କୁକୁଡ଼ା ଖାଇଦେଲା ବୋଲି ବୁଲା କୁକୁରକୁ ଗୁଳିମାଡ଼; ଘାଇଲା କୁକୁରର ଚାଲିଛି ଚିକିତ୍ସା

crime

ଓଡ଼ିଆ ଗସିପ୍ ବ୍ୟୁରୋ: କୁକୁଡ଼ା ଖାଇଦେଲା ବୋଲି ଜଣେ ବ୍ୟବସାୟୀ ବୁଧବାର ଦିନ ଏୟାରଗନ୍‌ରେ ୨ଟି କୁକୁରକୁ ଗୁଳି କରିଛନ୍ତି। ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟି ଗୁରୁତର ଥିବା ଜଣାପଡ଼ିଛି।

ଖବର ପାଇ ସ୍ବେଚ୍ଛାସେବୀ ସଂସ୍ଥା ସେବା ହିଁ ସଂକଳ୍ପଘଟଣାସ୍ଥଳରେ ପହଞ୍ଚି କୁକୁର ୨ଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲା। ମାତ୍ରାଧିକ ରକ୍ତସ୍ରାବ ଯୋଗୁଁ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଟିକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

ସେବା ହିଁ ସଂକଳ୍ପ ପକ୍ଷରୁ କୁକୁରକୁ ଗୁଳି ମାରିଥିବା ଅଭିଯୁକ୍ତ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି।

ଖବର ଅନୁଯାୟୀ, ବୁଧବାର ଅପରାହ୍‌ଣରେ ଜାଗମରା ଅଞ୍ଚଳର କିତାବ ପଟ୍ଟନାୟକ ଓରଫ ବାବୁନାଙ୍କ ଦେଶୀ କୁକୁଡ଼ାକୁ ୨ଟି କୁକୁର ଝାମ୍ପୁଥିଲେ। ଏହା ଦେଖି ବାବୁନା ଘରୁ ଏକ ଏୟାରଗନ୍ ଆଣି କୁକୁର ୨ଟିକୁ ଗୁଳି କରିଥିଲେ। ଗୋଟିଏ କୁକୁରର ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା।

 ଅନ୍ୟଟି ସେଠାରୁ ଦୌଡ଼ି ପଳାଇବା ସମୟରେ ତାକୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲା। ମାତ୍ର ପିଠି ପଟରେ ବାଜିବାରୁ ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲା। ପରେ ସ୍ଥାନୀୟ ଲୋକ ଏନେଇ ଘଟଣା ସଂପର୍କରେ ସେବା ହିଁ ସଂକଳ୍ପ ସ୍ବେଚ୍ଛାସେବୀ ସଂସ୍ଥାକୁ ଜଣାଇବା ପରେ ରାଜେଶ ଓ ରଶ୍ମିରଂଜନ ଘଟଣାସ୍ଥଳରେ ପହଞ୍ଚି କୁକୁର ୨ଟିକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ତେବେ ମୃତ କୁକୁରକୁ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ।

ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନାରେ ଅଭିଯୋଗ ହେବା ପରେ ବାବୁନା ଘର ଛାଡ଼ି ଫେରାର୍ ହୋଇଥିବା ଜଣାପଡ଼ିଛି।

Share this story