ମୋବାଇଲ ସିମ୍ ରୁ ଖେଳ କରି ଖୋଳ କରିଦେଲେ; ଲୁଟି ନେଇଗଲେ ଏତେ ସାରା ଟଙ୍କା

money-laundering-case-by-anonymous-sim-
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାଇବର ଠକଙ୍କୁ ସିମ୍‌କାର୍ଡ ଓ ଠକେଇରେ ସହାୟତା କରି କୋଟିକୋଟି ଟଙ୍କା ରୋଜଗାର କରୁଥିବା ଗ୍ୟାଙ୍ଗ୍‌ ଧରାପଡ଼ିବା ପରେ ସାଇବର ଠକେଇ ପଛରେ ଥିବା ରହସ୍ୟ ଉପରୁ ପରଦା ହଟାଇବାକୁ କମିସନରେଟ୍‌ ପୁଲିସ ଜୋରଦାର ପ୍ରୟାସ ଆରମ୍ଭ କରିଛି। ଏହି ମାମଲାରେ ୫୦ରୁ ଅଧିକ ଲୋକ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି।

ସେମାନଙ୍କ ନିକଟରେ ପହଞ୍ଚିବା ଲାଗି ଗିରଫ ୭ ଜଣଙ୍କ ମଧ୍ୟରୁ ତିନିଜଣଙ୍କୁ କମିସନରେଟ୍‌ ପୁଲିସ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି। ଖୁବ୍‌ଶୀଘ୍ର ଏ ନେଇ କୋର୍ଟରେ ଆବେଦନ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ଅନ୍ୟପଟେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜବତ ସିମ୍ କାର୍ଡଗୁଡିକୁ ରାଜ୍ୟ ଫରେନସିକ୍ ଲ୍ୟାବ୍‌କୁ ପଠାଯାଇଛି।

ଏହାଛଡ଼ା ଓଡ଼ିଶାରୁ ସାରା ଦେଶକୁ ଚେର ମାଡ଼ିଥିବାରୁ ତଥ୍ୟ ସଂଗ୍ରହ ସହ ଆମୂଳଚୁଳ ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଠକେଇରେ ବ୍ୟବହୃତ ହୋଇଥିବା ସିମ୍‌ଗୁଡ଼ିକ ସାଧାରଣ ଲୋକଙ୍କ ପରିଚୟପତ୍ର ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ବ୍ୟବହାର କରି ଆକ୍ଟିଭେଟ୍‌ କରା ଯାଇଥିବା ଆଶଙ୍କା ରହିଛି। ସାଧାରଣ ଲୋକ ମଧ୍ୟ ନିଜ ଅଜାଣତରେ ଏହି ଗ୍ୟାଙ୍ଗ୍‌ଙ୍କ ଜାଲରେ ପଡ଼ିଯିବା ସମ୍ଭାବନା ରହିଛି।

ଏଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ କେଉଁ ଲୋକଙ୍କର କେତେ ଡକ୍ୟୁମେଣ୍ଟ ବ୍ୟବହାର କରି ସିମ୍‌ କାର୍ଡ ଆକ୍ଟିଭେଟ୍‌ ହୋଇଛି କିମ୍ବା ଅନ୍ୟ କୌଣସି କାମରେ ଲାଗିଛି ତାହା ଜାଣିବା ପାଇଁ ଏହି ଟିମ୍‌ ଖୋଳତାଡ଼ ଆରମ୍ଭ କରିଛି। ଏହି କାରବାରରେ ୫୦ରୁ ଊର୍ଦ୍ଧ୍ବ ଅପରାଧୀଙ୍କର ସମ୍ପୃକ୍ତି ରହିଥିବାବେଳେ ଏ ଯାବତ୍‌ ୧୮ ଜଣଙ୍କର ସମ୍ପୃକ୍ତି ପ୍ରମାଣ ମିଳିଛି। ସେମାନଙ୍କୁ ଧରିବା ପାଇଁ ଏହି ଟିମ୍‌ ଚଢ଼ଉ ଆରମ୍ଭ କରିଛି।

ଅନ୍ୟପଟେ ଏମାନେ ବାହାର ରାଜ୍ୟକୁ ସିମ୍‌କାର୍ଡ ଚାଲାଣ କରିଥିବା ପ୍ରମାଣ ମିଳିଛି। ହରିଆଣା, ବିହାର, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏହି ସବୁ ସିମ୍‌କାର୍ଡ ଠକେଇରେ ବ୍ୟବହୃତ ହେଉଛି। ଏହାକୁ ଜାଣିବା କମିସନରେଟ୍‌ ପୁଲିସ ପକ୍ଷରେ ଅସମ୍ଭବ ହୋଇଛି। ଏଣୁ ପୁଲିସ ଗୃହ ମନ୍ତ୍ରାଳୟ ସାଇବର ଆଣ୍ଡ ଇନ୍‌ଫର୍ମେସନ ସିକ୍ୟୁରିଟି(ସି ଆଣ୍ଡ ଆଇଏସ୍‌) ଡିଭିଜନ୍‌ର ସହାୟତା ଲୋଡ଼ିଛି। ଗତ ୩ ବର୍ଷ ମଧ୍ୟରେ ରାଜ୍ୟରୁ କେତୋଟି ସିମ୍ ବାହାରକୁ ଯାଇଛି, କି ପ୍ରକାର କାମରେ ବ୍ୟବହୃତ ହୋଇଛି, କାହା ନାମରେ ଆକ୍ଟିଭେଟ୍‌ ହୋଇଛି, ଏ ସବୁର ସବିଶେଷ ବିବରଣୀ ପାଇଁ ସି ଆଣ୍ଡ ଆଇଏସ୍‌କୁ କମିସନରେଟ୍‌ ପୁଲିସ ଚିଠି ଲେଖିଛି।

ଏହି ସିମ୍‌ଗୁଡ଼ିକ ବ୍ୟବହାର କରାଯାଇ ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ଠକେଇ ହୋଇଛି। ଏଯାବତ୍‌ ଗୁଗୁଲ, ହ୍ୱାଟସ୍‌ ଆପ୍, ବିଭିନ୍ନ ୟୁପିଆଇ ଜରିଆରେ ଠକେଇ ହୋଇଥିବା ପ୍ରମାଣ ମିଳିଛି। ସେଥିପାଇଁ ଏହି ସବୁ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ କମିସନରେଟ୍‌ ପୁଲିସ ଚିଠି ଲେଖିଛି। ଅନ୍ୟ କେଉଁ ସୋସିଆଲ୍‌ ମିଡିଆରେ ଠକେଇ ପାଇଁ ଏହି ସବୁ ସିମ୍‌କାର୍ଡ ବ୍ୟବହୃତ ହୋଇଛି ତାହାର ଖୋଳତାଡ଼ ଚାଲିଛି ବୋଲି ପୁଲିସ କହିଛି।

ସେହିଭଳି ଭୁବନେଶ୍ବରରେ ଅପରେଟ୍‌ କରୁଥିବା ବିଭିନ୍ନ ଟେଲିକମ୍‌ ସଂସ୍ଥାର ବରି‌ଷ୍ଠ କର୍ମକର୍ତ୍ତାଙ୍କୁ କମିସନରେଟ୍‌ ପୁଲିସ ସତର୍କ କରାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳି ମୁତାବକ ପ୍ରି ଆକ୍ଟିଭେଟେଡ୍‌ ସିମ୍‌କାର୍ଡ କେହି ବିକ୍ରି କରିପାରିବେ ନାହିଁ। ଏଭଳି ହେଲେ ସଂସ୍ଥାମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ହେଲେ ଏଠାରେ ଏଭଳି ହଜାରହଜାର ସିମ୍‌କାର୍ଡ ବ୍ୟବହାର କରାଯାଇ କୋଟିକୋଟି ଟଙ୍କା ଠକେଇ ହୋଇଛି। ଏଥିରେ ସଂସ୍ଥାମାନଙ୍କର ସମ୍ପୃକ୍ତି ବା ଅବହେଳା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ ଅଧିକାରୀମାନଙ୍କୁ ଚିଠି ଲେଖାଯାଇ ସତର୍କ କରି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ଶ୍ରୀ ଦାଶ।

Share this story