ଅସହାୟଙ୍କ ଭଗବାନ ସୋନୁ ସୁଦ୍‌ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଟିକସ ଫାଙ୍କିଛନ୍ତି, ରେଡ ପରେ ଏପରି କହିଛି ଆୟକର ବିଭାଗ

sonu sood

ଓଡ଼ିଆ ଗସିପ ବ୍ୟୁରୋ: କରୋନା ରୋଗୀ ହୁଅନ୍ତୁ ବା କୌଣସି ଅସହାୟ ବ୍ୟକ୍ତିଙ୍କ ପାଇଁ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା କଥା ଏବେ ସାମ୍ନାକୁ ଆସିଛି । ଏହା ଆମେ ନୁହେଁ ଖୋଦ ଆୟକର ବିଭାଗ ଏକ ବିବୃତିରେ ସୂଚନା ଦେଇଛି ।

ସୋନୁ ସୁଦ୍‌ ଟିକସ ଫାଙ୍କିବା କଥା ତେବେ ଜଣାପଡିଲା ଯେବେ ଆୟକର ବିଭାଗ ଅଧିକାରୀ ଲଗାତାର ତିନିଦିନ ଧରି ସୋନୁଙ୍କ ମୁମ୍ବାଇ ସ୍ଥିତ ବାସଭବନ ତଲାସ କରି ସେ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କିଥିବା ଏପର୍ଯ୍ୟନ୍ତ ଜଣାପଡ଼ିଥିବା କୁହାଯାଉଛି ।

ଆୟକର ବିଭାଗ କହିଛି, ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ୍‌ (ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ (ରେଗୁଲେସନ୍‌) ଆକ୍ଟ୍‌) ଉଲ୍ଲଂଘନ କରି ସୁଦ୍‌ଙ୍କ ଲାଭରେ ରହିଥିବା ସଂସ୍ଥା ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍‌ଫଣ୍ଡିଙ୍ଗ୍‌ ପ୍ଲାଟ୍‌ଫର୍ମ’ ଜରିଆରେ ଦରିଆପାରି ଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି ।

ଆୟକର ବିଭାଗ ଆହୁରି ମଧ୍ୟ କହିଛି, ଅଭିନେତା ଏବଂ ତାଙ୍କ ସହଯୋଗୀମାନଙ୍କ ଘର ତଲାସ ସମୟରେ ଟିକସ ଫାଙ୍କି ସମ୍ବନ୍ଧୀୟ ଅପରାଧମୂଳକ ପ୍ରମାଣ ମିଳିଛି । ବିନା ବନ୍ଧକରେ ଅନେକ ଜାଲ୍‌ ସଂସ୍ଥାନରୁ ଜାଲ୍‌ ଋଣ ଭାବେ ଆସୁଥିବା ତାଙ୍କର ହିସାବ ବହିର୍ଭୂତ ଉପାର୍ଜନର ଉପାୟ ଖୋଜି ବାହାର କରିବା ଥିଲା ଆମର ଉଦ୍ଦେଶ୍ୟ ।

ଏହାଛଡା ନଗଦ ଟଙ୍କା ବିନିମୟରେ ‘ଚେକ୍‌’ ଜାରି କରିଛନ୍ତି ବୋଲି ମଧ୍ୟ ସେମାନେ ମାନିଛନ୍ତି । ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଆକାଉଣ୍ଟ୍‌ରେ ଜମା ଅର୍ଥରାଶିକୁ ଋଣ ଭାବେ ଦର୍ଶାଇବାକୁ ଆବଶ୍ୟକ ରସିଦ୍‌କୁ ଜାଲିଆତି କରାଯାଇଥିବା କଥା ବି ଜଣାପଡ଼ିଛି । ବିନିଯୋଗ ଏବଂ ସମ୍ପତ୍ତି ଖରିଦ କରିବା ଉଦ୍ଦେଶ୍ୟରେ ଉକ୍ତ ଜାଲ୍‌ ଋଣ ବ୍ୟବହାର କରାଯାଇଛି ।

Share this story