ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ ଏହି ଶାସ୍ତି ଦେଲେ କୋର୍ଟ

CRIME

ଓଡ଼ିଆ ଗସିପ୍ ବ୍ୟୁରୋ: ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ ୧୫ ହଜାର ୫ ଶହ ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନା‌ଦେୟ ଆସାମୀ ଅଧିକ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି କୋର୍ଟ ।

୨୦୧୮ ମସିହା ୧୪ ତାରିଖ ମଧ୍ୟାହ୍ନ ସମୟରେ ‌ସୋର ଥାନା ଅଞ୍ଚଳର ଜଣେ ନାବାଳିକା ଗାଁ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିବା ବେଳେ ଅଭିଯୁକ୍ତ ମାଙ୍କିଡ଼ିଆ ଓରଫ୍‌ ଶ୍ୟାମସୁନ୍ଦର ଖୁଣ୍ଟିଆ ତାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ଉକ୍ତ ଗ୍ରାମର ଜଣେ ମହିଳା ଦେଖି ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ମାରିବାକୁ ଗୋଡ଼ାଇଥିଲା ।

 ପୀଡ଼ିତା ନାବାଳିକା ଘରକୁ ଫେରି ବାପା, ମାଙ୍କୁ ସବୁକଥା ଜଣାଇବା ପରେ ତାଙ୍କର ଦୁଇଭାଇ ଅଭିଯୁକ୍ତ ଘରକୁ ଯାଇ ଏ ବିଷୟରେ ପଚାରିଥିଲେ । ହେଲେ ଶ୍ୟାମସୁନ୍ଦର ସେମାନଙ୍କୁ ମଧ୍ୟ ମାରିବାକୁ ଗୋଡ଼ାଇଥିଲା।

ଏ ନେଇ ପୀଡ଼ିତାଙ୍କ ପରିବାର ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡି‌ରେ ଅଭିଯୋଗ କରିବା ପରେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା। ଆଜି ପୋକ୍‌ସୋ ଅଦାଲତରେ ଏହି ମାମଲାର ସମସ୍ତ ସାକ୍ଷ୍ୟପ୍ରମାଣ ଏବଂ ଦସ୍ତାବିଜ୍‌କୁ ଭିତ୍ତି କରି ବିଚାରପତି ଶ୍ରୀ ମହାନ୍ତି ରାୟ ପ୍ରକାଶ କରିଥିଲେ। ସ୍ବତନ୍ତ୍ର ପିପି ପ୍ରଣବ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରୁଥିଲେ ।

Share this story