ଉପନିବେଶବାଦକୁ ଜଳାଞ୍ଜଳି ଦେଇ ନୂତନ ନୌସେନା ପତାକା ଉନ୍ମୋଚନ କରିବା ସହ ଏହାକୁ ଛତ୍ରପତି ଶିବାଜୀଙ୍କ ନାମରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

मोदि

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆଜି ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ସେବାରେ ସମର୍ପିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶବାଦ କାଳର ନୌସେନା ପତାକା ବଦଳରେ ଭାରତୀୟ ସାମୁଦ୍ରିକ ଐତିହ୍ୟ ଦ୍ୱାରା ସମୃଦ୍ଧ ନୂତନ ପତାକାକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜି କହିଛନ୍ତି ଯେ କେରଳର ଉପକୂଳ, ଭାରତ ଓ ପ୍ରତ୍ୟେକ ଭାରତୀୟ ଆଜି ଏକ ନୂତନ ଭବିଷ୍ୟତର ସୂର୍ୟୋଦୟ ଅବଲୋକନ କରୁଛନ୍ତି । ଆଇଏନଏସ ବିକ୍ରାନ୍ତରେ ଏହି ସମାରୋହ ପାଳିତ ହେଉଥିବା ବେଳେ ବିଶ୍ୱର ଦିଗବଳୟରେ ଏହା ଭାରତର ଉତ୍ସାହ ଓ ଉଦ୍ଦୀପନାର ଏକ କୃତାଞ୍ଜଳି । 

ଆମ ସ୍ୱାଧୀନତା ସଂଗ୍ରାମୀମାନେ ଯେଉଁ ଏକ ସମର୍ଥ ଓ ମଜଭୁତ ଭାରତର ସ୍ୱପ୍ନ ଦେଖିଥିଲେ ଆଜି ତାହା ପ୍ରଦର୍ଶିତ ହୋଇଛି । ପ୍ରଧାନମନ୍ତ୍ରୀ ଆନନ୍ଦରେ ଆତ୍ମହରା ହୋଇ କହିଥିଲେ ଯେ “ବିକ୍ରାନ୍ତ ବିଶାଳ, ବୃହତକାୟ ଓ କଳେବରରେ ମହାନ । ବିକ୍ରାନ୍ତ ମହାନ ଓ ସ୍ୱତନ୍ତ୍ର । ବିକ୍ରାନ୍ତ କେବଳ ଏକ ଯୁଦ୍ଧ ପୋତ ନୁହଁ, ଏହା କଠିନ ପରିଶ୍ରମ, ମେଧା, ପ୍ରଭାବ ଓ ଏକବିଂଶ ଶତାବ୍ଦୀରେ ଭାରତୀୟ ଅଙ୍ଗୀକାରବଦ୍ଧତାର ଏକ ପ୍ରତୀକ । ଯଦି ଲକ୍ଷ୍ୟ ସ୍ଥଳ ଦୂରରେ ଓ ଯାତ୍ରା ଲମ୍ବା; ମହାସାଗର ଓ ଆହ୍ୱାନଗୁଡିକ ଅସୀମ ତେବେ ଭାରତର ଉତ୍ତର ହେଉଛି ବିକ୍ରାନ୍ତ । ଆଜାଦୀ କା ଅମୃତ ମହୋତ୍ସବର ଅତୁଳନୀୟ ଅମୃତ ହେଉଛି ବିକ୍ରାନ୍ତ । ଭାରତ ଆତ୍ମନିର୍ଭରଶୀଳ ହେବାର ବିକ୍ରାନ୍ତ ଏକ ଅନନ୍ୟ ପ୍ରତିଫଳନ ।”

ଦେଶର ବର୍ତ୍ତମାନର ମତିଗତି ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଭାରତ ନିମନ୍ତେ କୌଣସି ଆହ୍ୱାନ କଷ୍ଟସାଧ୍ୟ ନୁହଁ । ସେ କହିଥିଲେ ଯେ “ଆଜି ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ସମକକ୍ଷ ଯାହା ସ୍ୱଦେଶୀ ବୈଷୟିକ କୌଶଳ ବଳରେ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅରର ନିର୍ମାଣ କରିଛି । ଆଜି ଆଇଏନଏସ ବିକ୍ରାନ୍ତ ଦେଶରେ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି ।” ପ୍ରଧାନମନ୍ତ୍ରୀ ନୌସେନା, କୋଚିନ ବନ୍ଦରର ଯନ୍ତ୍ରୀ, ବୈଜ୍ଞାନିକ ଓ ବିଶେଷ କରି ପ୍ରକଳ୍ପ ପାଇଁ କାର୍ଯ୍ୟ କରିଥିବା କର୍ମଜୀବୀମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । ସେ ମଧ୍ୟ ଓନମର ପବିତ୍ର କ୍ଷଣ ବର୍ତ୍ତମାନକୁ ଅଧିକ ଖୁସୀରେ ଭରି ଦେଉଛି ବୋଲି କହିଥିଲେ ।


ଆଇଏନଏସ ବିକ୍ରାନ୍ତର ପ୍ରତ୍ୟେକ ଭାଗର ନିଜସ୍ୱ ଶକ୍ତି, ସୁବିଧା ଓ ସ୍ୱତନ୍ତ୍ରତା ରହିଛି । ଏହା ସ୍ୱଦେଶୀ ସାମର୍ଥ୍ୟ, ସମ୍ପଦ ଓ କୌଶଳର ପ୍ରତୀକ । ଏହାର ବିମାନଘାଟୀରେ ବ୍ୟବହୃତ ଇସ୍ପାତ ମଧ୍ୟ ସ୍ୱଦେଶୀ, ଏହା ଡିଆରଡିଓ ବିଜ୍ଞାନୀମାନଙ୍କ ଦ୍ୱାରା ବିକଶିତ ହେବା ସହ ଭାରତୀୟ କମ୍ପାନୀମାନେ ଏହା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଥିଲେ । ବିଶାଳ କ୍ୟାରିଅରର ବ୍ୟାପକତାକୁ ବିଶ୍ଳେଷଣ କରି ପ୍ରଧାନମନ୍ତ୍ରୀ ଏହାକୁ ଏକ ଭାସମାନ ନଗରୀ ସହ ତୁଳନା କରିଥିଲେ । ଏଥିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ପାଞ୍ଚ ହଜାର ପରିବାରକୁ ଆଲୋକିତ କରିବା ପାଇଁ ଯଥେଷ୍ଟ ଓ ଏଥିରେ ବ୍ୟବହୃତ ତାର ସମସ୍ତଙ୍କୁ ଯୋଡିଲେ ତାହା କୋଚିରୁ କାଶୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ସେ କହିଥିଲେ । ଆଇଏନଏସ ବିକ୍ରାନ୍ତ ହେଉଛି ପାଞ୍ଚପ୍ରାଣର ଜୀବନ୍ତ ବିଗ୍ରହ ଯାହା ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ ସାମୁଦ୍ରିକ ଐତିହ୍ୟ ଓ ନୌସେନା ସାମର୍ଥ୍ୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଛତ୍ରପତି ବୀର ଶିବାଜୀ ମହାରାଜ ସାମୁଦ୍ରିକ ଶକ୍ତି ବଳରେ ଏପରି ନୌସେନା ଗଠନ କରିଥିଲେ ଯାହା ଶତ୍ରୁକୁ ଦୂରେଇ ରଖିଥିଲା । ଯେତେବେଳେ ଇଂରେଜମାନେ ଭାରତକୁ ଆସିଲେ ସେମାନେ ଭାରତୀୟ ଜାହାଜଗୁଡିକ ଦ୍ୱାରା ଭୟଭୀତ ହୋଇ ସେମାନଙ୍କ ସହ ବାଣିଜ୍ୟିକ ସମ୍ବନ୍ଧ ରଖିଥିଲେ । ତେଣୁ ସେମାନେ ଭାରତୀୟ ସାମୁଦ୍ରିକ ଶକ୍ତି ଦୁର୍ବଳ କରିବାକୁ ସ୍ଥିର କଲେ । ସେତେବେଳେ ବ୍ରିଟିଶ ସଂସଦରେ ଆଇନ ପ୍ରଣୟନ କରି କିପରି ଭାରତୀୟ ଜାହାଜଗୁଡିକ ଉପରେ କଠୋର କଟକଣା ଲଗାଯାଇଥିଲା ଇତିହାସ ତାର ମୂକ ସାକ୍ଷୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଐତିହାସିକ ଦିବସ, ସେପ୍ଟେମ୍ବର ୨, ୨୦୨୨ରେ ଭାରତ ଦାସତ୍ୱର ଚିହ୍ନକୁ  ହଟାଇ ଦେଇଛି । ଆଜିଠାରୁ ଭାରତୀୟ ନୌସେନା ଏକ ନୂତନ ପତାକା ଆପଣାଇଛି । ଏ ପର୍ଯ୍ୟନ୍ତ ଦାସତ୍ୱର ପରିଚୟ ଭାରତୀୟ ନୌସେନାର ପତାକାର ରହିଥିଲା  । ମାତ୍ର ଆଜିଠାରୁ ଛତ୍ରପତି ଶିବାଜୀଙ୍କ ଦ୍ୱାରା ଅନୁପ୍ରାଣୀତ ଭାରତୀୟ ନୌସେନାର ନୂତନ ପତାକା ସାଗର ଓ ଆକାଶ ବକ୍ଷରେ ଉଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ବିକ୍ରାନ୍ତ ଆମର ସାମୁଦ୍ରିକ ଅଞ୍ଚଳର ନିରାପତ୍ତା ପାଇଁ ପାଣିକୁ ଓହ୍ଲାଇବ ଅନେକ ନୌସେନାର ମହିଳା ସୈନିକ ସେଥିରେ କାର୍ଯ୍ୟ କରିବେ । ସାଗରର ଅମାପ ଶକ୍ତି ସହ ଅସୀମ ନାରୀ ଶକ୍ତି ନୂତନ ଭାରତର ଉତ୍ତୁଙ୍ଗ ପରିଚୟ ସୃଷ୍ଟି କରିବ । ବର୍ତ୍ତମାନ ଭାରତୀୟ ନୌସେନା ଏହାର ସମସ୍ତ ଶାଖା ମହିଳାଙ୍କ ନିଯୁକ୍ତି ପାଇଁ ମୁକ୍ତ ରଖିଛି । ଆଗରୁ ଥିବା କଟକଣା କ୍ରମଶଃ ହଟାଇ ଦିଆଯାଇଛି ଯେପରି ସାଗର ତରଙ୍ଗର କୌଣସି କଟକଣା ନାହିଁ ସେହିପରି ଭାରତର କନ୍ୟାମାନଙ୍କ ନିମନ୍ତେ ମଧ୍ୟ କୌଣସି କଟକଣା ରହିବ ନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେ ବୁନ୍ଦେ ଜଳ ମିଶି ବିଶାଳ ମହାସାଗର ସୃଷ୍ଟି ହୁଏ । ସେ ମଧ୍ୟ ସ୍ୱଦେଶୀ ତୋପର ଗର୍ଜନ ଏଥର ସ୍ୱାଧୀନତା ଦିବସରେ ଶୁଣିଥିଲେ । ସେହିପରି ଯଦି ପ୍ରତ୍ୟେକ ଭାରତୀୟ ନାଗରିକ ଭୋକାଲ ଫର ଲୋକାଲ ମନ୍ତ୍ରରେ ଅଭିମଣ୍ଡିତ ହୁଅନ୍ତି ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।

ଭୂରଣନୀତିକ ପରିବର୍ତ୍ତିତ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ବିଷୟରେ ଅଣଦେଖା କରାଯାଇଛି । ଭୂରଣନୀତିକ ପରିବର୍ତ୍ତିତ ପରିସ୍ଥିତି ଉପରେ ମନ୍ତବ୍ୟ ଦେଇ ସେ କହିଥିଲେ ଯେ ଅତୀତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ଭାରତ ମହାସାଗର ଅଞ୍ଚଳରେ ସୁରକ୍ଷା ବିଷୟରେ ଅଣଦେଖା କରାଯାଇଛି ।

୧୯୭୧ ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିଅର ନାମରେ ଏହାକୁ ନାମିତ କରାଯାଇଛି । ଏଥିରେ ଦେଶର ପ୍ରମୁଖ ଶିଳ୍ପାନୁଷ୍ଠାନ ଓ ଶହେରୁ ଅଧିକ ଏମଏସଏମଇ ପକ୍ଷରୁ ଯୋଗାଯାଇଥିବା ଯନ୍ତ୍ରାଂଶ ସାହାଯ୍ୟରେ ଏହାର ନିର୍ମାଣ କରାଯାଇଛି । ବିକ୍ରାନ୍ତ ନୌସେନାରେ କମିଶନଭୁକ୍ତ ହେବାଦ୍ୱାରା ଭାରତର ଦୁଇଟି ଏୟାରକ୍ରାଫ୍ଟ କ୍ୟାରିଅର ସକ୍ରିୟ ହୋଇ ଦେଶର ସାମୁଦ୍ରିକ ନିରାପତ୍ତାକୁ ଅଧିକ ମଜଭୁତ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପନିବେଶୀୟ ଅତୀତରୁ ଦୂରେଇ ଯାଇ ଭାରତୀୟ ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ନୂତନ ନୌସେନା ପତାକା (ନିଶାଣ)ର ମଧ୍ୟ ଉନ୍ମୋଚନ କରିଥିଲେ ।

Share this story