ଗର୍ଭାବସ୍ଥାରେ ଥିଲେ କେଉଁ ଯୋଗ ଓ କେମିତି କରିବେ? ଡାକ୍ତରଙ୍କ ପରାମର୍ଶ ଜରୁରୀ
ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରତ୍ୟକ ନାରୀର ସବୁଠାରୁ ବଡ଼ ସ୍ୱପ୍ନ ସେ ମାଆ ହେବ । ସନ୍ତାନ ଜନ୍ମ ଦେବ ଏବଂ ମାତୃତ୍ୱ ଲାଭର ସୌଭାଗ୍ୟ ପାଇବ । ଆମ ଯୋଗ ଶାସ୍ତ୍ରରେ ଏମିତି ଅନେକ ସରଳ ଓ ସହଜ ଯୋଗାଭ୍ୟାସ ସମ୍ପର୍କରେ ଉଲ୍ଲେଖ ରହିଛି ଯାହା ଦ୍ୱାରା ପ୍ରସବ ବେଦନା କମ୍ ରହିବ ତ ରହିବ କିନ୍ତୁ ତା ସହ ଉଭୟ ମାଆ ଓ ଶିଶୁ ସୁସ୍ଥ ରହିବେ ।
ବିଶେଷ କରି ପ୍ରଥମ ତିନି ମାସରେ ଯୋଗାଭ୍ୟାସ ଜରୁରୀ ଅଟେ । ଚିକିତ୍ସା ବିଜ୍ଞାନରେ ଭୃଣ ଜରାୟୁର ଅନ୍ତଃସ୍ଥ ଝିଲ୍ଲି(Endometrium) ସହ ସଂଯୁକ୍ତ ହେବା ଦିନଠାରୁ ଗର୍ଭ ଆରମ୍ଭ ଦିନ ବୋଲି ଧରାଯାଏ । ଏହି ଝିଲ୍ଲି ସଂଯୁକ୍ତ ବା ଇମ୍ପ୍ଲାଣ୍ଟେସନ (Implantation) ଦିନ ଅଧିକାଂଶ ମହିଳାଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଅଳ୍ପ ସଂଖ୍ୟକ ମହିଳାଙ୍କର ସାମାନ୍ୟ ରକ୍ତ ସ୍ରାବ ହୁଏ । ଇମ୍ପ୍ଲାଣ୍ଟେଶନ ପରେ ଏଣ୍ଡୋମେଟ୍ରିଅମକୁ ଡେସିଡୁଆ କହନ୍ତି । ଏହି ଡେସିଡୁଆ ଓ ତତ୍ ସଂଲଗ୍ନ ଭୃଣର ବହିଃସ୍ଥ ସ୍ତର ମିଶି ପ୍ଲାସେଣ୍ଟା ପ୍ରସ୍ତୁତ କରନ୍ତି । ପ୍ଲାସେଣ୍ଟା ମାଧ୍ୟମରେ ଭୃଣକୁ ପୋଷକ ଯୋଗାଣ, ବର୍ଜ୍ୟ ପଦାର୍ଥ ନିଷ୍କାସନ ଓ ମାର ରକ୍ତ ବିନିମୟଦ୍ୱାରା ଅମ୍ଳଜାନ ଯୋଗାଣ ହୁଏ । ନାଭି ନାଡ଼ଦ୍ୱାରା ପ୍ଲାସେଣ୍ଟା ଓ ଭୃଣ/ଫିଟସର ସଂଯୋଗ ହୁଏ । ଏହି ଭୃଣ ବା ଫିଟସ ବହୁତ ଶୀଘ୍ର ବୃଦ୍ଧି ପ୍ରାପ୍ତ୍ ହୁଏ ।
ଗର୍ଭର ପ୍ରଥମ ତିନି ମାସରେ ୬୦% ମହିଳା ପ୍ରାତଃ ଅସୁସ୍ଥତା ବା ମର୍ଣିଂ ସିକନେସ୍ ଅନୁଭବ କରନ୍ତି । ଏହି ଅସୁବିଧା ଦିନର ଯେ କୌଣସି ସମୟରେ ମଧ୍ୟ ହୋଇପାରେ ଓ ବାନ୍ତି ବାନ୍ତି ଲାଗେ । ପ୍ରଥମ ତ୍ରୈମାସିକ ପରେ ଏହି ଅସୁସ୍ଥତା କମି ଯାଏ ।
ଗର୍ଭ ଧାରଣ ପରେ ନିପ୍ଲ ଓ ଏରିଓଲା ରଙ୍ଗ ବଦଳି କଳା ଦେଖାଯାଏ । ଏହି ପ୍ରକ୍ରିୟା ଗର୍ଭାବସ୍ଥା ସମୟରେ ଲାଗି ରହେ । ପ୍ରଥମ ତିନି ମାସ ମଧ୍ୟରୁ ପ୍ରଥମ ୨ ସପ୍ତାହରେ ପ୍ରକୃତରେ ଗର୍ଭ ଧାରଣ ହୋଇ ନ ଥାଏ । ଏହା ମଧ୍ୟରେ ଋତୁ ସ୍ରାବ ସମୟ ମଧ୍ୟ ଅନ୍ତର୍ଭୁକ୍ତ । ତୃତୀୟ ସପ୍ତାହରେ ଗର୍ଭାଧାନ ହୁଏ । ଚତୁର୍ଥ ସପ୍ତାହରେ ଇମ୍ପ୍ଲାଣ୍ଟେସନ ହୁଏ । ବ୍ଲାସ୍ଟୋସିସ୍ଟ ଓ ପ୍ଲାସେଣ୍ଟା ମଧ୍ୟ ତିଆରି ହୁଏ । ପଞ୍ଚମ ସପ୍ତାହରୁ ଭୃଣ ଗଠନ କ୍ରିୟା ଆରମ୍ଭ ହୁଏ । ଭୃଣର ଆବରଣରେ ତିନୋଟି ସ୍ତର ଥାଏ । ବାହ୍ୟ ସ୍ତରରୁ (Ectoderm)ସ୍ନାୟୁ, ମସ୍ତିଷ୍କ, ଆଖି, କାନର ଭିତର ଭାଗ, ଚମର ବାହ୍ୟ ସ୍ତର ଓ ସଂଯୁକ୍ତକାରୀ ତନ୍ତୁ ତିଆରି ହୁଏ । ମଝି ସ୍ତରରୁ (Mesoderm)ହୃତପିଣ୍ଡ,ଅସ୍ଥି, ମାଂସ ଓ କିଡନି ଇତ୍ୟାଦି ତିଆରି ହୁଏ । ଭିତର ସ୍ତର ବା ଏଣ୍ଡୋଡର୍ମରୁ ଫୁସଫୁସ, ମୂତ୍ରାଶୟ ଓ ଅନ୍ତନାଳୀ ପ୍ରସ୍ତୁତ ହୁଏ । ପଞ୍ଚମ ସପ୍ତାହରେ ଭୃଣର ଲମ୍ବ ୧.୬ରୁ ୩.୨ ମିଲିମିଟର ହୋଇଥାଏ ।
ଷଷ୍ଠ ସପ୍ତାହରେ ମୁଖାକୃତି ଦେଖାଯାଏ, ଅବୟବ ଗଠନ ଆରମ୍ଭ ହୁଏ ଓ ଏହାର ଲମ୍ବ ୪.୨ରୁ ୬.୩ ମିମି ହୁଏ । ଏହା ପରବର୍ତ୍ତୀ ସମୟରେ ଅବୟବ, ମସ୍ତିଷ୍କ ଶିଘ୍ର ଗଠିତ ହୁଏ । ଅଷ୍ଟମ ସପ୍ତାହ ବେଳକୁ ଚଲ ପ୍ରଚଲ ଆରମ୍ଭ ହୁଏ । ଏହାର ପରବର୍ତ୍ତୀ ୩ ସପ୍ତାହରେ ପାଦ, ବେକ ଓ ଲିଙ୍ଗ ଗଠନ ହୁଏ । ପ୍ରଥମ ତ୍ରୈମାସିକ ଶେଷ ବେଳକୁ ଫିଟସର ଲମ୍ବ ୩ ଇଞ୍ଚ ହୁଏ । ଏଇ ତିନି ମାସ ମଧ୍ୟରେ ଗର୍ଭପାତ ଓ ବିକଳାଙ୍ଗ ସମ୍ଭାବନ ଅନ୍ୟ ସମୟ ଅଧିକ ଥାଏ ।
ତେଣୁ ଯୋଗ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ତେବେ ଯେ କୌଣସି ଯୋଗାଭ୍ୟାସ ପୂର୍ବରୁ ଗର୍ଭବତୀ ମିହିଳାମାନେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।