ୱେବ୍ ଚ୍ୟାନେଲ୍ ସଂପାଦକ ସୁଧାଂଶୁ ରାଉତ ଗିରଫ; 5 କୋଟି ମାନହାନି ମାମଲା ବି କୋର୍ଟରେ ଚାଲିଛି

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ସମୟରେ ମହିଳା ଥାନା ପୁଲିସର ଏକ ଟିମ୍ ଲକ୍ଷ୍ମୀସାଗର ସ୍ଥିତ ସୁଧାଂଶୁଙ୍କ ଅଫିସରେ ଚଢ଼ଉ କରି ତାଙ୍କୁ କାବୁ କରିଥିଲା। ସେହିପରି ଅନ୍ୟ ଯେଉଁମାନେ ଦୂତିଙ୍କୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ତଥା ଅପମାନ କରିଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏଥିପାଇଁ ଦୁଇଟି ଟିମ୍କୁ ନିୟୋଜିତ କରାଯାଇଛି। ସେମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଗୋଟିଏ ଟିମ୍କୁ ଜିଲ୍ଲା ବାହାରକୁ ପଠାଯାଇଥିବା ସେ କହିଛନ୍ତି।
ଦୂତି ଅଭିଯୋଗ କରିଥିଲେ ଯେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଚାଲିଥିବା ସମୟରେ ୱେବ୍ଚ୍ୟାନେଲ୍ ସଂପାଦକ ସୁଧାଂଶୁ ରାଉତ ତାଙ୍କ ବିରୋଧରେ ଲଗାତାର ଭିତ୍ତିହୀନ ଓ କପୋଳକଳ୍ପିତ ଖବର ପରିବେଷଣ ସହ ନକାରାତ୍ମକ ଓ ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲେ। ସେହିଭଳି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ମଧ୍ୟ ଦୂତିଙ୍କ ପରିବାର, ବ୍ୟକ୍ତିଗତ ଜୀବନକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଆକ୍ଷେପମୂଳକ ଲେଖା ପୋଷ୍ଟ କରିଥିଲେ।
ଖାଲି ଏତିକି ନୁହେଁ; ତାଙ୍କୁ ନିୟମିତ ବ୍ଲାକ୍ମେଲ୍ ମଧ୍ୟ କରାଯାଇଛି ବୋଲି ଦୂତି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାଦ୍ବାରା ତାଙ୍କ ସମ୍ମାନହାନି ହେଉଛି ଏବଂ ଖେଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତାଙ୍କ ପ୍ରଶିକ୍ଷକ ଓ ପୃଷ୍ଠପୋଷକଙ୍କୁ ବି ବଦନାମ କରାଯାଉଛି ବୋଲି କହି ଦୂତି କାନ୍ଦି ପକାଇବା ସହ ଏମିତି ମାନସିକ ନିର୍ଯାତନା ଜାରି ରହିଲେ ଓଡ଼ିଶା ଛାଡ଼ି ଚାଲିଯିବେ ବୋଲି କୋହଭରା କଣ୍ଠରେ କହିଥିଲେ।
ପୂର୍ବରୁ ଏ ନେଇ ଦୂତି ସିନିୟର ସିଭିଲ ଜଜ୍, ଭୁବନେଶ୍ବରଙ୍କ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିବା ସହ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିବାବେଳେ ଉଭୟଙ୍କ ବିରୋଧରେ ମହିଳା ଥାନାରେ ଏତଲା କରିଥିଲେ। ତାଙ୍କ ଅଭିଯୋଗ ପରେ କମିସନରେଟ୍ ପୁଲିସ ତତ୍ପରତା ପ୍ରକାଶ କରି ଆଜି ସୁଧାଂଶୁଙ୍କୁ ଭିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।