ବଳାତ୍କାରୀଙ୍କୁ ବିରୋଧ କରିବାରୁ ନାବାଳିକା ଛାତ୍ରୀଙ୍କ ହାତ କାଟିଦେଲେ

ବଳାତ୍କାରୀଙ୍କୁ ବିରୋଧ କରିବାରୁ ନାବାଳିକା ଛାତ୍ରୀଙ୍କ ହାତ କାଟିଦେଲେ

ଓଡ଼ିଆ ଗସିପ ବ୍ୟୁରୋ: କୋହଳ କାର୍ଯ୍ୟାନୁଷ୍ଠାନ ହେଉ କି ଆଉ କିଛି କାରଣ ପାଇଁ ହେଉ କିନ୍ତୁ ଦିନକୁ ଦିନ ଦୁଷ୍କର୍ମ ମାମଲା ଦେଶରେ ବଢିବାକୁ ଲାଗିଛି । କେବଳ ଦୁଷ୍କର୍ମ ନୁହେଁ ଦୁଷ୍କର୍ମ ଜନିତ ଆକ୍ରମଣ ବି ବଢୁଛି । ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଗୋଣ୍ଡା ମନକାପୁର କୋତବାଲି ଅଞ୍ଚଳରୁ ଆସିଛି ।

ଜଣେ ହାଇସ୍କୁଲ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କ ହାତ କଟି ଦେଇଛନ୍ତି ଦୁର୍ବୃତ୍ତ । ଦୁଷ୍କର୍ମ କରିବା ସମୟରେ ନାବାଳିକା ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ଦୁଷ୍କର୍ମକାରୀ ତାଙ୍କ ହାତକୁ ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ସ୍କୁଲ ଛୁଟି ହେବା ପରେ ଛାତ୍ରୀ ଜଣଙ୍କ ସାଇକେଲରେ ଘରକୁ ଫେରୁଥିଲେ । ଛାତ୍ରୀଙ୍କୁ ୪ ଜଣ ଅଭିଯୁକ୍ତ ରାସ୍ତାରେ ଅଟକାଇ ଦେଇଥିଲେ । ସାଇକେଲ ରୋକିବା ପରେ ଛାତ୍ରୀଙ୍କୁ ଜୋରଜବରଦସ୍ତ ନିକଟରେ ଥିବା ଆଖୁ କିଆରୀକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଛାତ୍ରୀ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ହାତକୁ ଛୁରୀରେ କାଟିଦେଇଥିଲେ ସମ୍ପୃକ୍ତ ଅଭିଯୁକ୍ତ ।

ସେହି ଭଳି ରକ୍ତାକ୍ତ ଅବସ୍ଥାରେ ମଣିଷ ରୂପି ରାକ୍ଷସମାନେ ସେଠାରେ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ ଘରଲୋକ କିମ୍ବା ପୋଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ଛାତ୍ରୀ ଜଣଙ୍କ ଘରକୁ ଫେରିଯାଇଥିଲେ ।

ପରିବାର ଲୋକଙ୍କୁ ସନ୍ଦେହ ହେବାରୁ ସେମାନେ ତାଙ୍କୁ ପଚାରିଥିଲେ । ଛାତ୍ରୀ ଜଣଙ୍କ ନିଜ ପରିବାର ଲୋକଙ୍କ ଘଟଣା ସଂପର୍କରେ ଜଣାଇଥିଲେ । ଏହାପରେ ଘରଲୋକ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ । ସମସ୍ତଙ୍କ ବିରୋଧରେ ପକ୍ସୋ ଆକ୍ଟ ସହ ଅନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Share this story