ସୌମ୍ୟରଞ୍ଜନ ମୃତ୍ୟୁ ସସପେନ୍ସ: କ୍ୱାର୍ଟର୍ସରେ ରହିଛି ଜଳିବାର ଚିହ୍ନ

ସୂଚନାଯୋଗ୍ୟ, ଆଜି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା କରୁଛି । କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି । ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା । ଘରେ ଏହି ଘଟଣା ହୋଇଥିଲା, ନା ବାହାରେ ହୋଇଥିଲା ? ସେନେଇ ତଦନ୍ତ ଆରମ୍ଭ କରିଥିଲା । ତେବେ ଘରେ ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ ? ସେହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ ? ଘରର ସ୍ଥିତି କେମିତି ଥିଲା ? ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍ । ସେପଟେ ଘର ଭିତର ଯାଞ୍ଚ କରିବା ପରେ ପୋଡ଼ା ଦାଗ ଥିବା କହିଲେ କ୍ରାଇମବ୍ରାଞ୍ଚ ଡିଏସ୍ପି ।
ଅନ୍ୟପଟେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର । ଆଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଂଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ ।
ତେବେ ସୌମ୍ୟଙ୍କୁ ଘୃଣା କରୁଥିଲେ ବିଦ୍ୟାଭାରତୀ ? ସେ ଲେଖିଥିବା ଚିଠିରେ ସ୍ପଷ୍ଟ ହେଉଛି ସୌମ୍ୟ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଘଟଣାଦିନ ଖାନତଲାସି ବେଳେ ପୋଲିସ ଏକ ପାଉଁଜି ପାଇଥିଲା, ଯାହା ତନିସ୍କରୁ ୯ ତାରିଖରେ କିଣାଯାଇଥିଲା । ଆଉ ଏଥିରୁ ସ୍ପଷ୍ଟ ହେଉଛି ଉଭୟଙ୍କ ମଧ୍ୟରେ କିଛି ବିବାଦ ସୃଷ୍ଟି ହୋଇଥିଲା । ଆଉ ଯାହାକୁ ସମାଧାନ କରିବାକୁ ସୌମ୍ୟ ନିଜ ପକ୍ଷରୁ ପାରୁପର୍ଯ୍ୟନ୍ତ ଚେଷ୍ଟା ମଧ୍ୟ କରିଛନ୍ତି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ।
ଅନ୍ୟପଟେ ଯେଉଁ ଏଗ୍ରିମେଣ୍ଟ୍ ପେପର ସିଜ ହୋଇଛି, ତାହା ବି ନୂଆ ଖିଅ ସାମ୍ନାକୁ ଆଣୁଛି । ସୌମ୍ୟ ରଞ୍ଜନ ନିଜର ସମସ୍ତ ସମ୍ପତି ବିଦ୍ୟାଙ୍କୁ ଦେଇଦେବାକୁ ଚାହୁଁଛନ୍ତି । ଏଥିରେ ମଧ୍ୟ ସୌମ୍ୟ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ୁଛି । କୌଣସି ପ୍ରକାରେ ମଧ୍ୟ ସେ ସମସ୍ୟାର ସମାଧାନ କରିବାକୁ ଚାହୁଁଥିଲେ । ବିଦ୍ୟାଭାରତୀଙ୍କ ବୟାନରେ ତାଳମେଳ ରହୁନି । ଯାହାକୁ ନେଇ ସନ୍ଦେହ ଘନିଭୂତ ହେଉଛି ।