ମାକ୍ସି ପିନ୍ଧି ଆସିଲା, ମା' ଝିଅଙ୍କୁ ଭୁଷିଲା , ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅଭାବନୀୟ କାଣ୍ଡ

Attack

ଓଡ଼ିଆ ଗସିପ ବ୍ୟୁରୋ: ଦୁଇ ଦିନ ହେଲା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି ପଡ଼ୋଶୀ ଘରେ ପଶି ମ୍ୟାକ୍ସି ପିନ୍ଧା ଯୁବକର ରହସ୍ୟମୟ ଆକ୍ରମଣ ଘଟଣା । ଏକ ଟିଭି ଚ୍ୟାନେଲ୍‌ରେ ଗ୍ରାଫିକ୍‌ସ ଡିଜାଇନର୍‌ ଭାବ‌େ କାମ କରୁଥିବା ଅଭିଯୁକ୍ତ ରୂପେଶ ପଣ୍ଡା ମୁଣ୍ଡରେ ହେଲ୍‌ମେଟ୍‌ ଓ ମ୍ୟାକ୍ସି ପିନ୍ଧି ଯୁବତୀ ଭଳି ଛଦ୍ମବେଶରେ ପଡ଼ୋଶୀ ଘରେ ପଶି ମା’ ଓ ଝିଅଙ୍କୁ ଛୁରିରେ ଆକ୍ରମଣ କରିଥିଲା ।

ଫଳରେ ମା’ ଓ ଝିଅ ଆହତ ହୋଇଥିବା ବେଳେ ପାଲଟା ଆକ୍ରମଣରେ ରୂପେଶ ମଧ୍ୟ ଆହତ ହୋଇଥିଲା । ତେବେ ଅଭିଯୁକ୍ତ ରୂପେଶ ଦ୍ବାରା ଘଟିଥିବା ଏହି ବିଚିତ୍ର ଅପରାଧ ପଛରେ କି ରହସ୍ୟ ରହିଛି, ତା’ ଉପରୁ ପୁଲିସ ପର୍ଦ୍ଦା ହଟାଇ ପାରିନାହିଁ । ଏବେ ବି ରୂପେଶ ଚିକିତ୍ସାଧୀନ ଥିବାରୁ ପୁଲିସ ତାକୁ ଅଧିକ ପଚରାଉଚରା କରିପାରିନାହିଁ ।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ଲୁଟ୍‌ ଉଦ୍ୟମ ବୋଲି ସନ୍ଦେହ ଘନେଇବାରେ ଲାଗିଛି। ଗୃହ ନିର୍ମାଣ ପାଇଁ ଋଣ ଭାରରେ ବୁଡ଼ିଥିବା ରୂପେଶ ଏଭଳି ବାଟ ବାଛିଥିବା ଅନୁମାନ କରାଯାଉଛି। ମାତ୍ର ଅଭିଯୁକ୍ତ ରୂପେଶ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବା ପରେ ଯାଇ ସବୁ କିଛି ସ୍ପଷ୍ଟ ହେବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି।

ଗତକାଲି ଏହି ଅଘଟଣ ପରେ ରୂପେଶ ଓ ତାଙ୍କ ପରିବାର ପକ୍ଷରୁ ଏକ ବିଚିତ୍ର କାହାଣୀ କୁହାଯାଇଥିଲା। ଅଫିସ ଯିବା ରାସ୍ତାରେ କିଛି ଦୁର୍ବୃତ୍ତ ରୂପେଶଙ୍କୁ ଅଟକାଇ ମାର୍‌ଧର କରିବା ସହ ଜୋର୍‌ କରି ମ୍ୟାକ୍ସି ପିନ୍ଧାଇ ଦେଇଥିଲେ। ହତ୍ୟା ଧମକ ଦେଇ ପ୍ରଫେସର ମିଶ୍ରାଙ୍କ ଘରେ ପଶି ମା’ ଓ ଝିଅକୁ ଆକ୍ରମଣ କରିବାକୁ ସେମାନେ କୁଆଡ଼େ ଧମକ ଦେଇଥିଲେ। ଏମିତିକି ତାଙ୍କ ବାଇକ୍‌ ଛଡ଼ାଇ ରଖିଥିଲେ।

ତେଣୁ ଜୀବନ ଭୟରେ ସେ ପ୍ରଫେସର ମିଶ୍ରାଙ୍କ ଘରକୁ ପଶି ତାଙ୍କ ସ୍ତ୍ରୀ ଓ ଝିଅକୁ ଆକ୍ରମଣ କରିଥିଲେ। ରୂପେଶଙ୍କ କଥାକୁ ଦୋହରାଇଛନ୍ତି ତାଙ୍କ ସ୍ତ୍ରୀ ଓ ମା’। ଗତ କିଛି ଦିନ ହେଲା କିଛି ଦୁର୍ବୃତ୍ତ ରୂପେଶକୁ ପିଛା କରୁଥିଲେ ବୋଲି ସେମାନେ ପୁଲିସକୁ କହିଛନ୍ତି। ସେମାନଙ୍କ ଏହି ସଫେଇ ବିଶ୍ବାସଯୋଗ୍ୟ ନ ହେଲେ ମଧ୍ୟ ଏହା ସତ କି ନୁହେଁ ଜାଣିବା ଲାଗି ପୁଲିସ ତଦନ୍ତ ଚଳାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରିଛି।

ମାତ୍ର ରୂପେଶଙ୍କ ବାଇକ୍‌ ଉଦ୍ଧାର ହୋଇ ପାରିନାହିଁ କି ସେ ପ୍ରଫେସର ମିଶ୍ରାଙ୍କ ଘରକୁ କିଭଳି କେଉଁ ରାସ୍ତାରେ ଆସିଲେ, ତାହାର ଭିଡିଓ ଫୁଟେଜ୍ ମିଳିପାରିନାହିଁ।

Share this story