ସଙ୍କେତ ଆସିଲା: ‘କଳିଯୁଗ’ ସରିଲା, ‘ସତ୍ୟଯୁଗ’ ଆରମ୍ଭ

ଓଡ଼ିଆ ଗସିପ୍ ବ୍ୟୁରୋ: ଏଇ ଭାରତରେ ଅନେକ ସମୟରେ ଏମିତି କିଛି ଘଟଣା ଘଟିଯାଏ ଯାହା ଆମ ସମସ୍ତଙ୍କ କଳ୍ପନା ବାହାରେ । ଏଇ ଯେମିତି ଆଜି ଆମେ ଯେଉଁ ଖବର ଆପଣଙ୍କ ପାଇଁ ନେଇ ଆସିଛୁ ତାହା ଆପଣଙ୍କୁ ଭିନ୍ନ ଏକ ମାନସିକତା ଆଡ଼କୁ ନେଇପାରେ । ସତର୍କ ଥିବେ ସାବଧାନ ଥିବେ । ଏମିତି କରିବାରୁ କିନ୍ତୁ ବଞ୍ଚିତ ରହିଥିବେ ।
ଏବେ ସୋସିଆଲ ମିଡିଆରେ ଗୋଟେ ହେଡ୍ ଲାଇନ ଭାରି ଚର୍ଚ୍ଚାରେ ରହିଛି । ତାହା ହେଉଛି ‘‘କଳିଯୁଗ’ ସରିଲା, ‘ସତ୍ୟଯୁଗ’ ଆରମ୍ଭ, ଏହା କହି ପ୍ରିନ୍ସିପାଲ୍ ଦମ୍ପତି ଦୁଇ ଯବାନ୍ ଝିଅଙ୍କୁ ଜୀବନରୁ ମାରିଦେଲେ, ମୃତଦେହ ଉପରେ ଘୋଡ଼ାଇ ଦେଲେ ଲାଲ୍ କପଡ଼ା’ ।
ପୂରା ଘଟଣା ଉପରେ ନଜର ପକାନ୍ତୁ...
ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସ ଚକ୍କରରେ ପଡ଼ି ମାଆ, ବାପା ନିଜ ଦୁଇ ଝିଅଙ୍କୁ ହିଁ ଜୀବନରୁ ମାରି ଦେଇଛନ୍ତି। ଏହି ଘଟଣା ରବିବାର ରାତିରେ ମଦନାପଲ୍ଲେ ଅଞ୍ଚଳରେ ଘଟିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଅଭିଯୁକ୍ତ ମାଆ, ବାପା ଦୁଇଜଣ ଯାକ ଉଚ୍ଚ ଶିକ୍ଷିତ। ମୃତା ଯୁବତୀଦ୍ୱୟ ହେଉଛନ୍ତି, ଅଲେଖ୍ୟା(୨୭) ଓ ସାଇ ଦିବ୍ୟା(୨୨)। ଏହି ପରିବାର ମଦନାପଲ୍ଲେରେ ଥିବା ଶିବ ମନ୍ଦିର ରାସ୍ତାରେ ରୁହନ୍ତି।
ଅଭିଯୋଗ ରହିଛି, ମାଆ ପଦ୍ମଜା ଓ ବାପା ପୁରୁଷୋତ୍ତମ ନାଇଡୁ ଦୁଇଜଣ ଯାକ ପ୍ରିନ୍ସିପାଲ୍। ବଡ଼ଝିଅ ଅଲେଖ୍ୟା ଭୋପାଳରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିଲା ବେଳେ ସାନଝିଅ ଦିବ୍ୟା ବିବିଏ କରିଥିଲେ। ସେ ମୁମ୍ବାଇରେ ଏଆର୍ ରହମାନ ମ୍ୟୁଜିକ୍ ସ୍କୁଲର ଛାତ୍ରୀ ମଧ୍ୟ ଥିଲେ ଏବଂ ଲକ୍ଡାଉନ୍ ସମୟରେ ଘରକୁ ଆସିଥିଲେ। ପୋଲିସର କହିବା ହେଲା, ଲକ୍ଡାଉନ୍ ସମୟରେ ଏହି ପରିବାର ଲୋକଙ୍କର ହାବଭାବ ବହୁତ ଅଜବ ଥିଲା। ରବିବାର ରାତିରେ ଘରୁ ଚିଲ୍ଲାଇବାର ପାଟି ପଡ଼ୋଶୀମାନେ ଶୁଣିବାକୁ ପାଇଥିଲେ। ମାଆ, ଦୁଇ ଝିଅଙ୍କୁ ଡମ୍ବବେଲ୍ରେ ପ୍ରହାର କରିଥିଲେ। ଏହା ଶୁଣି ସେମାନେ ପୋଲିସରେ ଖବର ଦେଇଥିଲେ।
ଯେତେବେଳେ ପୋଲିସ ପହଞ୍ଚି ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିଲା, ସେତେବେଳେ ଅଭିଯୁକ୍ତ ଦମ୍ପତି ପୋଲିସକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଘରେ ପଶି ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଜଣେ ଝିଅର ମୃତଦେହ ଠାକୁର ଘରୁ ମିଳିଥିବା ବେଳେ ଆଉ ଜଣଙ୍କର ମୃତଦେହ ଅନ୍ୟ ଏକ ରୁମ୍ରୁ ମିଳିଥିଲା। ଦୁଇଜଣଙ୍କ ମୃତଦେହକୁ ଲାଲ୍ କପଡ଼ାରେ ଢ଼ଙ୍କାଯାଇଥିଲା। ଦୁଇ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀ ଏଭଳି କାଣ୍ଡ ଘଟାଇବା ସତ୍ତ୍ୱେ ଚିନ୍ତିତ ନ ଥିଲେ। ପୋଲିସ ଯେତେବେଳେ ସେମାନଙ୍କୁ ପଚରାଉଚରା କରିଥିଲା, ସେମାନେ କହିଥିଲେ ଯେ ତାଙ୍କର ଦୁଇ ଝିଅ ସୂର୍ଯ୍ୟ ଉଇଁବା ସହିତ ହିଁ ଜୀବିତ ହୋଇଯିବେ। କାରଣ, ‘କଳିଯୁଗ’ ସରିଯିବ ଏବଂ ସୋମବାରଠାରୁ ‘ସତ୍ୟଯୁଗ’ ଆରମ୍ଭ ହେବ। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ୱାମୀ, ସ୍ତ୍ରୀଙ୍କୁ ଗିରଫ କରି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।