ରିଲ ଓ ରିଏଲ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର

Reel

ଓଡ଼ିଆ ଗସିପ ବ୍ୟୁରୋ: ରିଲ ଓ ରିଅଲ ଲାଇଫ ହିରୋ କୁ ନେଇ ପଢନ୍ତୁ ଏହି ଖବର । ଲେଖିଛନ୍ତି ବରିଷ୍ଠ ସାମ୍ବାଦିକ ଜୟନ୍ତ ସେଠ...

1

ଏହି ଦୁଇଟି ଫଟୋକୁ ଯୋଡ଼ିକି ପୋଷ୍ଟ କରିବାର ତାତ୍ପର୍ଯ୍ୟ ଅଛି । ବାମ ପଟଟି ହେଉଛି ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକରେ କାର୍ଯ୍ୟରତ ଥିବା ( ୨୦୧୭ କିମ୍ବା ୨୦୧୮ ମସିହାରେ ) ସରକାରୀ ଡାକ୍ତର ଓମକାର ହୋତା ଜଣେ ରୋଗୀଙ୍କୁ ଆଉ ଜଣେ ସହଯୋଗୀଙ୍କ ସହ ବୋହି ବୋହି ନେବାର ଦୃଶ୍ୟ ।

ଆଜିକୁ ଚାରି ବର୍ଷ ତଳେ ଏହି ଫଟୋ ଟି ରାଜ୍ୟର ସବୁ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଡାକ୍ତର ହୋତା ରାତାରାତି ସାରା ରାଜ୍ୟରେ ପାଲଟି ଯାଇଥିଲେ ସାଧାରଣ ଜନତାଙ୍କ ହିରୋ ।

ରାଜ୍ୟର ଉପାନ୍ତ ଅଂଚଳରେ ଡାକ୍ତର ହୋତାଙ୍କ ଭଳି କିଛି କର୍ତବ୍ୟନିଷ୍ଠ ଡାକ୍ତର ଓଡ଼ିଶାର  ଉପାନ୍ତ ଅଂଚଳ ମାନଙ୍କରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥତି କୁ ସାମ୍ନା କରି ରୋଗୀଙ୍କ ଜୀବନ ବଂଚାଉଛନ୍ତି । ସେତେବେଳେ ହିଁ ଆମେ ମାନେ ଜାଣିବାକୁ ପାଇଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ ଥିବା ଆମ ରାଜ୍ୟରେ ବି ଏଭଳି ଦେବଦୂତ ମାନେ ନିଷ୍ଠାପର ଭାବେ କାମ କରୁଛନ୍ତି । ଡାହାଣ ପଟ ଫଟୋ ଟି ଓଡ଼ିଆ ଫିଲ୍ମ ଷ୍ଟାର ବାବୁସାନ ମଧ୍ୟ ଜଣେ ରୋଗୀଙ୍କୁ ବୋହି ବୋହି ନେବାର ଦୃଶ୍ୟ । ଏହା ହେଉଛି ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ଫିଲ୍ମ 'ଦମନ'ର ଟ୍ରେଲର ର ଫଟୋ ।

ଟ୍ରେଲରଟି ୟୁଟ୍ୟୁବ ରେ ଅପଲୋଡ ହେବାପରେ ଲୋକମାନେ ବହୁସଂଖ୍ୟାରେ ପସନ୍ଦ କରିବା ସହ ଭାଇରାଲ ବି କରିଛନ୍ତି ସୋସିଆଲ ମିଡିଆରେ । ଅନେକ ସକରାତ୍ମକ କମେଣ୍ଟ ଦେଇଛନ୍ତି । ଦେବା କଥା ବି । ବାବୁଶାନଙ୍କ ଭଳି ଗ୍ଲାମରସ ଅଭିନେତା , ଅତି ସାଦାସିଧା ପ୍ୟାଣ୍ଟ ଶାର୍ଟ ପିନ୍ଧା ଅବତାର ,ପୁଣି ବାସ୍ତବବାଦୀ ସଂଳାପ ଆଉ ଅଭିନୟ । ଟ୍ରେଲରତ ଏତେ ଆକର୍ଷଣୀୟ , ପୁରା ସିନେମାଟି କଣ ନ ହେଇଥିବ ? ଟ୍ରେଲର ରେ ବାବୁଶାନ ଜଣେ ତଥାକଥିତ ହିରୋ ଭଳି ତ ଆଦୌ ଦେଖାଯାଉନାହାନ୍ତି । ମନେ ହୁଏ ଏଇ ସିନେମା ଟି ଡାକ୍ତର ଓମକାର ହୋତାଙ୍କ ବାଇଓପିକ । 
ଯାହା ହେଉ ଓଡ଼ିଆ ସିନେମାରେ ବୋଧେ ଭଲ ଦିନ  ଆସୁଛି । ଯୁବ ନିର୍ଦ୍ଦେଶକ ବିଶାଳ ମୌର୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା ଏଥିପାଇଁ ବେଶ କିଛି ଦିନ ଗବେଷଣା କରିଥିବେ ।

ନଚେତ ଏତେ ନିଚ୍ଛକ ଭାବେ ସବୁ ଘଟଣା ପରଦା ଉପରେ ପ୍ରତିଫଳିତ ହୁଅନ୍ତା ନାହିଁ । କିନ୍ତୁ ଓଡ଼ିଆ ସିନେମାକୁ ମିଳିମିଶି ବର୍ବାଦ କରିଦେଇଥିବା ତଥାକଥିତ ଆତ୍ମଘୋଷିତ ନିର୍ଦ୍ଦେଶକ ମାନେ ତ ମାତ୍ର କିଛି ଦିନ ଭିତରେ ହୋଟେଲ ରୁମ୍ ରେ ତିନି ଘଣ୍ଟାର ସିନେମା ଲେଖି ପକାନ୍ତି । 'ଦମନ' କୁ ପ୍ରମୋଟ କରିବାପାଇଁ କୌଣସି ମିଡିଆ କନସଲଟାଣ୍ଟଙ୍କର ଆବଶ୍ୟକତା ପଡିନିକି  କିମ୍ବା ହୋଟେଲରେ  ଖାଇବା ପିଇବା ସହ ଟ୍ରେଲର ରିଲିଜ ଉତ୍ସବ ଆୟୋଜନ କରିବାକୁ ପଡିନି । ଓଡ଼ିଆ ଖବରକାଗଜ ମାନଙ୍କରେ ଦର୍ଶକଙ୍କ ଠାରୁ ପ୍ରତ୍ୟାଖ୍ୟାତ ହେଉଥିବା ବକବାସ ସିନେମା ଗୁଡିକର ଖବର ସହ ଏହାର ଖବର ବିଶେଷ ଭାବେ ପ୍ରକାଶ ପାଇନାହିଁ ,ତାହା ଭଲ କଥା । ଦମନ ପାଇଁ ଏଭଳି ପ୍ରମୋସନ ର ଆବଶ୍ୟକତା ହିଁ ନାହିଁ । କାରଣ ମୋ ଭଳି ଅନେକ ଲୋକ  ସୋସିଆଲ ମିଡିଆ ରେ ଏହାକୁ ଓ ଏହାର ନିର୍ମାତା ମାନଙ୍କୁ ପ୍ରଶଂସା କରୁଛନ୍ତି । 


ବାବୁଶାନ ତ ଜଣେ ପ୍ରଚଣ୍ଡ ପ୍ରତିଭାବାନ ଅଭିନେତା ,ଏହା ବାରମ୍ବାର ପ୍ରମାଣିତ ହୋଇସାରିଛି । କିନ୍ତୁ 'ଦମନ' ଭଳି ଏକ ସିନେମାରେ ଅଭିନୟ କରିବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନିଶ୍ଚୟ ।ଆଉ ସିଏ ଖୁସି ରେ ଏଇ ଚ୍ୟାଲେଞ୍ଜ କୁ ଗ୍ରହଣ କରିଛନ୍ତି , ତାହା ବଡ଼ କଥା ।  ଡାକ୍ତରଙ୍କ ସହକାରୀ ଭୂମିକାରେଓଡ଼ିଆ web series ରେ ଅଭିନୟ କରୁଥିବା ଦ୍ବୀପାନ୍ବିତ ଦାସ ମହାପାତ୍ରଙ୍କର ଚମତ୍କାର ଅଭିନୟ ଆକର୍ଷିତ କରୁଛି । ରିଲିଜ ହେବାପରେ ଯେ 'ଦମନ' ବ୍ୟାବସାୟୀକ ଭାବେ ସଫଳ ହେବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ , କାରଣ ସିନେମା ହଲ ସଂଖ୍ୟା ତ ଓଡ଼ିଶାରେ ମାତ୍ର ୭o। କିନ୍ତୁ ଏହା ଓଡ଼ିଆ ସିନେମା ଦେଖିବା ପାଇଁ ସଚେତନ ଦର୍ଶକଙ୍କୁ ହଲ କୁ ଟାଣିବାରେ ପ୍ରଥମ ପାହାଚ ହେବ ଏଥିରେ ସନ୍ଦେହ ନାହିଁ। ।


ଥରେ ଆପଣ ମାନେ youtube ରେ ‘ଦମନ’ର ଟ୍ରେଲର ଦେଖିଲେ ଜାଣିପାରିବେ କାହିଁକି ମୁଁ ଏଇ ଲମ୍ବା ପୋଷ୍ଟ ଟି କଲି ।

Share this story