ରାଜଧାନୀରେ ଧୁମ୍ ମଚାଉଛନ୍ତି ଟକଟକ ଗ୍ୟାଙ୍ଗ, ମାଷ୍ଟରକ୍ୟାଣ୍ଟିନ ଥିଲା ଆଡ୍ଡା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀରୁ ଧରାପଡିଲା ଟକଟକ ଗ୍ୟାଙ୍ଗ । ମାଷ୍ଟରକ୍ୟାଣ୍ଟିନରେ ଥିଲା ଏମାନଙ୍କ ଅପରେସନ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ଭୁବନେଶ୍ୱରରେ ଟକଟକ ଗ୍ୟାଙ୍ଗ । ପ୍ରଥମେ ଲୋକଙ୍କ ଧ୍ୟାନ ହଟାଇବେ, ପରେ ମୌକା ଦେଖି ଲୁଟି ନେଉଥିଲେ ।
ଜନଗହଳି ସ୍ଥାନ ଓ ରେଳଷ୍ଟେସନ ଓ ଭିଡ ମାର୍କେଟ ଏରିଆରେ ଏମାନଙ୍କ ଅପରେସନକୁ କାର୍ଯ୍ୟକାରୀ କରୁଥିଲେ । ଏମାନଙ୍କ ଗ୍ୟାଙ୍ଗରେ ସାମିଲ ଥିଲେ କିନ୍ନର, ମହିଳା ଓ ପୁରୁଷ । ଭିନ୍ନ ଢଙ୍ଗରେ ଏମାନେ କରୁଥିଲେ ଲୁଟପାଟ୍ । ମାଷ୍ଟର କ୍ୟାଣ୍ଟିନ ଏରିଆରେ ଆତଙ୍କ ମଚାଇଥିଲେ ଏହି ଗ୍ୟାଙ୍ଗ । ଯାହାର ଏକ ଅଭିଯୋଗ ଆଧାରରେ ଏହି ଭଳି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ।
ଜାନୁଆରି ୪ ତାରିଖ ଭୋର ସମୟରେ ଜଣେ ଅଭିଯୋଗକାରୀ କିଛି ନିତ୍ୟ ବ୍ୟବହୃତ ସାମଗ୍ରୀ କିଣି ଫେରୁଥିଲେ। ଏହି ସମୟରେ ଏହି ଗ୍ୟାଙ୍ଗର ଅପରାଧୀ ମାନେ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ ପାଖ ଆଧାର କେନ୍ଦ୍ର ନିକଟରେ ତାଙ୍କୁ ଧ୍ୟାନ ଭଟକାଇ ଅଟକାଇ ଥିଲେ। ପରେ କୌଶଳ କ୍ରମେ ତାଙ୍କ ଠାରୁ ୩୫୫୦/- ଟଙ୍କା ଛଡାଇ ନେବାପରେ ମୋବାଇଲ ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୋଗକାରୀ ତାଙ୍କ କବଳରୁ ଖସି ପଳାଇଥିଲେ ।
ଏନେଇ ଘଟଣା ବାବଦରେ କ୍ୟାପିଟାଲ ଥାନାରେ ଅଭିଯୋଗକାରୀ ଜଣାଇଥିଲେ । ଏହି ରିପୋର୍ଟ ଆଧାରରେ କ୍ୟାପିଟାଲ ପୋଲିସ୍ ତୁରନ୍ତ ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ରାଜମହଲ ଛକ ନିକଟରୁ ଗିରଫ କରିଛି । ସେମାନେ ହେଲେ ବର୍ଷା ମହାପାତ୍ର ,ଚିନ୍ମୟୀ ଜେନା, ରଜିତ ବିଶ୍ବାଳ । ସେମାନଙ୍କଠୁଚୋରୀ ହୋଇଥିବା ୩୦୦୦/- ଟଙ୍କା ଜବତ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।
ତଦନ୍ତ ସମୟରେ ଏହା ଜଣପଡିଛି ଯେ, ଏହି ଅଭିଯୁକ୍ତ ମାନେ ମାଷ୍ଟର କ୍ୟାଣ୍ଟିନ ଓ ଆଖପାଖ ଅଞ୍ଚଳରେ ଏକାକି ଯାଉଥିବା ବ୍ୟକ୍ତି ମାନଙ୍କଠାରୁ ବିଭିନ୍ନ ଢଙ୍ଗରେ ପଇସା ଆଦି ଲୁଣ୍ଠନ କରନ୍ତି । ଏପରିକି କେତେବେଳେ କାରର କାଚ ଟକଟକ କରି ଅନ୍ୟପଟେ ବ୍ୟାଗ ନେଇ ଚମ୍ପଟ ମାରନ୍ତି। କେତେବେଳେ କିଛି ପଚାରିବା ଆଳରେ ଧ୍ୟାନ ଭଟକାଇ ମୋବାଇଲ ଓ ପର୍ସନେଇ ଚମ୍ପଟ ମାରନ୍ତି। ଲୁଟ କରିବା ପରେ ନିଜ ଭିତରେ ବାଣ୍ଟି ନିଅନ୍ତି।