ପ୍ରତିରୋଧକ ପ୍ରତିକ୍ରିୟା ଦେଖାଉଛି କରୋନା ଟିକା, ସେପ୍ଟେମ୍ବର ସୁଦ୍ଧା ଅକ୍ସଫୋର୍ଡ ଟିକା…


ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ରିଟେନ୍ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକାକୁ ଦେଇ ଆଶା ବଢ଼ିବାରେ ଲାଗିଛି । ଚଳିତବର୍ଷ ସେପ୍ଟେମ୍ବର କିମ୍ବା ବର୍ଷ ଶେଷ ବେଳକୁ ଏହି ଟିକା ଉପଲବ୍ଧ ହୋଇପାରେ ।
ସେପ୍ଟେମ୍ବର ସୁଦ୍ଧା ଏହାର ୧୦ଲକ୍ଷରୁ ଅଧିକ ଡୋଜ୍ ଉତ୍ପାଦନ କରାଯିବ ବୋଲି ଜଣାପଡିଛି । ଟିକାର ପ୍ରଥମ ମାନବ ପରୀକ୍ଷଣ ସଫଳ ହୋଇଛି ।
ଲୋକଙ୍କଠାରେ ଏହା ସୁରକ୍ଷାତ୍ମକ ପ୍ରତିରୋଧକ ପ୍ରତିକ୍ରିୟା ଜନ୍ମାଇବାରେ ସମର୍ଥ ହୋଇଥିବା ଗବେଷକମାନେ ଦାବି କରିଛନ୍ତି ।
ବ୍ରିଟେନ୍ ଗବେଷକଙ୍କ କହିବା ମୁତାବକ ଏପ୍ରିଲରେ ଟିକାର ପ୍ରଥମ ମାନବ ପରୀକ୍ଷଣ ହୋଇଥିଲା । ପାଖାପାଖି ୧୦୦୦ ଲୋକଙ୍କୁ ଏହା ଦିଆଯାଇଥିଲା ।
ନିକାଟି ନିରାପଦ କି ନୁହେଁ, ତାହା ଜାଣିବା ଲାଗି ଏହି ପରିକ୍ଷା ହୋଇଥିଲା । କିନ୍ତୁ ପ୍ରକୃତରେ ଏହା ସେମାନଙ୍କଠାରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥିବା ଦେଖିବାକୁ ମିଳିଥିଲା । ଏବେ ଟିକାଟି ସଫଳ ହେବ ବୋଲି ଗବେଷକମାନେ ଦାବି କରୁଛନ୍ତି ।
ଅକ୍ସଫୋର୍ଡ ୟୁନିଭର୍ସିଟିର ଆଡ୍ରିଆନ ହିଲ୍ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା ୧୦ଲକ୍ଷରୁ ଅଧିକ ଡୋଜ୍ ଉତ୍ପାଦନ କରାଯିବ । ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ପାଦନ ଆହୁରି ବୃଦ୍ଧି କରାଯିବ । ତେବେ ବର୍ଷ ଶେଷ ବେଳକୁ ଟିକା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଭାରତରେ ବିକଶିତ ହୋଇଥିବା କରୋନା ଟିକା ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୋମବାର କହିଛନ୍ତି ।
ସେ କହିଛନ୍ତି, ଘରୋଇ ଟିକାର ପରୀକ୍ଷା ୩ଟି ପର୍ଯ୍ୟାୟରେ ହେବ । ନିର୍ଦ୍ଦିଷ୍ଟ ଭାବେ ଏହା କେବେ ବ୍ୟବହାର ପାଇଁ ଉପଲବ୍ଧ ହେବ, ତାହା ଆକଳନ କରିବା କଷ୍ଟକର । କିନ୍ତୁ ଯଦି ସବୁ କିଛି ଠିକଣା ଭାବେ ଚାଲେ, ତେବେ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୧ ଆରମ୍ଭରେ ଏହି ଟିକା ଆସିପାରେ ।
ଗୁଲେରିଆ ଆହୁରି କହିଛନ୍ତି, ବିଶ୍ୱର ଅନ୍ୟ କେଉଁଠାରେ କରୋନା ଟିକା ତିଆରି ଚାଲିଥିଲେ ବି ଭାରତ ଏହାର ଉତ୍ପାଦନରେ ସାମିଲ ହେବ । କାରଣ ବିଶ୍ୱରେ ଉପଲବ୍ଧ ହେଉଥିବା ଟିକାର ୬୦ ପ୍ରତିଶତ ଭାରତରେ ଉତ୍ପାଦନ ହେଉଛି । ଟିକା ଉତ୍ପାଦନରେ ଭାରତ ବେଶ୍ ଆଗରେ ରହିଛି ।