ତାରକା ହୋଟେଲରେ ଚାଲିଥିଲା ବିବାହ; ଚୋରି ହେଲା କୋଟିଏ ଟଙ୍କାର ସୁନା, ଗହଣା ଓ ନଗଦ ଲକ୍ଷାଧିକ ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜସ୍ଥାନର ଜୟପୁରର ଗୋଟାଏ ୫-ତାରକା ହୋଟେଲ୍ କୋଠରିରୁ ଅଜ୍ଞାତ ବ୍ୟକ୍ତିମାନେ ୨ କୋଟି ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରାଇ ନେଇଛନ୍ତି ବୋଲି ପୁଲିସ କହିଛି। ସେ ହୋଟେଲ୍ କୋଠରି ଭଡ଼ା ନେଇଥିବା ଲୋକେ ହୋଟେଲ୍ ପରିସରରେ ଚାଲିଥିବା ବିବାହ ଅନୁଷ୍ଠାନରେ ବସିଥିବା ବେଳେ ଉକ୍ତ ଘଟଣା ଘଟିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଦିନ ମୁମ୍ବାଇର ବ୍ୟବସାୟୀ ରାହୁଲ୍ ଭାଟିଆଙ୍କ ଝିଅର ବାହାଘର ଜୟପୁରର ହୋଟେଲ୍ କ୍ଲାର୍କସ୍ ଆମେର୍ ଚାଲିଥିବା ବେଳେ ଉକ୍ତ ଚୋରି ଘଟଣା ଘଟିଛି।
ରାହୁଲ୍ ଭାଟିଆ ଏବଂ ତାଙ୍କ ପରିବାର ଲୋକେ ହୋଟେଲ୍ର ୭ମ ମହଲାରେ ରହିଥିଲେ। ସେମାନେ ହୋଟେଲ୍ ଲନ୍ରେ ଚାଲିଥିବା ବିବାହ ଅନୁଷ୍ଠାନରେ ବସିଥିବା ବେଳେ ସେମାନଙ୍କ କୋଠରିରେ ଥିବା ୨ କୋଟି ଟଙ୍କା ମୂଲ୍ୟର ଗହଣା ଓ ନଗଦ ୯୫ ହଜାର ଟଙ୍କା ଚୋରି ହୋଇଯାଇଥିବା କଥା ଜବାହର ସର୍କଲ୍ ‘ଏସ୍ଏଚ୍ଓ’ ରାଧାରମଣ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି।
ଅଭିଯୋଗ ପତ୍ରରେ ରାହୁଲ୍ ଭାଟିଆ କହିଛନ୍ତି ଯେ, ହୋଟେଲ୍ କର୍ମଚାରୀଙ୍କ ସହଯୋଗରେ ଚୋରି ହୋଇଛି। ତେଣୁ, ପୁଲିସ ‘ସିସିଟିଭି କ୍ୟାମେରା ଫୁଟେଜ୍’ ଯାଞ୍ଚ କରିବା ସହ ହୋଟେଲ୍ ପରିଚାଳନା ଏବଂ କର୍ମଚାରୀମାନଙ୍କୁ ପଚରାଉଚରା କରାଯାଉଛି।