ଗୋଟିଏ ପରେ ଗୋଟିଏ ଜୀବନ ନେଇଯାଉଛି ମାଞ୍ଜା ସୂତା: କଟକଣା ପରେ ଯାଉଛି ଜୀବନ, କଣ କରୁଛି ପୋଲିସ....

ଓଡ଼ିଆ ଗସିପ୍ ବ୍ୟୁରୋ: ସୂତା ସହ କାଚଗୁଣ୍ଡ ଲଗାଇ ତିଆରି କରାଯାଇଥିବା ମାଞ୍ଜା ସୂତା ଜୀବନ ପାଇଁ କେତେ ବିପଦଜନକ ହୋଇପାରେ ତାହା ଗତକାଲିର ଘଟଣା ହିଁ ବୟାନ କରିସାରିଛି । ରାସ୍ତାରେ ସ୍ତ୍ରୀଙ୍କ ସହ ବାଇକରେ ଯାଉଥିବାବେଳେ ମାଞ୍ଜାସୂତାରେ ଯୁବକଙ୍କ ବେକ କଟିଯାଇଛି ଆଉ ପ୍ରାଣ ହରାଇଛନ୍ତି ଜଗତପୁର ଅଞ୍ଚଳର ଜୟନ୍ତ ସାମଲ । ତେବେ ଯେଉଁ ଘର କିଛି ଦିନ ତଳେ ବିବାହ ପାଇଁ ଉତ୍ସବମୁଖର ହୋଇଥିଲା ସେହି ପରିବାରରେ ଏବେ ଯେମିତି ପାଦତଳୁ ମାଟି ଖସିଯାଇଛି ।
ପୁଲିସ ତନାଘନା ଆରମ୍ଭ କରି ଆଇପିସିର ଧାରା ୩୦୪-ଏ ଅର୍ଥାତ ଅବହେଳାରୁ ମୃତ୍ୟୁ ନେଇ ଜଗତପୁର ଥାନାରେ ମାମଲା କରିଛି । ମଙ୍ଗଳବାଗ ଗୁଡି ଦେକାନ ଉପରେ ପୁଲିସ ଚଢାଉ କରିଛି । ଜଣକୁ ଅଟକ ରଖି ପଚରାଉଚରା ଚାଲିଛି ।
କଟକରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ବିକ୍ରି ଉପରେ ନିଷେଧାଦେଶ ଜାରି ହୋଇଛି । ଏଥିସହ କିଛି କଟକଣା ମଧ୍ୟ ଜାରି ହୋଇଛି ।
- ମାଞ୍ଜା ସୂତାରେ କାଚ ବ୍ୟବହାର ହେଉଥିବାରୁ ଅଘଟଣ ଘଟିବାର ଆଶଙ୍କା ଥାଏ
- ଛାତ ଉପରେ କେହି ଗୁଡି ଉଡାଇପାରିବେ ନାହିଁ ବୋଲି ନିୟମ ରହିଛି
- ନିୟମ ନ’ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି
- ନିୟମ ଠିକ ଭାବେ ପାଳନ ହେଉଛି କି ନାହିଁ, ସେ ନେଇ ଥାନା ଅଧିକାରୀ ନିଜ ଅଂଚଳରେ ନଜର ରଖିବେ
ହେଲେ ଏହି ନିୟମ ପାଳନ ହେଉନଥିବା ରବିବାର ଘଟଣା ସ୍ପଷ୍ଟ ବୟାନ କରୁଛି । ସୂଚନା ଅନୁସାରେ ଗତ ୭ ବର୍ଷ ଭିତରେ କଟକରେ ଗୁଡିସୂତାରେ ବେକ କଟି ୩ ଜଣ ପ୍ରାଣ ହରାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ସ୍ପଷ୍ଟ ବୟାନ କରୁଛି ଯେ, କିଛି ଲୋକଙ୍କ ବେପରୁଆ ମନୋଭାବ, ଅନେକ ଜୀବନକୁ ବିପଦ ଘେରକୁ ଟାଣି ନେଉଛି ।
କଟକ ପରେ ପୁରୀରେ ବି ଆଜି ସମାନ ଘଟଣା ଦେଖିବାକୁ ମିଳିଛି । ଅସୁସ୍ଥ ପୁଅ ପାଇଁ ବଡଦାଣ୍ଡକୁ ଔଷଧ କିଣିବାକୁ ଆସିଥିବା ବେଳେ ଭଂଜବିହାରୀ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଗୁଡି ସୁତା ଲାଗି କଟିଯାଇଛି ବେକ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଉଭୟ କଟକ ଓ ପୁରୀ ଘଟଣାରେ ପୁଲିସ ତନାଘନା ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି, କଟକଣାକୁ କଡାକଡି ଭାବେ ପାଳନ କରିବାରେ ସମସ୍ୟା ରହୁଛି କେଉଁଠି । ମାଞ୍ଜା ପାଇଁ ବେକ କଟି ଯେଉଁ ଯୁବକଙ୍କ ପ୍ରାଣ ଗଲା, ସେହି ପରିବାରର କ୍ଷତି ଭରିବ କିଏ?