ରାଜ୍ୟରେ ଆଉ ମାସକ ପାଇଁ ଲକ ଡାଉନ ଅବଧି ବଢ଼େଇବା ନେଇ ଇସାରା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ


ଓଡ଼ିଆ ଗସିପ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିିିନକୁ ଦିନ ବଢୁଥିବା ବେଳେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଖୋଦ ରାଜ୍ୟ ସରକାର । ତେବେ କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ ଡାଉନ ହିଁ ଏକମାତ୍ର ପନ୍ଥା । ରାଜ୍ୟରେ ଜାରି ରହିଥିବା ଲକ ଡାଉନ ମେ ୩ ରେ ସରୁଥିବା ବେଳେ ଏହାକୁ ବଢ଼େଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ । ଇତିମଧ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ଆଉ ମାସେ ବଢ଼ାଇବା ଲାଗି ଦାବି କରାଯାଇଛିି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଘୋଷଣା କରିବାକୁ ରାଜ୍ୟ ଦାବି କରିଛି । ଓଡ଼ିଶାର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଆରମ୍ଭ ହୋଇ ସାରିଥିବାରୁ ଶ୍ରମିକଙ୍କୁ ଫେରାଇ ଆଣିବାରେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
ତେବେ ଯେଉଁ ରାଜ୍ୟରୁ ଶ୍ରମିକମାନେ ଆସିବେ, ସେଠାରେ ପ୍ରଥମେ ତାଙ୍କୁ କରୋନା ଟେଷ୍ଟ କରି ସାରି ପରେ ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାସହ ଶ୍ରମିକଙ୍କୁ ଆଣିବା ଲାଗି ଏପ୍ରିଲ ୩୦ ତାରିଖ ସୁଦ୍ଧା ନିୟମାବଳୀ ପ୍ରସ୍ତୁତ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଏହାଛଡ଼ା ପଶ୍ଚିମବଙ୍ଗ ପେରନ୍ତା ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ସେନେଇ ମଧ୍ୟ ପଦକ୍ଷେପ ନିଆଯାଇଛି । ପଶ୍ଚିମବଙ୍ଗ ଫେରାନ୍ତଙ୍କୁ ଠାବ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି ।