ଆର୍ଯ୍ୟସମାଜ ଦଖଲ ଷଡଯନ୍ତ୍ର ମାମଲା : ସରକାରୀ ଯନ୍ତ୍ରୀ ଓ ଅଡିଟରଙ୍କ ସଂପୃକ୍ତି ନେଇ ତନାଘନା; ସଦସ୍ୟତା ରୁ ଇସ୍ତଫା ଦେଲେ ପୁଲିସ କର୍ମଚାରୀ

Odisha Lady police officer under scanner in Arya Samaj illegal property loot case

ଭୁବନେଶ୍ୱର (ଓଡ଼ିଆ ଗସିପ ବ୍ୟୁରୋ): ଆର୍ଯ୍ୟସମାଜ ଭୁବନେଶ୍ୱର ଦଖଲ ଷଡ଼ଯନ୍ତ୍ର ଓ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଖୋଳତାଡ କରି କେତେକ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଥିବା ପ୍ରମାଣ ପାଇଛି ପୁଲିସ । ଏପରିକି ୩ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଥିବା ବେଳେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିଡ଼ମ୍ବନାର ବିଷୟ ହେଉଛି ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ଦୁଇଜଣ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି ।

p1

ଓଡ଼ିଶା ସରକାରଙ୍କ ପୁଲିସ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ସଦସ୍ୟା ଆଜି ଆର୍ଯ୍ୟସମାଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ତାରିଖ ଆର୍ଯ୍ୟସମାଜ ପରିସରରେ ଆତଙ୍କରାଜ ସୃଷ୍ଟି କରି ଗଣ୍ଡଗୋଳ ଭିଆଇଥିବା ଅସାମାଜିକ ଲୋକଙ୍କ ସହ, ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟର ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାକାନ୍ତ ସେଠୀ ଓ ଆୟକର ବିଭାଗର ଅଡିଟର ଶୁଭ୍ରାଂଶୁ ମହାନ୍ତି ମଧ୍ଯ ସାମିଲ ଥିଲେ । ଏହି ଦୁଇଜଣଙ୍କ ନାମରେ ମଧ୍ଯ ସହିଦନଗର ଥାନାରେ ମାମଲା ରୁଜୁ କରାଯିବା ସହ ପୁଲିସ ନୋଟିସ୍ ଜାରି କରିଛି ।

p2

ଗଣ୍ଡଗୋଳକାରୀଙ୍କ ସହ ମିଶି ସେଠାରେ ବସିଥିବା ଅନେକ ଫଟୋଗ୍ରାଫରୁ ପୁଲିସ ପ୍ରମାଣ ପାଇଛି । ଉପରୋକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି । ଉଭୟ ଫେରାର ଥିବା ସୁଦର୍ଶନ ପାତ୍ର ଓରଫ ସୁଦର୍ଶନ ଦେବଙ୍କ ଏକାନ୍ତ ସହଯୋଗୀ ତଥା ଅନୁଗତ ବୋଲି ଜଣା ପଡ଼ିବା ପରେ ତନାଘନା ଆରମ୍ଭ କରିଛି ପୁଲିସ ।

p3

ତଦନ୍ତ ବେଳେ ଏହା ମଧ୍ଯ ପୁଲିସ ଜାଣିବାକୁ ପାଇଛି ଯେ ସୁଦର୍ଶନ ପାତ୍ର ୨୦୨୧ ମସିହାରେ ଆର୍ଯ୍ୟସମାଜ ଓଡ଼ିଶା ନାମରେ ଏକ ସଂସ୍ଥା ଗଠନ କରି ବିଭିନ୍ନ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ନେଇଛନ୍ତି । ଯାହାର ହିସାବ ମିଳୁନାହିଁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ତନରଡା ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମରେ ନିର୍ମାଣ ଆଳରେ ଭବାନୀପାଟଣାର ଜନୈକ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଇଥିବା ଜଣା ପଡ଼ିଛି । ଏ ସମସ୍ତ କାରବାରକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି ।

Share this story