କଟାମୁଣ୍ଡ ମିଳିଲା, ସସ୍ପେନ୍ସ ହଟିଲା: ରହସ୍ୟରେ ରହିଛି ବିବାହ-ବିବାଦ-ମର୍ଡର

ଓଡ଼ିଆ ଗସିପ ବ୍ୟୁରୋ: କଟାମୁଣ୍ଡ ମିଳିଲା, ସସ୍ପେନ୍ସ ହଟିଲା । ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ୮ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଉନ୍ମୋଚିତ ହୋଇଛି ଜଘନ୍ଯ ହତ୍ଯାର ରହସ୍ଯ ।
ସେପଟେ ବିବାହକୁ ନେଇ ବିବାଦରୁ ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କର ହତ୍ଯାକାଣ୍ଡ ଘଟିଥିବା ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । କଟାମୁଣ୍ଡ ଜବତ ସହ ଏହି ବ୍ଳାଇଣ୍ଡ କେଶ୍ ର ହତ୍ଯାକାରୀଙ୍କ ପାଖରେ ପହଞ୍ଚିବା ପୋଲିସ ପାଇଁ କେତେ ଚ୍ଯାଲେଞ୍ଜପୂର୍ଣ୍ଣ ଥିଲା, ସେ କଥା ବି କହିଛନ୍ତି ।
ଗଲା ୮ଦିନ ଧରି ରାଜଧାନୀରେ ଚହଳ ପକାଇଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରୁ ଉଠିଛି ସସ୍ପେନସ । ରାଜଧାନୀ ଉପକଣ୍ଠ ଦାସପୁର-ଅନ୍ଧାରୁଆ ରାସ୍ତାରୁ ଗତ ୪ତିରଖରେ ଯେଉଁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିଥିଲା, ସେ ହେଲେ ଭୁବନେଶ୍ୱର ଧିରିକୁଟି ବସ୍ତିର ପୁଷ୍ପଲତା ରାଉଳ, ବୟସ ୨୮ । ତେବେ ତାଙ୍କୁ କାହିଁକି ଓ କିଏ ହତ୍ଯା କଲା, ସେ ରହସ୍ଯର ବି ହୋଇଛି ପର୍ଦ୍ଦାଫାସ୍ ।
ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣାର ବିବରଣୀ ଦେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବିବାହକୁ ନେଇ ବିବାଦରୁ ହୋଇଛି ପୁଷ୍ପଲତାଙ୍କୁ ଜଘନ୍ଯ ହତ୍ଯା । ଆଉ ହତ୍ଯାକାରୀ, ପୁଷ୍ପଲତାଙ୍କ ସହ ୬ ବର୍ଷ ଧରି ସଂପର୍କ ରଖିଥିବା ଗଂଜାମ ହୁମ୍ମା ଅଞ୍ଚଳର ସଂଜୟ ଦାସ । ତେବେ ହତ୍ଯା ପରେ ମୃତଦେହ ଫିଙ୍ଗିବା କାମରେ ସଂଜୟକୁ ସହଯୋଗ କରିଛି ତାସାଙ୍ଗ ଚନ୍ଦୁ ଓରଫ ଶ୍ରୀକାନ୍ତ ।
ପୁଷ୍ପଲତାଙ୍କ ହତ୍ଯାକାଣ୍ଡରେ ଉଭୟେ ଧରାପଡ଼ିବା ପରେ, ତାଙ୍କୁ ନେଇ ଆଜି ଏମିତି କ୍ରାଇମ୍ ସିନ୍ ରିକ୍ରେସନ କରାଇବା ସହ ମୃତଦେହ ମିଳିଥିବା ସ୍ଥଳଠାରୁ ୨ କିମି ଦୂର ଭରତପୁର-ଚନ୍ଦକା ଜଙ୍ଗଲ ପାଚେରୀ କଡ଼ ଏକ ଖାଲ ଭିତରୁ ଠାବ ହୋଇଥିଲା କଟାମୁଣ୍ଡ । ଯାହାକୁ ଫୋରେନ୍ସିକ ଟିମ୍ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
କେମିତି ହତ୍ଯାକାରୀଙ୍କ ପାଖରେ ପହଞ୍ଚିଲା ପୋଲିସ ? ବିସ୍ତୃତ ସୂଚନା ଦେଇ ସିପି କହିଛନ୍ତି କେବଳ କଟାମୁଣ୍ଡ ଠାବ ନୁହେଁ ମହିଳାଙ୍କ ପରିଚୟ ହାସଲ ବି ଥିଲା ପୋଲିସ ପାଇଁ ବଡ଼ ଚ୍ଯାଲେଞ୍ଜ । ୪ରୁ ୮ତାରିଖ ଦୀର୍ଘ ୫ଦିନ ପୋଲିସ ଅନ୍ଧାରରେ ବାଡ଼ି ବୁଲାଇବା ସହ ମହିଳାଙ୍କ ପରିଚୟ ଜାଣିବାକୁ ପୋଷ୍ଟର ବି ଲଗାଇଥିଲା ଓ ସୂଚନାଦାତାଙ୍କ ଲାଗି ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।
ତେବେ ୯ତାରିଖରେ ମିଳିଥିଲା ନିର୍ଦ୍ଦିଷ୍ଟ ସୁରାଗ । ଯାହା ଅନୁସାରେ ପୋଲିସ ଅପରାଧୀଙ୍କ ପାଖେ ପହଞ୍ଚିବାରେ ସମର୍ଥ ହୋଇଥିଲା । ସିପି କହିଛନ୍ତି-ପ୍ରଥମ ସ୍ବାମୀଙ୍କ ମୃତ୍ଯୁ ପରେ ଗତ ଡିସେମ୍ବର ୨୪ରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକଙ୍କୁ ଆମଫୋଇରେ ବାହା ହୋଇଥିଲେ ପୁଷ୍ପଲତା । ଆଉ ଇଏ ହେଉଛି ସେହି ସମୟର ଫଟୋ । ତେବେ ଗତ ମାସେ ହେଲା ପୁଷ୍ପଲତା ପ୍ରୀତିରଞ୍ଜନଙ୍କୁ ଛାଡ଼ି ହତ୍ଯାକାରୀ ସଂଜୟ ସହ ଫୁଲେଶ୍ୱରୀ ବସ୍ତିରେ ରହୁଥିଲେ ।
୨୦୧୫ରେ ମଞ୍ଚେଶ୍ୱରର ଧିରକୁଟ ବସ୍ତିରେ ପୁଷ୍ପଲତାଙ୍କ ଘରେ ବୋଲେରୋ ଡ୍ରାଇଭର ସଂଜୟ ଭଡ଼ାରେ ରହୁଥିଲାବେଳେ ପରସ୍ପରଙ୍କ ସଂପର୍କ ଗଢ଼ି ଉଠିଥିଲା । ତେବେ ପୁଷ୍ପଲତା ପ୍ରୀତିରଂଜନକୁ ବିବାହ କରିବା ଓ ପୁଣି ତାଙ୍କୁ ଛାଡ଼ି ସଂଜୟ ସହ ଆସି ରହିବାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଆଉ ଗତ ୩ ତାରିଖ ସଂଧ୍ଯା ପ୍ରାୟ ୫ଟାବେଳେ ସଂଜୟ, ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ଯା କରିଥିଲା । ତାପରେ ସାଙ୍ଗ ଚନ୍ଦୁକୁ ଡାକି ହତ୍ଯା ପ୍ରମାଣ ନଷ୍ଟ ପାଇଁ ଷଡ଼ଯନ୍ତ୍ର ରଚିଥିଲା ।
ଆଇଗିଣିଆ ବଜାରକୁ ଯାଇ ସର୍ଜିକାଲ ଗ୍ଲୋବ୍ସ ସହ ଏକ ଛୁରୀ କିଣିଥିଲା । ଏହାପରେ ସହଯୋଗୀ ଚନ୍ଦୁ ସହ ରାତି ୧୨ଟାରେ ବୋଲେରୋରେ ଶବ ନେଇ ଦାସପୁରରେ ମୁଣ୍ଡକାଟି ଅଲଗା ଅଲଗା ସ୍ଥାନରେ ଫୋପାଡ଼ି ଦେଇ ଦଶପଲ୍ଲା ପଳାଇଥିଲେ । ଏବେ ପୁଷ୍ପଲତାଙ୍କ ହତ୍ଯା ପ୍ରମାଣକୁ ବଳିଷ୍ଠ କରିବା ଲାଗି ମିଳିଥିବା ଗଣ୍ଡି-ମୁଣ୍ଡର ଡିଏନ୍ଏ ପ୍ରୋଫାଇଲିଂ କରିବ ପୋଲିସ ।