ମରୁଛି ମଣିଷ ହସୁଛି କରୋନା: ମଣିଷମରା ଭାଇରସ ନେଲା ଆଜି ବି ଜୀବନ, ବଢ଼ିଲା ଚିନ୍ତା

ମରୁଛି ମଣିଷ ହସୁଛି କରୋନା: ମଣିଷମରା ଭାଇରସ ନେଲା ଆଜି ବି ଜୀବନ, ବଢ଼ିଲା ଚିନ୍ତା
ମରୁଛି ମଣିଷ ହସୁଛି କରୋନା: ମଣିଷମରା ଭାଇରସ ନେଲା ଆଜି ବି ଜୀବନ, ବଢ଼ିଲା ଚିନ୍ତା

ଓଡ଼ିଆ ଗସିପ୍ ବ୍ୟୁରୋ: ବେକାବୁ ରାଜ୍ୟର କରୋନା ସ୍ଥିତି । ଗଲା କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ମଣିଷ ମାରୁଛି ମଣିଷମରା ଭାଇରସ କରୋନା । ଏହା ଉପରେ କାବୁ ପାଇବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ବ୍ରହ୍ମାସ୍ତ୍ର ଛାଡ଼ୁଥିଲେ ମଧ୍ୟ କୌଣସି ପ୍ରଭାବ ପଡ଼ୁନାହିଁ ।

ଆଜି ବି ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଶବ ପଲଟିଛନ୍ତି କରୋନା ରୋଗୀ । ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି ।

ଏହି ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ସେହିଭଳି ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର ଓ ଅନ୍ୟ ଜଣେ ଭୁବନେଶ୍ୱରର । ଭୁବନେଶ୍ୱରରୁ ଯିଏ ପ୍ରାଣ ହରାଇଛନ୍ତି ସେ ଜଣେ ପୁରୁଷ । ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ବ୍ଲଡ୍ କ୍ୟାନସରରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ସେହିପରି ଖୋର୍ଦ୍ଧାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ୪୦ ବର୍ଷ ହୋଇଥିଲା ।

କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସେ ମୁଖ କର୍କଟରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ । ଗଞ୍ଜାମରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ୍ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ ।

ଏହା ସହିତ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୪୪ ଓ କଟକରେ ୮ରେ ପହଞ୍ଚିଛି । ବାକି ମୃତକଙ୍କ ମଧ୍ୟରୁ ୨ ଜଣ ପୁରୀର ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତିରୁ ଜଣେ ଲେଖାଏଁ ଅଛନ୍ତି ।

କରୋନାରେ ଆକ୍ରାନ୍ତ ହୋଇଥିବା ଆହୁରି ୨୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ସେମାନଙ୍କର କରୋନା ଯୋଗୁ ମୃତ୍ୟୁ ଘଟି ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯,୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୪୯୨୯ ଜଣ ଚିକିତ୍ସାଧୀନ ଅଛନ୍ତି ।

Share this story