କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ ; ଶେଷ ପ୍ରୟାସରେ ଦେଶ ଅକ୍ତିଆର କରିବା ଚକ୍କରରେ ରହିଛନ୍ତି ପୁଟିନ

World war

ଓଡ଼ିଆ ଗସିପ ବ୍ୟୁରୋ: ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି । ୟୁକ୍ରେନ ବିରୁଦ୍ଧରେ ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନ ୨୧ ଦିନରେ ପହଞ୍ଚି ଥିବା ବେଳେ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । ରାଜଧାନୀ ଉପକଣ୍ଡରେ ଘନ ଘନ ଆକ୍ରମଣ କରାଯାଉଛି ।

ଖେରସାନ୍ ସହର ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଥିବା ଋଷ ପକ୍ଷରୁ ଦାବି କରାଯାଇଛି । ତେବେ ଖେରସାନ ସମେତ, ଖାରକିଭ୍ ଓ ଜାପୋରଜିଆ ଉପରେ ଭୀଷଣ ବୋମା ଓ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଭୀଷଣ ବିସ୍ଫୋରଣ ଶଦ୍ଦରେ ସମଗ୍ର ୟୁକ୍ରେନ ପ୍ରକମ୍ବିତ ହେଉଛି । ତେଣେ ଋଷ ସେନା ଉପରେ ୟୁକ୍ରେନର ଜବାବି ଆକ୍ରମଣ ବି ଜାରି ରହିଛି । ଖେରସାନ୍ ବିମାନ ବନ୍ଦରରେ ୟୁକ୍ରେନର ପାଲଟା ଆକ୍ରମଣରେ ୩ଟି ଋଷୀୟ ହେଲିକପ୍ଟର ଓ ବହୁସଂଖ୍ୟାରେ ସେନା ଗାଡି ଧ୍ୱଂସ ପାଇଛି ।

ଯୁଦ୍ଧ ୨୧ ଦିନରେ ପହଞ୍ଚି ଥିବା ବେଳେ ଋଷିଆର ବ୍ୟାପକ କ୍ଷତି ଘଟାଥିବା ଦାବି କରିଛି ୟୁକ୍ରେନ । ଏଯାଏଁ ୧୩ ହଜାର ୮ଶହ ଋଷୀୟ ସୈନ୍ୟଙ୍କ ଜୀବନ ଯାଇଥିବା ବେଳେ ୮୪ଟି ଫାଇଟର ଜେଟ୍, ୧୦୮ ହେଲିକପ୍ଟର, ୪୩୦ ଟ୍ୟାଙ୍କ୍ ୧୯୦ ତୋପ, ୧୩୭୫ ସାଞ୍ଜୁଆ ଗାଡ଼ି, ୨ ଟି ଯୁଦ୍ଧ ଜାହାଜ, ୧୧ଟି ଡ୍ରୋନ, ୬୦ଟି ତେଲ ଟାଙ୍କି ଓ ୮୧୯ ସେନା ଗାଡି ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରକୁ ୟୁକ୍ରେନ ସେନା ନଷ୍ଟ କରି ଦେଇଥିବା କହିଛି । ସେହିପରି ଋଷ ସେନାର ଆଉ ଜଣେ ମେଜର ଜେନେରାଲ ଓଲେଗ୍ ମିତ୍ୟାୟେଭଙ୍କର ମୃତ୍ୟୁ ଘଟିଥିବା ୟୁକ୍ରେନ ପକ୍ଷରୁ କୁହାଯାଇଛି ।

ତେଣେ ଋଷିଆ ସହ ଚାଲିଥିବା କଥାବାର୍ତ୍ତା ବାସ୍ତବିକତା ଆଡକୁ ଯାଉଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ତେବେ କୌଣସି ବୁଝାମଣାରେ ପହଞ୍ଚିବା ଲାଗି ଅଧିକ ସମୟ ଦରକାର ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ୟୁକ୍ରେନ ସହ କଥାବାର୍ତ୍ତା ସହଜ ବ୍ୟାପାର ନୁହେଁ ବୋଲି ମତ ଦେଇଛନ୍ତି ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭ୍‌ରୋଭ । ତେବେ ଦୁଇ ପକ୍ଷ କିଛି କିଛି ପ୍ରସଙ୍ଗରେ କୋହଳ ମନୋଭାବ ପୋଷଣ କରିବେ ଏବଂ କିଛି ଗୋଟିଏ ସମାଧାନ ହୋଇଯାଇପାରେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ତେଣେ ଯୁଦ୍ଧର ଘନଘଟା ଭିତରେ ଶସ୍ତାରେ ଭାରତ ଅଶୋଧିତ ପେଟ୍ରୋଲିୟମ ଯୋଗାଇ ଦେବା ଲାଗି ଋଷିଆର ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଋଷିଆ ସହ ଡିଲ୍ କଲେ ଏହା ଆମେରିକା କଟକଣାର ଉଲ୍ଲଙ୍ଘନ କରିବ ନାହିଁ ବୋଲି ହ୍ୱାଇଟ୍ ହାଇସ ପ୍ରେସ ସଚିବ ଜେନ୍ ସାକି କହିଛନ୍ତି । ତେବେ ୟୁକ୍ରେନ ଯୁଦ୍ଧକୁ ନେଇ ଯେତେବେଳେ ଇତିହାସ ଲେଖାଯିବ, ଭାରତ କେଉଁ ପାଖରେ ରହିବ ତାହା ବି ମନେ ରଖିବା ଉଚିତ୍ ବୋଲି ସେ ପରୋକ୍ଷରେ ଚେତାଇ ଦେଇଛନ୍ତି । ଋଷିଆକୁ ସମର୍ଥନ ଅର୍ଥ ଯୁକ୍ରେନ ଅଧିକାର ଓ ଭୟଙ୍କର ଯୁଦ୍ଧକୁ ସମର୍ଥନ ବୋଲି ସାକି କହିଛନ୍ତି ।

Share this story