ ଦିଆଯାଏ। ଏହାର ଏକ ଲମ୍ବା ତାଲିକା ରହିଛି, ଯେଉଁଥିରେ ୧୦୦ ରୁ ଅଧିକ ସଙ୍କେତ ଅଛି। ଏହି ତାଲିକାରେ ‘ଲ୍ୟାଣ୍ଡଲାଇନ ଫୋନ’ ଏବଂ ’ମୋବାଇଲ ଚାର୍ଜର’ର ସଙ୍କେତ ଅଛି, କିନ୍ତୁ ‘ମୋବାଇଲ ଫୋନ’ ନାହିଁ।

Share this story