ଅଭିଯୋଗ ନେଇ ଥାନାକୁ ଯିବାକୁ ଡରୁଛନ୍ତି ମହିଳା: ଖେଳ କରିଦେଉଛନ୍ତି ଖାକି ବାବୁ

ଓଡ଼ିଆ ଗସିପ୍ ବ୍ୟୁରୋ: ରକ୍ଷକ ଯଦି ଭକ୍ଷକ ହୁଏ ତେବେ ଜଣେ କଣ କରିବ । ମାନ ମହତ ଗଲା ପରେ କେବଳ ଲୁହ ଗଡ଼ାଇବା ଛଡ଼ା ଆଉ କିଛି ନୁହେଁ । ରାଜସ୍ଥାନରୁ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ପୋଲିସ ପ୍ରଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏହା ସହ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ଉଠୁଛି ।
ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ତିନି ଦିନ ଧରି ଦୁଷ୍କର୍ମ କଲେ ପୁଲିସ ବାବୁ । ରାଜସ୍ଥାନର ଅଲୱର ଜିଲ୍ଲାର ଖେଡଲି ପୁଲିସ ଷ୍ଟେସନର ପୁଲିସ ବାବୁଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଆଉ ଏହି ଘଟଣା ବାବଦରେ ଜଣାପଡିବା ପରେ ଅଭିଯୁକ୍ତ ସବଇନ୍ସପେକ୍ଟର ଭରତ ସିଂହଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ହେଡ଼ କନେଷ୍ଟବଳ ପ୍ରକାଶ ଚାନ୍ଦଙ୍କୁ ନିଲମ୍ବିତ କରାଯାଇଛି ।
ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨ ତାରିଖରେ ୨୬ ବର୍ଷୀୟ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଖେଡଲି ଥାନାକୁ ଆସିଥିଲେ । ଆଉ ଥାନାରେ ଥିବା ସବଇନ୍ସପେକ୍ଟର ଭରତ ସିଂହ ମହିଳାଙ୍କୁ ଥାନା ପରିସରରେ ଥିବା ଷ୍ଟାଫ କ୍ୱାର୍ଟରକୁ ଡାକିଥିଲେ । ସେଠାରେ ମହିଳାଙ୍କୁ ୩ ଦିନ ଧରି ରଖି ଦୁଷ୍କର୍ମ କରିଥିଲେ ।
ତେବେ ଦୁଷ୍କର୍ମ ବାବଦରେ ସବୁ ଜାଣି ମଧ୍ୟ ହେଡ଼ କନେଷ୍ଟବଳ ନିରବ ରହିଥିଲେ । ଏ ବାବଦରେ ମହିଳା ଜଣକ ରବିବାର ସନ୍ଧ୍ୟାରେ ଥାନା ଅଧିକାରୀଙ୍କୁ ସବଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସବଇନ୍ସପେକ୍ଟର ଭରତ ସିଂହଙ୍କୁ ଗିରଫ କରାଯାଇଛି । ଆଉ ଆଜି ଉପରିସ୍ଥ ଅଧିକାରୀଙ୍କ ପାଖରେ ଏନେଇ ଖବର ପହଂଚିବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଖେଡଲି ଥାନା ଅଧିକାରୀ ହନୁମାନ ସହାୟଙ୍କୁ ବଦଳି କରାଯାଇଛି ।