ସିଦ୍ଧାର୍ଥଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମିଳିନାହିଁ: ‘ସିଡ଼ନାଜ’ଙ୍କ ସମର୍ଥକଙ୍କୁ ଆହୁରି ଚକିତ କରିବ ଏହି ଖବର.....

ଓଡ଼ିଆ ଗସିପ୍ ବ୍ୟୁରୋ: ହିନ୍ଦୀ ଟେଲିଭିଜନ୍ ଶିଳ୍ପର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଆଉ ଏହି ଦୁନିଆରେ ନାହାନ୍ତି । ଗୁରୁବାର ସକାଳେ ହୃଦ୍ଘାତ ହେତୁ ତାଙ୍କର ଦେହାନ୍ତ ହୋଇଛି। ଗତକାଲି କୁପର ହସ୍ପିଟାଲ ପକ୍ଷରୁ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ପୁଲିସକୁ ଦିଆଯାଇଛି । ଏହି ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମିଳିନାହିଁ, କେମିକାଲ ଅନୁସନ୍ଧାନ ପରେ ବିସ୍ତୃତ ରିପୋର୍ଟ ମିଳିବାର ସମ୍ଭାବନା ରହିଛି। ଏହାରି ଭିତରେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକି ‘ସିଡ଼ନାଜ’ (ସିଦ୍ଧାର୍ଥ ଆଉ ଶେହେନାଜ)ଙ୍କ ସମର୍ଥକଙ୍କୁ ଆହୁରି ଚକିତ କରିବ ।
ଖବର ଅନୁଯାୟୀ, ଶେହନାଜ୍ ଗିଲଙ୍କ ପିତା ସନ୍ତୋଷ ସିଂଙ୍କ କହିଛନ୍ତି ଯେ, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହେନାଜଙ୍କ ଅବସ୍ଥା ଖରାପ ହୋଇପଡିଛି । ଶେହେନାଜ ତାଙ୍କୁ କହିଥିଲେ ଯେ ତାଙ୍କ କୋଳରେ ହିଁ ସିଦ୍ଧାର୍ଥ ଦୁନିଆକୁ ଛାଡି ଚାଲିଯାଇଛନ୍ତି । ସିଦ୍ଧାର୍ଥଙ୍କ ପରେ ବର୍ତ୍ତମାନ ମୁଁ କ’ଣ କରିବି, ମୁଁ କିପରି ବଞ୍ଚିବି ବୋଲି ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି ସେ ।
କୁହାଯାଉଛି ଯେ ସିଦ୍ଧାର୍ଥ ବୁଧବାର ରାତି ୯:୩୦ରେ ଘରକୁ ଫେରିଥିଲେ । କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ସେହି ସମୟରେ ଘରେ ସିଦ୍ଧାର୍ଥଙ୍କ ମା ଏବଂ ଶେହେନାଜ ଗିଲ ଘରେ ଉପସ୍ଥିତ ଥିଲେ। ପ୍ରଥମେ ସେ ସିଦ୍ଧାର୍ଥଙ୍କୁ ଲେମ୍ବୁପାଣି ଦେଇଥିଲେ ଏବଂ ପରେ ଆଇସ୍କ୍ରିମ୍ ଖାଇବାକୁ ଦେଇଥିଲେ, ଯାହାଫଳରେ ସିଦ୍ଧାର୍ଥ ଆରାମ ଅନୁଭବ କରିବେ । କିନ୍ତୁ ସିଦ୍ଧାର୍ଥଙ୍କୁ ଆରାମ ମିଳିନଥିଲା। ସେ ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।ତା’ପରେ ତାଙ୍କ ମା ଏବଂ ଶେହନାଜ ତାଙ୍କୁ ବିଶ୍ରାମ ନେବାକୁ କହିଥିଲେ।
ସୂତ୍ରରୁ ପ୍ରକାଶ ଯେ ରାତି ପ୍ରାୟ ସାଢେ ଗୋଟାଏ ବେଳେ ସିଦ୍ଧାର୍ଥ ଶୁକ୍ଲା ଶେହେନାଜଙ୍କ କୋଳରେ ଶୋଇପଡିଥିଲେ। ଧୀରେ ଧୀରେ ଶେହେନାଜଙ୍କ ଆଖି ମଧ୍ୟ ଲାଗିଯାଇଥିଲା। ଯେତେବେଳେ ଶେହେନାଜ ସକାଳ ପ୍ରାୟ ୭ଟା ସମୟରେ ଉଠିଲେ, ସେ ଦେଖିଲେ ଯେ ସିଦ୍ଧାର୍ଥ ଯେଉଁଭଳି ଶାରୀରିକ ଭଙ୍ଗିରେ ଶୋଇଥିଲେ ଠିକ ସେଇଭଳି ଶୋଇଛନ୍ତି। ଏହାପରେ ସେ ସିଦ୍ଧାର୍ଥଙ୍କୁ ଉଠାଇବାକୁ ଚେଷ୍ଟା କଲେ କିନ୍ତୁ ସେ ଉଠି ନଥିଲେ। ତାଙ୍କ ଶରୀର ନିଶ୍ଚଳ ହୋଇପଡ଼ିଥିଲା । ଏହା ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।