ଅନ୍ତର୍ଜାତୀୟ ହକିକୁ ଅଲବିଦା କରିଲେ ଅଲମ୍ପିଆନ ବିରେନ୍ଦ୍ର ଲାକ୍ରା

birendra lakra
ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ହକିରେ ବୀରୁ-ବବ୍ (ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ ସିଂହ) ଯୁଗର ଅବସାନ ଘଟିଛି। ଅଚାନକ ଘଣ୍ଟାକ ଭିତରେ ଭାରତୀୟ ହକି ଦଳର ଦୁଇ ବଡ଼ ମୁଣ୍ଡ ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ ସିଂହ ଅବସର ଘୋ‌ଷଣା କରିଛନ୍ତି। ଗୁରୁବାର ଅପରାହ୍ନରେ ପ୍ରଥମେ ରୂପୀନ୍ଦର ନିଜ ନିଷ୍ପତ୍ତିକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ। ୬୦ ମିନିଟ୍ ପରେ ବୀରେନ୍ଦ୍ର ମଧ୍ୟ ଅବସର ଘୋଷଣା କରିଥିବା ଜଣାପଡ଼ିଥିଲା। ହକି ଇଣ୍ଡିଆ ମଧ୍ୟ ଟ୍ବିଟ୍ କରି ପ୍ରଶଂସକଙ୍କୁ ଉଭୟଙ୍କ ଅବସର ସୂଚନା ଦେଇଥିଲା। ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଅଭିଜ୍ଞ ଓଡ଼ିଆ ରକ୍ଷଣଭାଗ ଖେଳାଳି ବୀରେନ୍ଦ୍ରଙ୍କ ସହ ପଞ୍ଜାବର ତାରକା ଡ୍ରାକ୍ ଫ୍ଲିକର ରୂପୀନ୍ଦର ହକିକୁ ହଠାତ୍ ଅଲବିଦା କହିବା କିନ୍ତୁ ଭାରତୀୟ ହକିରେ ହଇଚଇ ସୃଷ୍ଟି କରିଥିଲା।

ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବା ଲାଗି ଉଭୟ ନିଜ ନିଜର ଘଟଣା ବହୁଳ କ୍ରୀଡ଼ା କ୍ୟାରିୟରକୁ ଉତ୍ସର୍ଗ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ବୀରେନ୍ଦ୍ର ଓ ରୂପୀନ୍ଦର ହଠାତ୍ ଏଭଳି ନିଷ୍ପତ୍ତି ନେବା ଅବଶ୍ୟ ହକିପ୍ରେମୀଙ୍କୁ ବିସ୍ମିତ କରିଛି। କାରଣ ଉଭୟ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ। ୨୦୨୩ରେ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ହକି ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣ ଖେଳିବାକୁ ନେଇ ବୀରେନ୍ଦ୍ର ବ୍ୟକ୍ତିଗତ ଭାବେ ବେଶ୍ ଉତ୍ସାହିତ ଥିବା ବି ଏକାଧିକବାର ପ୍ରକାଶ କରିଥିଲେ।

ତେବେ ଦଳୀୟ ଅଧିକାରୀମାନେ ସେମାନଙ୍କୁ ଭବିଷ୍ୟତ ଯୋଜନାରେ ସାମିଲ କରିବାକୁ ଆଗ୍ରହୀ ନଥିବା ଏବଂ ବେଙ୍ଗାଲୁରୁରେ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ସେମାନଙ୍କୁ ସ୍ଥାନ ମିଳିବ ନାହିଁ ବୋଲି ଜାଣିବା ପରେ ବୀରେନ୍ଦ୍ର ଓ ରୂପୀନ୍ଦର ଏହା ପୂର୍ବରୁ ଅବସର ନେଇଯିବା ଠିକ୍ ହେବ ବୋଲି ହୃଦୟଙ୍ଗମ କରିଥିଲେ। ସେଥିପାଇଁ ହକି ଇଣ୍ଡିଆର କିଛି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସେମାନେ ଗୁରୁବାର ଆନୁଷ୍ଠାନିକ ଭାବେ ଅବସର ଘୋଷଣା କଲେ।

ରୂପୀନ୍ଦର କିନ୍ତୁ ଆସନ୍ତାବର୍ଷର ଏସୀୟ କ୍ରୀଡ଼ା ପର୍ଯ୍ୟନ୍ତ ଖେଳିବାକୁ ଚାହୁଥିଲେ। ହେଲେ ଚୟନକର୍ତ୍ତା ଭାରତୀୟ ଦଳର ହିତ ଦୃଷ୍ଟିରୁ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ଅନାଗ୍ରହ ପ୍ରକାଶ କରିବା ପରେ ହକିକୁ ଅଲବିଦା‌ କହିବାକୁ ସେ ନିଷ୍ପତ୍ତି ନେଇଥିଲେ। ସେପଟେ ବାରମ୍ବାର ଆହତ ସମସ୍ୟା ଦେଇ ଗତି କରୁଥିବା ବୀରେନ୍ଦ୍ରଙ୍କୁ ଫିଟନେସ୍ କାରଣ ପାଇଁ ହକି ଇଣ୍ଡିଆ ଭାରତୀୟ ଦଳର ଆଗାମୀ ଯୋଜନାରେ ସାମିଲ କରିବାକୁ ଚାହୁନଥିଲା। ଫଳରେ ସେ ମଧ୍ୟ ହକି ପଡ଼ିଆରୁ ସନ୍ୟାସ ନେଇଯିବାର ନିଷ୍ପତ୍ତି ନେଲେ। ୩୦ ବର୍ଷୀୟ ରୂପୀନ୍ଦର ୨୨୩ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲା ବେଳେ ୩୧ ବର୍ଷୀୟ ବୀରେନ୍ଦ୍ର ୨୦୧ ମ୍ୟାଚ୍ ଖେଳିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ବୀରେନ୍ଦ୍ର ଭାରତୀୟ ହକି ଦଳର ଉପଅଧିନାୟକ ଥିଲେ।

ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଗଗନ ଅଜିତ ସିଂହଙ୍କ ସମ୍ପର୍କୀୟ ତଥା ୬ ଫୁଟ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ରୂପୀନ୍ଦର ପାଲ ସିଂହ ପଞ୍ଜାବର ଫରିଦକୋଟ୍‌ଠାରେ ୧୯୯୦ ମସିହା ନଭେମ୍ବର ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୧ ବର୍ଷ ବୟସରେ ହକି ଖେଳିବା ଆରମ୍ଭ କରି ୨୦୧୦ ମସିହାରେ ମାଲେସିଆର ଇପୋଠାରେ ଖେଳାଯାଇଥିବା ସୁଲତାନ ଆଜଲାନ ସାହା ହକି ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପରବର୍ଷ ବର୍ଷ ଅର୍ଥାତ୍ ୨୦୧୧ ମସିହାର ସୁଲତାନ ଆଜଲାନ ସାହା ହକିରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ କରିଥିଲେ ସେ।

ଏହି ପ୍ରତିଯୋଗିତାରେ ମଧ୍ୟ ସର୍ବାଧିକ ଗୋଲ୍ ଦେବାର କୀର୍ତ୍ତିମାନ କରିଥିଲେ ନିର୍ଭୀକ ଓ ଭୟହୀନ ହକି ଖେଳିବାରେ ସିଦ୍ଧହସ୍ତ ରୂପୀନ୍ଦର। ୨୦୧୪ ହକି ବିଶ୍ବକପ୍‌ରେ ଭାରତୀୟ ଦଳର ଉପଅଧିନାୟକ ନିଯୁକ୍ତ ହୋଇଥିଲେ ଏହି ତାରକା ଖେଳାଳି। ଫୁଲ୍‌ବ୍ୟାକ୍‌ରେ ଖେଳି ଭାରତକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଥିବା ରୂପୀନ୍ଦର ମଧ୍ୟ ଜଣେ ଦକ୍ଷ ଡ୍ରାଗ୍ ଫ୍ଲିକର। ୨୨୩ ମ୍ୟାଚ୍ ଖେଳି ୧୧୯ ଗୋଲ୍ ଦେଇଥିବା ରୂପୀନ୍ଦର ନିଜ ୧୧ ବର୍ଷ ଲମ୍ବା ଖେଳ ଜୀବନରେ ଦୁଇଟି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ, ୨୦୧୪ରେ ରାଜ୍ୟଗୋଷ୍ଠୀ ରୌପ୍ୟ, ୨୦୧୩ ଏସିଆ କପ୍‌ ରୌପ୍ୟ, ୨୦୧୪ ଓ ୨୦୧୭ ହକି ବିଶ୍ବଲିଗ୍‌ରେ କାଂସ୍ୟ, ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଓ ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଟୋକିଓ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଭାବେ ରୂପୀନ୍ଦର ଚାରିଟି ଗୋଲ୍ ଦେଇଥିଲେ। ଜର୍ମାନି ବିପକ୍ଷ କାଂସ୍ୟ ପଦକ ମୁକାବିଲାରେ ନିର୍ଣ୍ଣାୟକ ପେନାଲ୍ଟି ଷ୍ଟ୍ରୋକ୍ ଗୋଲ୍ କରିଥିଲେ ସେ। ସାଙ୍ଗସା‌ଥୀ ମହଲରେ ବବ୍‌ଭାବେ ପରିଚିତ ରୂପୀନ୍ଦର ଗତ ଦୁଇ ମାସକୁ ନିଜ ଜୀବନର ସବୁଠାରୁ ସୁଖଦ ସମୟ ଭାବେ ବର୍ଣ୍ଣନା କରିଛନ୍ତି।

ନିଜ ଅବସର ବିଷୟ ଘୋଷଣା କରି ଟ୍ବିଟରରେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ରୂପୀନ୍ଦର କହିଛନ୍ତି ‌ଯେ ଗତ ଦୁଇମାସ ନିଃସନ୍ଦେହରେ ମୋ ଜୀବନର ଶ୍ରେଷ୍ଠ ସମୟ ଥିଲା। ଯେଉଁ ସାଥୀ ଖେଳାଳିଙ୍କ ସହ ଅନେକ ସ୍ମରଣୀୟ ଓ ଅତୁଳନୀୟ ଅଭିଜ୍ଞତା ବାଣ୍ଟିଥିଲି ସେମାନଙ୍କ ସହ ଟୋକିଓ ଅଲିମ୍ପିକ୍ସର ପୋଡିୟମରେ ଛିଡ଼ା ହେବା ସବୁବେଳେ ମୋ ପାଇଁ ଅଭୁଲା ମୁହୂର୍ତ ହୋଇ ରହିବ। ମୁଁ ବିଶ୍ବାସ କରେ ଏବେ ଯୁବ ଓ ପ୍ରତିଭାବାନ ଖେଳାଳିଙ୍କୁ ବାଟ ଛାଡ଼ିବାର ସମୟ ଆସିଯାଇଛି। ଗତ ୧୧ ବର୍ଷ ଧରି ଭାରତର ପ୍ରତିନିଧିତ୍ବ କଲା ବେଳେ ମୁଁ ଯେଉଁ ଅଦ୍ବିତୀୟ ଅଭିଜ୍ଞତା ପାଇଛି ସେହି ଅଭିଜ୍ଞତା ସେମାନେ ବି କରିବା ଉଚିତ ବୋଲି ଭାବୁଛି।

ଭାରତୀୟ ହକି ଲାଗି କରିଥିବା ସେବା ଲାଗି ହକି ଇଣ୍ଡିଆ ରୂପୀନ୍ଦରଙ୍କୁ ସଲାମ କରିଛି। ‘‘ଏକ ଦଶନ୍ଧିରୁ ଅଧିକ ସମୟ ଧରି ରୂପୀନ୍ଦର ଭାରତର ଘରେ ଘରେ ପରିଚିତ ଥିଲେ। ଅସାଧାରଣ ଡ୍ରାଗ୍ ଫ୍ଲିକ୍ ଦକ୍ଷତା ପାଇଁ ସାରା ବିଶ୍ବରେ ପ୍ରଶଂସକ ସୃଷ୍ଟି କରିପାରିଥିଲେ ସେ। ଗୌରବମୟ ଖେଳ ଜୀବନ ଲାଗି ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ପେସାଦାର ଏବଂ ବ୍ୟକ୍ତିଗତ ଜୀବନର ପରବର୍ତ୍ତୀ ଯୋଜନା ଲାଗି ତାଙ୍କୁ ଅଭିନନ୍ଦନ’’ ବୋଲି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନଙ୍ଗୋମବମ୍ ତାଙ୍କ ଶୁ‌ଭେଚ୍ଛା ବାର୍ତ୍ତାରେ କହିଛନ୍ତି।

Share this story