ମାୟାଜାଲରେ ଫସାଇ ଟଙ୍କା ଲୁଟିନେଲା ଜି-ନେଟ୍ ଆଡ ୱାର୍ଲ୍ଡ ସଂସ୍ଥା

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜ୍ଞାପନ ଦେଖ, ଟଙ୍କା ରୋଜଗାର କର । ଏମିତି ଲୋଭ ଦେଖାଇ ‘ଜି-ନେଟ୍ ଆଡ୍’ ସଂସ୍ଥାରେ ପଞ୍ଜୀକରଣ ବାବଦକୁ ଦେଢ଼ କୋଟି ଟଙ୍କାର ବଡ଼ ଧରଣର ଠକେଇ ହୋଇଥିବା ସାମ୍ନାକୁ ଆସିଛି । ପୂର୍ବତଟ ରେଳବାଇର ଭୁବନେଶ୍ବର କୋଚ୍ ଡିପୋରେ କାମ କରୁଥିବା ଜଣେ କର୍ମଚାରୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଛନ୍ତି ରେଳ କର୍ମଚାରୀଙ୍କ ସମେତ ହଜାର ହଜାର ସାଧାରଣ ଲୋକ ।
ପ୍ରଥମେ ଏ ନେଇ ରେଳବାଇ ଥାନାରେ ଅଭିଯୋଗ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏଣୁ ହାଇକୋର୍ଟରେ ଆବେଦନ ହୋଇଥିଲା । ତେବେ ହାଇକୋର୍ଟ ତୁରନ୍ତ ମାମଲା ରୁଜୁ କରିବା ପାଇଁ ଖାରବେଳ ନଗର ଥାନାକୁ ଆଦେଶ ଦେବା ପରେ ଏ ନେଇ ଖାରବେଳ ନଗର ପୁଲିସ ଏକ ମାମଲା ରୁଜୁ କରିଛି । କୋର୍ଟଙ୍କ ଆଦେଶ ବଳରେ ଖାରବେଳ ନଗର ଥାନା ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ଓ ସର୍ବାଧିକ ଅଭିଯୋଗକାରୀ ରେଳ କର୍ମଚାରୀ ହୋଇଥିବାରୁ ମାମଲା ରେଳବାଇ ଥାନାକୁ ସ୍ଥାନାନ୍ତର ହେବ ବୋଲି ପୁଲିସ କହିଛି । ରେଳ କର୍ମଚାରୀ ତଥା ପୂର୍ବତନ ସେନା କର୍ମଚାରୀ ଡୁମୁଡୁମାର ଅଜୟ ନାଏକଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ଠକେଇ ହୋଇଥିବାରୁ ଏତଲା ସଂଖ୍ୟା ଆହୁରି ବଢ଼ିବ ବୋଲି ପୁଲିସ ଆଶଙ୍କା କରୁଛି ।
ଏମିତି ଜାଲରେ ଫସାଇଥିଲା ଠକ
୧୨ ହଜାର ଟଙ୍କା ଜମା କରିବା ପରେ ‘ଜି-ନେଟ୍ ୱାର୍ଲ୍ଡ’ ୱେବ୍ସାଇଟ୍ରେ ପଞ୍ଜୀକରଣ କରିବାକୁ ସମ୍ପୃକ୍ତ ରେଳ କର୍ମଚାରୀ ବିଜ୍ଞାପନ ଦେଇଥିଲେ । ଆଉ ପ୍ରଥମ ପଞ୍ଜୀକରଣରେ ଷ୍ଟାର୍ ହୋଟେଲରେ ଦୁଇଦିନ ତିନିରାତି ରହିବାର ସୁଯୋଗ ମିଳିବ ବୋଲି ଲୋକଙ୍କୁ ଲୋଭ ଦେଖାଇଥିଲେ । ପଞ୍ଜୀକରଣ ପରେ ଆଇଡି ଓ ପାସ୍ୱାର୍ଡ ମିଳୁଥିଲା । ଏହାକୁ ବ୍ୟବହାର କରି ଲଗ୍ ଇନ୍ କରିବା ପରେ ଏଥିରେ ବିଭିନ୍ନ ବିଜ୍ଞାପନ ଦେଖିବାକୁ କୁହା ଯାଉଥିଲା । ବିଜ୍ଞାପନ ପିଛା ପଞ୍ଜୀକୃତ ଲୋକଙ୍କୁ ୫ ଟଙ୍କା ମିଳିବାର ପ୍ରତିଶ୍ରୁତି ଦିଆ ଯାଇଥିଲା । ଅନ୍ୟ ଲୋକଙ୍କୁ ସେୟାର କଲେ ଏହି ଟଙ୍କା ୫ ଟଙ୍କାରୁ ବଢ଼ି ବଢ଼ି ଦିନକୁ ୨୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି କୁହାଯାଇଥିଲା ।
ତା’ ଛଡ଼ା ବିଜ୍ଞାପନରେ ବିଭିନ୍ନ ହୋଟେଲ୍ର ଟୁର୍ ପ୍ୟାକେଜ୍ ରହିଥିଲା । ବିଜ୍ଞାପନରୁ ସେହି ସବୁ ଟୁର୍ ପ୍ୟାକେଜ୍ ବ୍ୟବହାର କଲେ ଡିସ୍କାଉଣ୍ଟ ସହ ଆକର୍ଷଣୀୟ ଅଫର୍ ରହିଥିଲା । ପ୍ରଥମେ ଅଭିଯୁକ୍ତ ନିଜ ସଂସ୍ଥା ଅର୍ଥାତ୍ ଶହେରୁ ଊର୍ଦ୍ଧ୍ବ ରେଳ କର୍ମଚାରୀଙ୍କୁ ଜାଲରେ ପକାଇଥିଲା । ପ୍ରଥମେ ବିଜ୍ଞାପନ ଦେଖିଲେ କିଛି ଲୋକଙ୍କୁ ଟଙ୍କା ମଧ୍ୟ ମିଳିଥିଲା । ଏଥିରେ ଅନ୍ୟମାନେ ଆକର୍ଷିତ ହୋଇ ପଞ୍ଜୀକରଣ କରିଥିଲେ । କିନ୍ତୁ ପରେ ଯେତେବେଳେ ପଞ୍ଜୀକରଣ ସଂଖ୍ୟା ହଜାରେ ଟପିଥିଲା, ସେତେବେଳେ ଆଉ କାହାକୁ ଟଙ୍କା ମିଳିନଥିଲା । କାହାକୁ ଟୁର୍ ପ୍ୟାକେଜ୍ ମଧ୍ୟ ପ୍ରଦାନ କରା ଯାଇନଥିଲା । ଏଭଳି ଭାବେ ଠକ ଜଣକ ପଞ୍ଜୀକରଣ ବାବଦରେ ପ୍ରାୟ ୩ ହଜାର ଲୋକଙ୍କଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା କୁହାଯାଉଛି । ଶେଷରେ ଅଭିଯୋଗକାରୀମାନେ ରେଳବାଇ ଥାନାର ଦ୍ବାରସ୍ଥ ହୋଇଥିଲେ । ଅଭିଯୁକ୍ତ ଜଣେ ରେଳ କର୍ମଚାରୀ ହୋଇଥିବାରୁ ରେଳବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦର୍ଶାଇ ଅଭିଯୋଗକାରୀ ହାଇକୋର୍ଟକୁ ଯାଇଥିଲେ ।