'ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲା, ଶେଷରେ ସିଏ ଧୋକା ଦେଲା...ମୁଁ ଆତ୍ମହତ୍ୟା କରୁଛି'

Suicide

ଓଡ଼ିଆ ଗସିପ ବ୍ୟୁରୋ: 'ମୁଁ ତାକୁ ଭଲ ପାଉଥିଲି । ସେ ମୋର ସବୁ କିଛି ଥିଲା । ଯାହାକୁ ସବୁ କିଛି ଦେଲି, ଶେଷରେ ସିଏ ଧୋକା ଦେଲା । ଏପରିକି ବିବାହର କଥା ଦେଇ ଶାରୀରିକ ସମ୍ପର୍କ ରଖିଲା । ହେଲେ ପରେ ମୁହଁ ଫେରାଇ ନେଲା ।

ବିବାହ ପାଇଁ ରାଜି ହେଲାନି କି ଧରାଛୁଆଁ ଦେଲାନି । ମୋ ଆଗରେ ଆଉ କିଛି ବାଟ ନାହିଁ । ମୋତେ ମରିବାକୁ ବାଧ୍ୟ କରୁଛି । ତେଣୁ ନିଜ ହାତରେ ନିଜ ଜୀବନ ସାରୁଛି । '
ଗତକାଲି ରେଢ଼ାଖୋଲରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀଙ୍କର ଜୀବନ ହାରିବା ପଛର କାରଣ ସେ ନିଜେ ସଫା ସଫା ଲେଖି ଦେଇ ଯାଇଛନ୍ତି ।

ଯୁବତୀଜଣକ ଚାରମାଳ ଥାନା କରଡ଼ାପାଲ ଗାଁର ରଞ୍ଜିତା ଧଳ ବୋଲି ଚିହ୍ନଟ ହୋଇଛନ୍ତି । ତାଙ୍କ ବ୍ୟାଗରୁ ମିଳିଥିବା ସୁଇସାଇଡାଲ ନୋଟରୁ ସଫା ସଫା ଜଣାପଡ଼ୁଛି ଆତ୍ମହତ୍ୟାର କାରଣ । ପ୍ରେମ ଓ ପ୍ରତାରଣା ଯୋଗୁଁ ଯୁବତୀଜଣକ ଆତ୍ମହତ୍ୟା କରିଥିବା ଲେଖା ଯାଇଛି । ପୋଲିସ୍ ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ କରୁଛି ।

ମୃତ ଯୁବତୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ନେଇଥିବା ବେଳେ ଏଥିପାଇଁ ଜଣେ ବିବାହିତ ବ୍ୟକ୍ତିକୁ ଦାୟୀ କରିଛନ୍ତି । ପୁଲିସ୍‌ ଏବେ ମାମଲାର ତଦନ୍ତ କରୁଛି  ।

ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନରେ ଜଣେ ଯୁବତୀ ରେଲୱେ ଟ୍ରାକ୍‌ ନିକଟରେ ମୋବାଇଲରେ କଥା ହେଉଥିଲେ । କଥା ହେଲା ବେଳେ କାନ୍ଦୁଥିଲେ ଓ ଭାରି ବ୍ୟସ୍ତ ଜଣାପଡ଼ୁଥିଲେ ।

ପରେ ସେହି ଟ୍ରାକରେ ଏକ ମାଲ ଟ୍ରେନ ଆସିବାରୁ ତା’ ସାମ୍ନାକୁ ହଠାତ ଡେଇଁ ପଡ଼ିଥିଲେ । ମାଲବାହୀ ଟ୍ରେନ ଡ୍ରାଇଭର ଯୁବତୀଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ପାରି ଟ୍ରେନକୁ ଅଟକାଇ ଦେଇଥିଲେ । ଏନେଇ ସେ  ଜିଆରପି ପୁଲିସ ଓ ଲାଇନ ମ୍ୟାନକୁ ଖବର ଦେଇଥିଲେ ।

ଯୁବତୀଙ୍କ ବୟସ ୨୦ରୁ ୨୫ ହେବ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିଲା । ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।
ଏନେଇ ତଦନ୍ତକାରୀ ପୁଲିସ୍‌ ଅଧିକାରୀ କହିଛନ୍ତି, ମୃତଦେହ ନିକଟରୁ ବ୍ୟାଗ ଜବତ ହୋଇଛି । ଉକ୍ତ ବ୍ୟାଗରେ ମୋବାଇଲ ଓ ଏକ ସୁଇସାଇଡାଲ ନୋଟ ଥିଲା । ଉକ୍ତ ନୋଟରେ ଯୁବତୀଜଣକ ନିଜ ଆତ୍ମହତ୍ୟା ପଛର କାରଣ ଲେଖି ଯାଇଛନ୍ତି ।

Share this story