ଦ୍ଵିତୀୟ ମୁଣ୍ଡ ନେଲା କରୋନା: ଏବେ ଓଡ଼ିଶାକୁ ଅଧିକ ବିପଦ ବଢିଲା…


ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରଥମେ କର୍ଣ୍ଣାଟକ ଆଉ ଏବେ ରାଜଧାନୀ ଦିଲ୍ଲୀରେ ଗଡିଲା ମୁଣ୍ଡ । ମାରାତ୍ମକ ମହାମରି କରୋନା ନେଲା ଦ୍ଵିତୀୟ ଜୀବନ । ଭାରତରେ ଆଜି ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି, ଯାହାକୁ ନେଇ ଚିନ୍ତା ଅଧିକ ବଢ଼ିଛି । ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଛନ୍ତି । ମହିଳାଙ୍କ ଘର ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ମୃତ ମହିଳାଙ୍କୁ ତାଙ୍କ ପୁଅ ଠାରୁ କରୋନା ଭାଇରସ୍ ସଂକ୍ରମଣ ହୋଇଥିବା ସୂଚନା ରହିଛି । ମୃତ ମହିଳାଙ୍କ ପୁଅ ଫେବୃଆରୀ ମାସରେ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲି ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହାପରେ ତାଙ୍କ ମା’ଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ।
ମହିଳା ଜଣକ ଡାଇବେଟିସ୍ ଓ ହାଇପରଟେନ୍ସନ୍ରେ ପୀଡିତ ଥିଲେ । କରୋନା ଲାଗି ହୋଇଥିବା ରକ୍ତ ପରୀକ୍ଷା ପଜେଟିଭ୍ ବୋଲି ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।
ପୂର୍ବରୁ ଗତକାଲି ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିଲା । କର୍ଣ୍ଣାଟକର କଲ୍ବର୍ଗୀ ଅଞ୍ଚଳର ୭୬ ବର୍ଷିଅ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସେ ସାଉଦୀ ଆରବରୁ ଫେରିଥିଲେ । ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା ବୋଲି କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
କରୋନା ଭାଇରସ୍ ବିଶ୍ୱର ୧୦୦ରୁ ଉର୍ଦ୍ଧ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଆଉ ୫ଜଣ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି । ଏହାକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ତଥ୍ୟ ଅନୁସାରେ ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୪ଜଣ ଭାରତୀୟ ଥିବା ବେଳେ ୧୬ଜଣ ଇଟାଲୀୟ ଏବଂ ଜଣେ କାନାଡା ନାଗରିକ ଅଛନ୍ତି ।