ଇରାନକୁ ପରମାଣୁ ବୋମା କରିବାକୁ ଦେବନି ଆମେରିକା, ଏମିତି ଅନେକ କଥା କହିଦେଲେ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର): ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବୁଧବାର ହ୍ୱାଇଟ୍ ହାଉସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କହିଛନ୍ତି ଯେ ଇରାନକୁ କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ହାସଲ କରିବାକୁ ଅନୁମତି ଦିଆଯିବ ନାହିଁ । ଇରାନର ପରମାଣୁ କାର୍ଯ୍ୟକ୍ରମ ସମଗ୍ର ଉପସାଗରୀୟ ଅଞ୍ଚଳ ଓ ବିଶ୍ୱରେ ଏକ ବିପଜ୍ଜନକ ଆଣବିକ ପ୍ରତିଯୋଗିତା ଆରମ୍ଭ କରିପାରେ, ଯାହା ଅସ୍ଥିରତା ବୃଦ୍ଧି କରିବ ।
ଏଥିସହ ଭାନ୍ସ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ଅତି ସଚ୍ଚୋଟତାର ସହିତ ଶାନ୍ତି ଆଲୋଚନା କରିଛି ଏବଂ ଏବେ ଆଗକୁ ବଢ଼ିବା ପାଇଁ ଦୁଇଟି ରାସ୍ତା ରହିଛି ।
ଯଦି ଇରାନ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିବାରେ ବିଫଳ ହୁଏ, ତେବେ ଆମେରିକୀୟ ସେନା ପୁନର୍ବାର ସାମରିକ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯଦିଓ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଆଗ୍ରହ ପ୍ରକାଶ କରିଥିବା ସଙ୍କେତ ମିଳିଛି, ମାତ୍ର ଚୂଡ଼ାନ୍ତ ସ୍ୱାକ୍ଷର ନହେବା ପର୍ଯ୍ୟନ୍ତ କିଛି କହିବା ଶୀଘ୍ର ହେବ ଏବଂ ଏବେ ସମ୍ପୂର୍ଣ୍ଣ ନିଷ୍ପତ୍ତି ତେହେରାନ ଉପରେ ନିର୍ଭର କରେ ।
ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତି ଭାନ୍ସ ଇରାନକୁ ଏକ ଜଟିଳ ଦେଶ ଭାବେ ବର୍ଣ୍ଣନା କରିବା ସହ ସେଠାକାର ଶୀର୍ଷ ନେତୃତ୍ୱ ଓ ଶକ୍ତିଶାଳୀ ଗୋଷ୍ଠୀଗୁଡ଼ିକ ବିଭକ୍ତ ଥିବାରୁ ଆଲୋଚନା ସମୟରେ ସେମାନଙ୍କର ପ୍ରକୃତ ଆଭିମୁଖ୍ୟ ବୁଝିବା କଷ୍ଟକର ହେଉଛି ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ଇରାନ ନିଜର ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ରୁଷକୁ ପଠାଉଥିବା ନେଇ ପ୍ରକାଶିତ ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟକୁ ସେ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛନ୍ତି ।
.png)
