୨୭ ବର୍ଷୀୟ ସୁଲୋଚନଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାଣ୍ଡ ଆଶଙ୍କା

ଓଡ଼ିଆ ଗସିପ ବ୍ୟୁରୋ: ଭୁବନେଶ୍ୱର ପୋଖରୀପୁଟ ଗଣ୍ଡମୁଣ୍ଡା ଲେକ୍ ଭ୍ୟାଲିର ଏକ ଭଡ଼ାଘରୁ ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମହିଳା ଜଣକ ହେଲେ ସୁଲୋଚନା ଗମାଙ୍ଗୋ (୨୭) । ସ୍ୱାମୀଙ୍କ ନାଁ ସମ୍ବୁରୁ ଶବର । ଘର ଗଜପତି ପାରଳାଖେମୁଣ୍ଡି ରାମଗିରିରେ ।
ସୁଲୋଚନା ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖାରେ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ । ଖଣ୍ଡଗିରି ଥାନା ପୁଲିସ ତାଙ୍କ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । କିନ୍ତୁ ସୁଲୋଚନାଙ୍କ ଘର କବାଟ ଖୋଲାଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ପୁଲିସ କହିଛି, ଲେକ୍ ଭ୍ୟାଲି ଲେନ୍ ନମ୍ବର-୩ର ପ୍ଲଟ ନମ୍ବର ୧୫୯୪/୫୦୩୯ରେ ରାଜେନ୍ଦ୍ରନାଥ ମିଶ୍ରଙ୍କ ବିଲ୍ଡିଂର ତୃତୀୟ ମହଲାରେ ସୁଲୋଚନା ଦୀର୍ଘ ୩ ବର୍ଷ ଧରି ରହୁଥିଲେ । ରବିବାର ସକାଳ ସାଢ଼େ ୧୦ଟା ଯାଏଁ ସେ ତଳକୁ ନ ଆସିବାରୁ ତାଙ୍କ ତଳ ମହଲାରେ ରହୁଥିବା ଭଡ଼ାଟିଆ ଜଣକଙ୍କର ସନ୍ଦେହ ହେଲା। ଉପରକୁ ଯାଇ ଦେଖିଲା ବେଳକୁ ଘର ମୁଖ୍ୟ କବାଟ ଖୋଲା ଥିଲା ଏବଂ ଘର ଭିତରେ ସୁଲୋଚନାଙ୍କ ମୃତଦେହ ଝୁଲୁଥିଲା ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା କରିଥିଲା । ସୁଲୋଚନାଙ୍କ ମୋବାଇଲ୍ ଫୋନ୍, ୫ଟି ଡାଏରୀ ଓ ଅନ୍ୟ କିଛି ସାମଗ୍ରୀ ପୁଲିସ ଜବତ କରିବା ସହ ସୁଲୋଚନାଙ୍କ ବାପାଙ୍କୁ ଖବର ଦେଇଥିଲା । ସୁଲୋଚନାଙ୍କ ପରିବାରବର୍ଗ ରାତି ୯ଟାରେ ପାରଳାଖେମୁଣ୍ଡିରୁ ଆସି ଖଣ୍ଡଗିରି ଥାନାରେ ପହଞ୍ଚିଥିଲେ । ତଥାପି ରାତିରେ ପୁଲିସ ଝୁଲନ୍ତା ମୃତଦେହ ଉଦ୍ଧାର କରି ନଥିଲା ।
ସୁଲୋଚନାଙ୍କ ସ୍ୱାମୀ ଉଦ୍ୟାନ କୃଷି ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ । କିନ୍ତୁ ୪ ବର୍ଷ ହେଲାଣି ଉଭୟେ ଅଲଗା ରହୁଛନ୍ତି । ବିବାହ ବିଚ୍ଛେଦ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହୁଏତ ସେ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଇପାରନ୍ତି ।
ସେପଟେ ଯେହେତୁ ଘର କବାଟ ଖୋଲାଥିଲା, କେହି ସୁଲୋଚନାଙ୍କ ଘରେ ପଶି ତାଙ୍କ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥାଇ ପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।