ଏସଡିଏମଙ୍କୁ ଚପଲରେ ମାରିବାକୁ ଉଦ୍ୟମ କଲେ ମହିଳା

crime

ଓଡ଼ିଆ ଗସିପ୍ ବ୍ୟୁରୋ: ସ୍ୱାମୀ ଭାଙ୍ଗିଲେ ନିୟମ, ହଙ୍ଗାମା କଲେ ସ୍ତ୍ରୀ । କରୋନା ନିୟମ ଉଲ୍ଲଂଘନ କରିଥିବାରୁ ସ୍ୱାମୀର ସ୍କୁଟି ଭାଙ୍ଗିଦେଲେ, ରାଗରେ ଜର ଜର ହୋଇ ଏସଡିଏମଙ୍କୁ ଚପଲରେ ମାଡ଼ ମାରିବାକୁ ଉଦ୍ୟମ କଲେ ସ୍ତ୍ରୀ । ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ମହିଳା ହାତରେ ଚପଲ ଧରି ଏସଡିଏମଙ୍କୁ ଆକ୍ରମଣ କରୁଛନ୍ତି । ଫଳରେ ନିଜକୁ ରକ୍ଷା କରିବାକୁ ଯାଇ ଏସଡିଏମ ଘଟଣାସ୍ଥଳ ଛାଡ଼ି ପ୍ରାଣ ଭୟରେ ଦୌଡିଛନ୍ତି । ଏସଡିଏମଙ୍କୁ ଚପଲରେ ଆକ୍ରମଣ କରିବା ସହ ମହିଳା ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି ।

ମଧ୍ୟପ୍ରଦେଶର ଅଶୋକ ନଗରର ଚନ୍ଦେରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ମହିଳାଙ୍କ ସ୍ୱାମୀ କରୋନା କଟକଣା ଉଲ୍ଲଂଘନ କରି ସ୍କୁଟିରେ ବାହାରେ ବୁଲୁଥିଲେ । ଆଉ ତାଙ୍କୁ ଦେଖି ଅଟକାଇଥିଲା ପୋଲିସ୍ । ଆଉ ଏହାରି ମଧ୍ୟରେ ସ୍କୁଟିର ଲାଇଟ୍ ଭାଙ୍ଗି ଯାଇଥିଲା ।

ସ୍ୱାମୀ ଘରେ ପହଞ୍ଚିବା ପରେ ମହିଳା ସବୁ କଥା ଜାଣିବାକୁ ପାଇଥିଲେ । ସ୍ୱାମୀଙ୍କ ସ୍କୁଟି ଭାଙ୍ଗି ଯାଇଥିବା ଦେଖି ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ଚପଲ ଧରି ଏସଡିଏମଙ୍କ କାର୍ଯ୍ୟାଳୟକୁ ପଶିଯାଇଥିଲେ ଏବଂ ହଙ୍ଗାମା କରିଥିଲେ । ହାତରେ ଚପଲ ଧରି ମହିଳା ଜଣକ ଏସଡିଏମକୁ ବାଡ଼େଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ମଝିରେ ଜଣେ ପୋଲିସ ଅଧିକାରୀ ଆସିଯିବାରୁ ଅଳ୍ପକେ ବର୍ତ୍ତିଗଲେ ଏସଡିଏମ । ଆଉ ସମ୍ମାନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳ ଛାଡ଼ି ଚାଲିଗଲେ ।

ସେପଟେ ପୋଲିସର ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀକୁ ଅଟକାଇବା ବେଳେ ସେ ଏସଡିଏମଙ୍କ ଉପରେ ସ୍କୁଟି ଚଢ଼ାଇଦେବାକୁ ଉଦ୍ୟମ କରୁଥିଲେ । ଆଉ ତାଙ୍କୁ ଧରିବା ପାଇଁ ଗୋଡେଇବା ବେଳେ ସ୍କୁଟିର କାଚ ଭାଙ୍ଗିଗଲା । ନିୟମ ଉଲ୍ଲଂଘନ କରିଥିବାରୁ ଚାଲାଣ କାଟି ଯୁବକଙ୍କୁ ଛାଡ଼ି ଦେଇଥିଲେ । କରୋନା ସଂକ୍ରମଣ ଭିତରେ କରୋନା ଯୋଦ୍ଧାମାନେ ଲୋକଙ୍କୁ ସଚେତନ କରିବାକୁ ଦିନ ରାତି ପରିଶ୍ରମ କରୁଛନ୍ତି । ଖରା, ଶୀତ ଆଉ ବର୍ଷାରେ ଛକ ଛକରେ ଜଗି ରହୁଛନ୍ତି । ଏପରିସ୍ଥଳେ ତାଙ୍କ ପ୍ରତି ଏପରି ବ୍ୟବହାର କେତେ ଦୂର ଯୁକ୍ତିଯୁକ୍ତ ।

ଅନ୍ୟପଟେ ତେବେ ଏହି ଘଟଣା ପରେ ସ୍ୱାମୀ,ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ୍ । ଉଭୟଙ୍କ ବିରୋଧରେ ୩୫୩, ୨୯୪, ୩୨୩, ୫୦୪, ୧୮୮, ୨୭୦, ୩୩୨, ୧୮୬ ଏବଂ ୩୪ ଆଇପିସି ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି ।

Share this story